ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ସୀମାରେ ଚାଇନା-ଭାରତ ସଂଘର୍ଷ ପରେ ଦେଶବ୍ୟାପି ଆଲୋଡ଼ନ ଖେଳିଯାଇଛି। ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହେବା ପରେ ଚୀନ ବିରୋଧରେ ଅସନ୍ତୋଷ ବଢ଼ୁଛି। ଏହିପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ଗଣ ସଂଗ୍ରାମ ପରିଷଦ ତରଫରୁ ଜଗତସିଂହପୁର ସହରରେ ଚାଇନା ଜିନିଷ ବର୍ଜନ ପାଇଁ ଶୋଭାଯାତ୍ରା କରାଯାଇଛି।
ଟାଉନ ହଲଠାରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ବଜାର ପରିକ୍ରମା କରିବା ପରେ ଥାନା ଛକଠାରେ ସମାପ୍ତ ହୋଇଥିଲା। ଏହି ଶୋଭାଯାତ୍ରାରେ ଆଡଭୋକେଟ ବାସୁଦେବ ଷଡ଼ଙ୍ଗୀ, ପୂର୍ବତନ ସରପଞ୍ଚ ଦେବୀ ପ୍ରସାଦ ମହାରଣା , ହାଇକୋର୍ଟ ଆଇନଜୀବୀ ବିସ୍ମୟ ଷ୍ଟାଲିନ, ଜୀବନ ବୀମା ନିଗମର ଡିଭିଜନ ସଂପାଦକ ମନୋଜ ସ୍ୱାଇଁ, ସଂଗ୍ରାମୀ ସାଥି ରଶ୍ମି ରଞ୍ଜନ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ଚାଇନା କେଉଁ ଭଳି ଆମକୁ ଶୋଷଣ କରୁଛି ଓ କରୋନା ଜୀବାଣୁକୁ ସମଗ୍ର ପୃଥିବୀରେ ପ୍ରସାର କରାଇ ବାଣିଜ୍ୟକୁ କରାଗତ କରିବାକୁ ଉଦ୍ୟମ କରୁଛି, ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଚାଇନା ସାମଗ୍ରୀ ବର୍ଜନ କରିବାକୁ ଆହ୍ୱାନ କରାଯାଇଥିଲା।