ବସ୍‌ ଓ ଟ୍ରେଲର ମୁହାଁମୁହିଁ ଧକ୍କା; ୪ ମୃତ

ବାରିପଦା(ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଆଗରିଆ ଛକରେ ୧୮ ନମ୍ୱର ଜାତୀୟ ରାଜପଥରେ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ସହ ଟ୍ରେଲରର ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

accidentମୃତକଙ୍କ ଭିତରେ ଜଣେ ମହିଳା ଯାତ୍ରୀ ଅଛନ୍ତି। ମୃତକମାନେ ହେଲେ ବାରିପଦାର ଅନୀଲ ଦେଓ ସିଦ୍ଧାର୍ଥ (୩୪), ବଜ୍ରତୁଣ୍ଡିର ସତ୍ୟରଞ୍ଜନ ପାତ୍ର (୧୮), ଚାଦୁଆ ଗାଁର ସାମରାଇ ହେମସ (୩୭) ଓ ବାରିପଦା ତୁଳସୀ ଚଉର ସାହିର ସୁକାନ୍ତି ସୋରେନ୍।

ବସ୍‌ଟି ଭୁବନେଶ୍ୱରରୁ ବାରିପଦା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସେତେବେଳେ ବସ୍‌ରେ ପ୍ରାୟ ୨୦ ଜଣ ଯାତ୍ରୀ ଥିଲେ।

seatପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆଗରିଆ ପୋଲ ଉପରେ ବସ୍‌ ଓ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ଟ୍ରେଲରଟି ବସ୍‌ର ଡାହାଣ ପଟରେ ଘସି ହୋଇ ଚାଲି ଯାଇଥିଲା। ଫଳରେ ଏଥିରେ ଥିବା ଲୁହା ସାମଗ୍ରୀଗୁଡ଼ିକର ମାଡ଼ରେ ବସ୍‌ର ସେହି ପଟର ସମସ୍ତ ଝରକା ଭାଙ୍ଗି ଯାଇଥିଲା ଓ ଯାତ୍ରୀମାନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏମିତିକି ବସ୍‌ର ଏକ ସିଟ୍‌ ମଧ୍ୟ ବାହାରି ତଳେ ପଡ଼ିଯାଇଥିଲା। ଘଟଣାସ୍ଥଳରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିଲା।

ପୁଲିସ୍‌, ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ମିଶି ବସ୍‌ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।  ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଓ ହେଲପର୍‌ ଫେରାର୍ ହୋଇଯାଇଛନ୍ତି। ଟ୍ରେଲରକୁ ପୁଲିସ୍‌ ଜବତ କରିଛି।