ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଡାକରା ଦେଇଥିବା ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ଆଜି ତା’ର ଧର୍ମଘଟକୁ ସ୍ଥଗିତ ଘୋଷଣା କରିଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରହିଛି ।
ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ଘରୋଇ ବସ୍ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ରାଜ୍ୟ ସରକାର ମୋଟ ୧୦ଟିରୁ ୩ଟି ଦାବି ମାନି ନେଇଛନ୍ତି । ବାକି ଦାବିଗୁଡ଼ିକ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଯେହେତୁ ରାଜ୍ୟ ସରକାର ୩ଟି ମୌଳିକ ଦାବିକୁ ମାନି ନେଇଛନ୍ତି ତେଣୁ ବସ୍ ଧର୍ମଘଟ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ ୩୧ତାରିଖ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।
ରାଜ୍ୟ ସରକାର ନିଜର ଗାଡ଼ି ସ୍କ୍ରାପିଂ ନୀତିର ପୁନର୍ବିଚାର କରିବା ଦାବିକୁ ଗ୍ରହଣ କରିଛନ୍ତି ଓ ୧୫ବର୍ଷ ପୁରୁଣା ଗାଡ଼ି ପରିବର୍ତ୍ତେ ୨୦ବର୍ଷ ପର୍ଯ୍ୟନ୍ତ ପୁରୁଣା ଗାଡ଼ି ଚାଲି ପାରିବ ବୋଲି ସହମତ ହୋଇଛନ୍ତି । ଦିନବେଳା ସ୍ଲପିର କୋଚ୍ ବସ୍ ଚଳାଇବାକୁ ସରକାର ଅନୁମତି ଦେବା ସହ ପରମିଟ୍ ଟ୍ରାନ୍ସଫରକୁ କାର୍ଯ୍ୟକାରୀ କରିବା ଦାବିକୁ ମଧ୍ୟ ମାନି ନେଇଛନ୍ତି । ତେବେ ଅନ୍ୟ ଦାବିଗୁଡ଼ିକ ଉପରେ ବିଚାର କରିବାକୁ ସରକାର ଅଧିକ ସମୟ ମାଗିଛନ୍ତି । ଯଦି ସେସବୁ ଦାବି ମାର୍ଚ୍ଚ ୩୧ତାରିଖ ସୁଦ୍ଧା ପୂରଣ ନହୁଏ ତା’ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି।
ସୂଚନାଯୋଗ୍ୟ, ଘରୋଇ ବସ୍ ମାଲିକ ସଂଘର ସଦସ୍ୟମାନେ ଗତ ଡିସେମ୍ବର ମାସରେ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟ ସମ୍ମୁଖରେ ୮ଦଫା ଦାବି ନେଇ ଆନ୍ଦୋଳନ କରିଥିଲେ । ସଂଘର ସମ୍ପାଦକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜାନୁୟାରୀ ୭ ତାରିଖରେ ରାଜ୍ୟ ପରିବହନ ସଚିବଙ୍କୁ ସାକ୍ଷାତ କରି ଦାବି ସମ୍ପର୍କରେ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।