ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏ ବର୍ଷ ଖରିଫ ଋତୁରେ ୫୫ ଲକ୍ଷ ଟନ୍ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିରୁ ୩୭ ଲକ୍ଷ ଟନ୍ ଚାଉଳ ସଂଗ୍ରହ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
୨୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସାଧାରଣ ବଣ୍ଟନ ପାଇଁ ରହିବ। ବଳକା ଚାଉଳ ଏଫ୍.ସି.ଆଇ.କୁ ଦିଆଯିବ। ଧାନ ଦେବାର ୩ ଦିନ ମଧ୍ୟରେ ଚାଷୀ ସେମାନଙ୍କ ଟଙ୍କା ପାଇବେ। ୨୪ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ ହୋଇଯିବ। ପାକ୍ସ ଏବଂ ଲ୍ୟାମ୍ପ୍ସ ଜରିଆରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି- “ଧାନ ସଂଗ୍ରହ ବେଳେ ଆଉ ମୁଣ୍ଡପିଛା ଧାନ କଟାଯିବ ନାହିଁ। ପୂର୍ବରୁ ମୁଣ୍ଡପିଛା କଟା ଯାଉଥିବା ୩ କ୍ୱିଣ୍ଟାଲ ଆଉ କଟାଯିବ ନାହିଁ। ଏହାଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ।”
କ୍ୟାବିନେଟ୍ ବୈଠକରେ ହୋଇଥିବା ଆଉଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ ଆଜି ‘ଆମ ଗାଁ ଆମ ବିକାଶ’ ଗାଇଡ଼ଲାଇନ୍ ଉପରେ ମୋହର ମାରିଛି। ଚଳିତ ବଜେଟରେ ‘ଆମ ଗାଁ ଆମ ବିକାଶ’ ପାଇଁ ୧୨୫୦ କୋଟିର ବଜେଟ୍ ଅଛି। ଏହା ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ। ଏଥିରେ କୌଣସି ଠିକାଦାର କିମ୍ବା ଠିକାଦାରୀ ସଂସ୍ଥାଙ୍କୁ ନିୟୋଜିତ କରାଯିବ ନାହିଁ। ୧ରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ପ୍ରତି ପ୍ରକଳ୍ପ କାମ କରାଯିବ।
ଏଥିସହିତ କୃଷି ବିଭାଗରେ କ୍ୟାଡର ପୁନର୍ବିନ୍ୟାସକୁ ମଧ୍ୟ କ୍ୟାବିନେନ୍ ମଂଜୁରୀ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।