ଅଫିସରଙ୍କ ତ୍ରୁଟି ପାଇଁ ବର୍ଷକରେ ୭୯୫କୋଟିର ରାଜସ୍ୱ କ୍ଷତି : ସିଏଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ସରକାରୀ ଟିକସର ଅବମୂଲ୍ୟାୟନ ଓ ସ୍ୱଳ୍ପ ଟିକସ ଧାର୍ଯ୍ୟ କରିବା ଯୋଗୁ ୨୦୧୭-୧୮ ଆର୍ଥିକ ବର୍ଷରେ ୫ଟି ବିଭାଗକୁ ୭୯୫.୧୮କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଉପସ୍ଥାପନ କରିଥିବା ୨୦୧୮ ମାର୍ଚ୍ଚ ସୁଦ୍ଧା ସମାପ୍ତ ବର୍ଷ ପାଇଁ ଆର୍ଥିକ ଓ ରାଜସ୍ୱ କ୍ଷେତ୍ରର ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି। ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେବାପରେ ରାଜ୍ୟ ମହାଲେଖାକାର ଏକ ସାମ୍ବାଦିକ ସମ୍ମିଳନୀରେ […]

Tapas Behera
  • Published: Tuesday, 06 October 2020
  • Updated: 06 October 2020, 10:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ସରକାରୀ ଟିକସର ଅବମୂଲ୍ୟାୟନ ଓ ସ୍ୱଳ୍ପ ଟିକସ ଧାର୍ଯ୍ୟ କରିବା ଯୋଗୁ ୨୦୧୭-୧୮ ଆର୍ଥିକ ବର୍ଷରେ ୫ଟି ବିଭାଗକୁ ୭୯୫.୧୮କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଉପସ୍ଥାପନ କରିଥିବା ୨୦୧୮ ମାର୍ଚ୍ଚ ସୁଦ୍ଧା ସମାପ୍ତ ବର୍ଷ ପାଇଁ ଆର୍ଥିକ ଓ ରାଜସ୍ୱ କ୍ଷେତ୍ରର ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି।

ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେବାପରେ ରାଜ୍ୟ ମହାଲେଖାକାର ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୨୦୧୭-୧୮ ଆର୍ଥିକ ବର୍ଷରେ ୫ଟି ବିଭାଗ ଯଥା- ଅବକାରୀ, ପରିବହନ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ, ଅର୍ଥ(ବାଣିଜ୍ୟକର), ଇସ୍ପାତ ଓ ଖଣି ବିଭାଗ ଅନ୍ତର୍ଗତ ଭ୍ୟାଟ୍‌, ପ୍ରବେଶ କର, ଜିଏସଟି, ଅବକାରୀ ଡ୍ୟୁଟି , ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଫି, ମୋଟର ଯାନ ଟିକସ ଓ ଅନ୍ୟାନ୍ୟ ଅଣଟିକସ ରାଜସ୍ୱ ପ୍ରାପ୍ତି ସମ୍ବନ୍ଧୀୟ ଅଡିଟ୍ ବେଳେ ୫୯,୩୮୭ଟି ମାମଲାରେ ୭୯୫.୧୮କୋଟି ଟଙ୍କାର ଅବମୂଲ୍ୟାୟନ ଓ କମ୍ ଟିକସ ଧାର୍ଯ୍ୟ କରି ରାଜସ୍ୱ ହାନି କରାଯାଇଥିବା ଜଣାପଡ଼ିଛି। ତେବେ ଏହି ଆର୍ଥିକ ବର୍ଷରେ ସମ୍ପୃକ୍ତ ୫ଟି ବିଭାଗ ଦ୍ୱାରା ୪୨,୧୫୯ଟି ମାମଲାରେ ୩୦୩.୮୭କୋଟି ଟଙ୍କାର ଅବମୂଲ୍ୟାୟନ (ଅଣ୍ଡରଆସେସମେଣ୍ଟ) ଓ ଅନ୍ୟାନ୍ୟ ଅନିୟମିତତାକୁ ସ୍ୱୀକାର କରାଯାଇଥିଲା। ୨୦୧୭-୧୮ ଆର୍ଥିକ ବର୍ଷରେ ୮୭ଟି ମାମଲାରେ ୧୮.୫୧କୋଟି ଟଙ୍କା ଆଦାୟ କରାଯାଇଥିଲା। ଏହାସହିତ ୨୦୧୭-୧୮ ଆର୍ଥିକ ବର୍ଷର ଅଡିଟରେ ୧୮୦ଟି ୟୁନିଟ୍ ଉପରୋକ୍ତ ୫ଟି ବିଭାଗର ନଥିପତ୍ର ଯାଂଚ କରିଥିଲା। ୨୦୦ଟି ମାମଲାରେ ଜଡ଼ିତ ୫.୭୭କୋଟି ଟଙ୍କାର ଅନିୟମିତ ଖର୍ଚ୍ଚ ତଥା ଦେୟ ହୋଇଥିବା ଅଡିଟବେଳେ ଜଣାପଡ଼ିଥିଲା। ୯୮ଟି ମାମଲାରେ ୦.୧୦କୋଟି ଟଙ୍କାର ଅନିୟମିତତାକୁ ସମ୍ପୃକ୍ତ ବିଭାଗଗୁଡ଼ିକ ସ୍ୱୀକାର କରିଥିଲେ।

ସେହିପରି ପଂଚାୟତିରାଜ ବିଭାଗ ଦ୍ୱାରା ମହୁଲ ଫୁଲର ସର୍ବନିମ୍ନ ବିକ୍ରୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୨ହଜାର ଟଙ୍କା ନିର୍ଦ୍ଧାରଣ ହୋଇଥିବାବେଳେ ୬୨ଜଣ ଦୋକାନୀଙ୍କ ମଧ୍ୟରୁ ୧୫ଜଣ ଦୋକାନୀ କ୍ୱିଣ୍ଟାଲ ପିଛା ୧୨ଶହରୁ ୧୮୦୦ଟଙ୍କା ମଧ୍ୟରେ ମହୁଲ ଫୁଲ କ୍ରୟ କରିଥିଲେ। ଏଥିଯୋଗୁ ମହୁଲ ଫୁଲ୍ ସଂଗ୍ରହକାରୀ ଗାଁ ଲୋକଙ୍କୁ ମହୁଲ ଫୁଲ ବିକ୍ରୟ ବାବଦରେ ୬.୬୩କୋଟି ଟଙ୍କା ପାଇବାରୁ ବଂଚିତ ହେବାକୁ ପଡ଼ିଥିଲା। ଯଦିଓ ବିଗତ ବର୍ଷରେ ମହୁଲ ଫୁଲର ଦର କ୍ୱିଣ୍ଟାଲ ପିଛା ୨ହଜାରୁ ସାଢ଼େ ୪ହଜାର ଟଙ୍କା ଥିଲା। କିନ୍ତୁ ୨୦୧୫-୧୮ ମସିହା ମଧ୍ୟରେ ମହୁଲି ମଦ ଲାଇସେନ୍ସଧାରୀମାନେ କ୍ୱିଣ୍ଟାଲ ପିଛା ୧୨୦୦ରୁ ୧୮୦୦ଟଙ୍କା ମଧ୍ୟରେ ମହୁଲ ଫୁଲ କିଣି ଅନୁଚିତ୍ ଫାଇଦା ଉଠାଇଛନ୍ତି। ଅଧିକ ପରିମାଣର ମହୁଲ ଫୁଲ ମହଜୁଦ ପାଇଁ ସରକାର କୌଣସି ଲାଇସେନ୍ସ ଫି’ ଧାର୍ଯ୍ୟ କରିନଥିଲେ। ଫଳରେ ମହୁଲ ଫୁଲ ମହଜୁଦ୍ ଓ ଗଚ୍ଛିତ ଫି’ ବାବଦରେ ସରକାରଙ୍କୁ ଅତିରିକ୍ତ ଅବକାରୀ ରାଜସ୍ୱ ଆଦାୟ କରିବାର ସୁଯୋଗରୁ ବଂଚିତ ହେବାକୁ ପଡ଼ିଥିଲା।

ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ୪ଜଣ ଲାଇସେନ୍ସଧାରୀଙ୍କ ଦ୍ୱାରା ଭାରତନିର୍ମିତ ବିଦେଶୀ ମଦର ସ୍ୱଳ୍ପ ଉଠାଣ ଉପରେ ୧.୪୦କୋଟି ଟଙ୍କାର ଅବକାରୀ ଶୁଳ୍କ ଓ ଜୋରିମାନାର କମ୍ ପରିମାଣର ଧାର୍ଯ୍ୟ ହୋଇଥିଲା। ସେହିପରି ୩୮ଜଣ ଲାଇସେନ୍ସଧାରୀଙ୍କ ଦ୍ୱାରା ଭାରତନିର୍ମିତ ବିଦେଶୀ ମଦ ଓ ବିଅରର ସ୍ୱଳ୍ପ ଉଠାଣ ଉପରେ ୮.୮୩କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ଏସବୁ ବ୍ୟତୀତ ଦ୍ରବ୍ୟର ଉପଯୁକ୍ତ ବର୍ଗୀକରଣ ନହେବାରୁ ରାଜ୍ୟ ସରକାର ଟିକସ ହରାଉଛନ୍ତି। ସରକାର ୬୪.୦୭ଲକ୍ଷ ଟଙ୍କାର କର ଓ ଜୋରିମାନା ଆଦାୟ କରିପାରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos