ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୀବନ ଶେଷ ଚିଠି ଲେଖିଥିଲେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ! ଯେଉଁ ଚିଠିକୁ ପାଇଥିଲେ ଦୟାଲ୍ ଆଶ୍ରମର ମହିଳା କେୟାର ଟେକର। ଘର ସଫା କରୁଥିବା ବେଳେ ମାନସଙ୍କ ଚିଠି ପାଇ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଦେଇଥିବା କେୟାର ଟେକର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଏ ଚିଠି ମାନସ ଚାକିରି ଛାଡ଼ିବା ପୂର୍ବରୁ ନା ପରର। ଯଦି ଚାକିରି ଛାଡ଼ି ପରର, ତାହାହେଲେ ସେ ସ୍ୱଇଚ୍ଛାରେ ଚିଠି ଲେଖିଥିଲେ ନା ବଳପୂର୍ବକ ଲେଖାଯାଇଥିଲା। ଏପରି ଅନେକ ପ୍ରଶ୍ନବାଚୀ ସାଧାରଣରେ ଉଙ୍କି ମାରୁଛି।
ଦୟାଲ୍ ଆଶ୍ରମର କେୟାର ଟେକରଙ୍କ କହିବା ଅନୁସାରେ ସେ ମାନସଙ୍କ ୩ଟି ଚିଠି ପାଇଥିଲେ। ଆଶ୍ରମରରେ ମାନସ ରହୁଥିବା ଘରକୁ ଝାଡୁ ଦେଲା ବେଳେ ଖଟ ତଳୁ ଏହି ଚିଠି ପାଇଥିଲେ। ପଲିଥିନରେ ଗୁଡ଼ା ହୋଇଥିବା ଚିଠିରେ ବହୁତ କଥା ଲେଖା ଯାଇଥିଲା। ସେହି ଚିଠିକୁ ପଢ଼ିବା ପରେ ସେ(ମହିଳା କେୟାର ଟେକର) ଶର୍ମିଷ୍ଠା ମାଡ଼ାମଙ୍କୁ ଦେଇଥିଲେ। ତିନିଟି ଯାକ ଚିଠିରେ ଗୋଟିଏ କଥା ଲେଖାଯାଇଥିଲା ବୋଲି କେୟାର ଟେକର କହିଛନ୍ତି।
ସେ ଆହୁରି କହିଛନ୍ତି, ଅପହରଣ ପରେ ମାଡ଼ ମରାଯାଇଥିବା ମାନସ ଚିଠିରେ ଲେଖିଛନ୍ତି। କ୍ୟାମେରା, ମୋବାଇଲ, ପାସ୍ବୁକ ଛଡ଼ାଇ ନେଇଥିବା ଲେଖାଯାଇଛି। ମୁଁ(ମାନସ) ଯଦି ମରିଯାଏ ଶବ ଏ ପାପୀମାନଙ୍କୁ ନଦେବାକୁ ଲେଖିଥିଲେ। ମୋ ଶବକୁ ଏ ପାପୀମାନଙ୍କୁ ନଦେଇ ଗାଁକୁ ପଠାଇବାକୁ ଲେଖିଥିଲେ। ଚିଠି ଶେଷରେ ମାନସ ନିଜ ନାଁ ଓ ଫୋନ ନମ୍ବର ଲେଖିଥିଲେ ବୋଲି କେୟାର ଟେକର କହିଛନ୍ତି। ଆଶ୍ରମକୁ ବହୁତ ବଡ଼ବଡ଼ିଆ ଲୋକ ଯା’ଆସ କରନ୍ତି। କିନ୍ତୁ ମୁଁ ସେମାନଙ୍କୁ ଚିହ୍ନି ନାହିଁ। ନିରଞ୍ଜନ ସେଠୀଙ୍କୁ ୨/୩ ଥର ଆଶ୍ରମରେ ଦେଖିଛି ବୋଲି କେୟାର ଟେକର କହିଛନ୍ତି।
ଫେବ୍ରୁଆରୀ ୭ ତାରିଖ ସକାଳେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ନିର୍ଦ୍ଦେଶନାରେ ପୂରା ନାଟକ ରଚାଯାଇଥିଲା। ଆଉ ଏହାକୁ କାର୍ଯ୍ୟକାରୀ କରିଥିଲେ ୱେବ୍ ପୋର୍ଟାଲ୍ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ। ୭ ତାରିଖ ସକାଳେ ମାନସ ଭଦ୍ରକରୁ ଫେରୁଥିବା ବେଳେ ରାସ୍ତାରୁ ତାଙ୍କୁ ମାଡ଼ ମାରି ଅପହରଣ କରାଯାଇଥିଲା। ଅପହରଣ ପରେ ମାନସଙ୍କୁ ଦୟାଲ୍ ଆଶ୍ରମରେ ରଖି ପ୍ରବଳ ମାଡ଼ ମରାଯାଇଥିଲା। ନିରଞ୍ଜନ ସେଠୀ ସେଠାରେ ଉପସ୍ଥିତ ରହି ମାଡ଼ ମାରିଥିଲା। ଯାହାଫଳରେ ମାନସଙ୍କ ମୃତ୍ୟୁ ଘଟିଥିଲା।
ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରି ଅଭିଯୁକ୍ତମାନେ ମାନସଙ୍କ ମୃତଦେହକୁ ନୟାଗଡ଼ରେ ଏକ ପାହାଡ ତଳେ ପୋତି ଦେଇଥିଲେ। ଅନ୍ୟପକ୍ଷରେ ପରିବାର ଲୋକେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମ୍ରିୟମାଣ ହୋଇ ପଡ଼ିଥିଲେ। ଏନେଇ ପରିବାର ଲୋକେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଛି। ହେଲେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠାର ପତ୍ତା ପାଉନି ପୁଲିସ୍। ଅନ୍ୟ ପକ୍ଷରେ ବର୍ତ୍ତମାନ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି।