ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ; ୧୮ରେ ଭୋଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ୍ ୧୮ ତାରିଖରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ତା’ସହିତ ଆଜି ରାତି ସୁଦ୍ଧା ସମସ୍ତ ବୁଥ୍‌ରେ ପୋଲିଂ କର୍ମଚାରୀମାନେ ପହଞ୍ଚି ମତଦାନ ପାଇଁ ଚୂଡ଼ାନ୍ତ ବ୍ୟବସ୍ଥା କରିବେ। ଏହି ପର୍ଯ୍ୟାୟରେ ରାଜ୍ୟର ୫ଟି ଲୋକସଭା ଆସନ (ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା) ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ମଇଦାନକୁ […]

election1

election1

Jitendra Garnayak
  • Published: Tuesday, 16 April 2019
  • Updated: 16 April 2019, 09:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏପ୍ରିଲ୍ ୧୮ ତାରିଖରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ତା’ସହିତ ଆଜି ରାତି ସୁଦ୍ଧା ସମସ୍ତ ବୁଥ୍‌ରେ ପୋଲିଂ କର୍ମଚାରୀମାନେ ପହଞ୍ଚି ମତଦାନ ପାଇଁ ଚୂଡ଼ାନ୍ତ ବ୍ୟବସ୍ଥା କରିବେ।

ଏହି ପର୍ଯ୍ୟାୟରେ ରାଜ୍ୟର ୫ଟି ଲୋକସଭା ଆସନ (ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା) ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ମଇଦାନକୁ ଓହ୍ଲାଇଛନ୍ତି ୩୫ ଜଣ ସାଂସଦ ପ୍ରାର୍ଥୀ ଓ ୨୪୪ ଜଣ ବିଧାୟକ ପ୍ରାର୍ଥୀ।

ଏହି ପର୍ଯ୍ୟାୟରେ ମୋଟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରେ ୩୯ ଲକ୍ଷ ୪୫ହଜାର ୨୫ ଜଣ ପୁରୁଷ ଓ ୩୭ ଲକ୍ଷ ୪୭ ହଜାର ୪୯୩ ଜଣ ମହିଳା ଭୋଟର ଅଛନ୍ତି। ସେହିଭଳି ୬୦୫ ଜଣ ତୃତୀୟ ଲିଙ୍ଗ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।

ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୯,୧୧୭ଟି ମତଦାନ କେନ୍ଦ୍ର କରାଯାଇଛି। ତା’ମଧ୍ୟରୁ ୧,୯୨୬ଟି ବୁଥ୍‌ ସମ୍ବେଦନଶୀଳ ରହିଛି।
ଏହି ପର୍ଯ୍ୟାୟ ନିର୍ବାଚନ ପରିଚାଳନାରେ ମାଓବାଦୀମାନେ ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି। କାରଣ ୫ଟି ଲୋକସଭା କ୍ଷେତ୍ର ମଧ୍ୟରୁ ବିଶେଷ କରି କନ୍ଧମାଳ, ବଲାଙ୍ଗିର ଏବଂ ବରଗଡ଼ ଜିଲ୍ଲାରେ ଲାଲବାହିନୀ ସକ୍ରିୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ନିର୍ବାଚନ ପାଇଁ ଏସବୁ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଅନେକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

କେଉଁଠି କେତେବେଳେ ଭୋଟ୍‌?
ପଦମପୁର, ଭଟ୍‌ଲୀ, ରଘୁନାଥପଲ୍ଲୀ, ବଣାଇ, ପାଟଣାଗଡ଼, କଣ୍ଟାବାଞ୍ଜି, ବାଲିଗୁଡ଼ା, ଜି. ଉଦୟଗିରି, ଫୁଲବାଣୀ, କଣ୍ଟାମାଲ, ବୌଦ୍ଧ, ଦଶପଲ୍ଲା ଓ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ସେହିପରି ବିଜେପୁର, ବରଗଡ଼, ଅତାବିରା, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରାଉରକେଲା, ରାଜଗାଙ୍ଗପୁର, ବୀରମହାରାଜପୁର, ସୋନପୁର, ଲୋଇସିଂହା, ବଲାଙ୍ଗିର, ଟିଟିଲାଗଡ଼, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳିରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମତଦାନ ହେବ।

ମଇଦାନରେ ଅଛନ୍ତି ହେଭିୱେଟ୍‌
ଏହି ପର୍ଯ୍ୟାୟରେ ଅନେକ ହେଭିୱେଟ୍ ମଇଦାନରେ ଅଛନ୍ତି। ବରଗଡ଼ ଲୋକସଭା ଆସନରୁ ଲଢ଼ୁଥିବା ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭାଗ୍ୟ ୧୮ ତାରିଖରେ ଇଭିଏମ୍‌ରେ ସିଲ୍‌ ହୋଇଯିବ। ତାଙ୍କୁ ସେଠାରେ ଟକ୍କର ଦେଉଛନ୍ତି ବିଜେପି ନେତା ସୁରେଶ ପୂଜାରୀ। ସେହିପରି କଂଗ୍ରେସ ଏଠାରେ ପ୍ରଦୀପ କୁମାର ଦେବତାଙ୍କୁ ପ୍ରାର୍ଥୀ କରିଛି। ଏହି ଦିନ ବିଜେଡି ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କ ଭାଗ୍ୟ ମଧ୍ୟ ପରୀକ୍ଷା ହେବ। ସେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ଏଠାରେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଛି। ସେହିପରି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କର ଭାଗ୍ୟ ମଧ୍ୟ ଏହି ଦିନ ଇଭିଏମ୍‌ରେ ସିଲ୍‌ ହୋଇଯିବ। ସେ ଏଥର ବି ସୁନ୍ଦରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ସେଠାରେ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ଓ ବିଜେଡି ପ୍ରାର୍ଥୀ ସୁନିତା ବିଶ୍ୱାଳ। ବଲାଙ୍ଗିର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ, ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଓ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ମଧ୍ୟରେ ଲଢ଼େଇ ହେଉଛି।

ସେହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଗ୍ୟ ମଧ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯିବ। ସେ ଏଥର ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ସହିତ ବରଗଡ଼ର ବିଜେପୁର ଆସନରୁ ସେ ପ୍ରାର୍ଥୀ ହୋଇଛନ୍ତି।

୧୨ ରାଜ୍ୟରେ ହେବ ମତଦାନ
୧୮ ତାରିଖରେ କେବଳ ଓଡ଼ିଶାରେ ଭୋଟ୍ ହେବ ନାହିଁ। ଏହି ଦିନ ଦେଶର ମୋଟ ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଜମ୍ମୁ ଓ କଶ୍ମୀରର ୨ଟି ଲୋକସଭା ଆସନ ସହିତ ଆସାମର ୫, ମଣିପୁରର ୧, ତ୍ରିପୁରାର ୧, ଉତ୍ତର ପ୍ରଦେଶର ୮, ଛତିଶଗଡ଼ର ୩, ପଶ୍ଚିମବଙ୍ଗର ୩, ତାମିଲନାଡୁର ୩୮ (ଭେଲୋର ଆସନରେ ନିର୍ବାଚନ ହେବନି), ପୁଡୁଚେରୀର ୧, କର୍ଣ୍ଣାଟକର ୧୪ ଓ ମହାରାଷ୍ଟ୍ରର ୧୦ଟି ଲୋକସଭା ଆସନ ପାଇଁ ମତଦାନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos