କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୫୨୦ ନମ୍ୱର ଜାତୀୟ ରାଜପଥର ନାରଦପୁର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ବିଜେଡି ନେତା କୁଶ ଆପଟଙ୍କ ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଝିଅଙ୍କ ସମେତ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଯୋଡ଼ା ଟାଟା ଷ୍ଟିଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ବିଜେଡି ନେତା କୁଶ ଆପଟଙ୍କ ପରିବାର ଲୋକ ଏକ ଇନୋଭା କାର୍ରେ ଆଜି କେନ୍ଦୁଝର ଅଭିମୁଖେ ଯାଉଥିଲେ। ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଏନ୍ଏଚ୍-୫୨୦ର ନାରଦପୁର ନିକଟରେ ଇନୋଭାକୁ ବିପରୀତ ଦିଗରୁ ଆସୁଥିବା ହାଇୱା ଧକ୍କା ଦେଇଥିଲା। ଫଳରେ କାର୍ ଭିତରେ ଚାପି ହୋଇଯାଇଥିଲେ ଚାଳକ ଯୋଡ଼ା ହଟିଙ୍ଗ ଅଞ୍ଚଳର ପେନୁ ମହାକୁଡ଼। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯୋଡ଼ା ଟାଟାଷ୍ଟିଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଉଥିବା ଜଣାପଡ଼ିଛି।