ଟ୍ରକ୍‌କୁ ପଛରେ ପିଟିଲା କାର୍‌, ୮ ଗୁରୁତର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ସୋନପୁର ଜିଲ୍ଲାରୁ ପୁରୀ ଆସୁଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ। ହେଲେ ବାଟରେ ଘଟିଗଲା ଅଘଟଣ ।  ଡ୍ରାଇଭରର ଆଖି ଲାଗି ଯିବାରୁ ଘଟିଲା ଦୁର୍ଘଟଣା l ଏକ ଟ୍ରକ୍‌ ପଛ ପଟେ ଦ୍ରୁତ ଗତିରେ ଯାଉଥିବା କାର୍‌ଟି ପିଟି ହେଲା।  ଫଳରେ କାର୍‌ରେ ଥିବା ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଜାତୀୟ ରାଜପଥ ୫୭ ର ନୟାଗଡ ନୂଆଗାଁ ଥାନା ସୋରଡ଼ାଗାଁ ନିକଟରେ ଆଜି ଭୋରରୁ ଘଟିଛି। ସୋନପୁର ଜିଲ୍ଲାରୁ ପୁରୀ ଅଭିମୁଖେ ଯାଉଥିବା ଏକ  କାର୍‌ଟି ଟ୍ରକ ପଛପଟେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।

ସୋନପୁରର ହରିବନ୍ଧୁ ମେହେର ନିଜ  ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ l  ମାତ୍ର କାର୍‌ ଚାଳକଙ୍କ  ଆଖି ଲାଗି ଯିବାରୁ ନୂଆଗାଁ ଥାନା ସୋରଡା ନିକଟରେ ଏକ ଟ୍ରକ ଛିଡ଼ା ହୋଇଥିବା ବେଳେ ତା’ ପଛ ପଟେ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ପିଟି ହୋଇଯାଇଥିଲା।

ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଗୁରୁତରଙ୍କୁ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ସମସ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି l ସେପଟେ ଘଟଣା ସ୍ଥଳରେ ନୂଆଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।