ଗଣମାଧ୍ୟମକୁ ‘ଜ୍ଞାନୀ’ ଓ ‘ଦାୟିତ୍ୱବାନ’ର ପାଠ ପଢ଼ାଇଲେ ପୁଲିସ୍‌ କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଟ୍ରାଫିକ୍‌ ଜାମ୍‌ ଯୋଗୁ ଶିଶୁର ଜୀବନ ଯିବା ଅଭିଯୋଗ ଘଟଣାରେ କିଏ ସତ କହୁଛି? ସେଦିନ କ୍ୟାପିଟାଲ ହସ୍ପିଟାଲରୁ କିମ୍‌ସ ପହଞ୍ଚିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଲା ବୋଲି ମୃତ ଶିଶୁର ବାପା କହିଥିବା ବେଳେ ଆଜି କମିଶନରେଟ୍‌ ପୁଲିସ ଟ୍ୱିଟ କରି ସେଥିପାଇଁ ପ୍ରାୟ ୨୩ ମିନିଟ୍ ସମୟ ଲାଗିଥିବା ଲେଖିଛନ୍ତି। ଅନ୍ୟପକ୍ଷରେ ଟ୍ରାଫିକ୍‌ ବ୍ୟବସ୍ଥା ସୁଧାରିବା ପରିବର୍ତ୍ତେ ସମୟକୁ ନେଇ ପୁଲିସ କମିଶନର ଗଣମାଧ୍ୟମକୁ ‘ଜ୍ଞାନୀ’ ଓ ‘ଦାୟିତ୍ୱବାନ’ ହେବାକୁ […]

police

Manoranjan Sial
  • Published: Friday, 14 February 2020
  • , Updated: 14 February 2020, 10:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଟ୍ରାଫିକ୍‌ ଜାମ୍‌ ଯୋଗୁ ଶିଶୁର ଜୀବନ ଯିବା ଅଭିଯୋଗ ଘଟଣାରେ କିଏ ସତ କହୁଛି? ସେଦିନ କ୍ୟାପିଟାଲ ହସ୍ପିଟାଲରୁ କିମ୍‌ସ ପହଞ୍ଚିବାକୁ ଘଣ୍ଟାଏରୁ ଅଧିକ ସମୟ ଲାଗିଲା ବୋଲି ମୃତ ଶିଶୁର ବାପା କହିଥିବା ବେଳେ ଆଜି କମିଶନରେଟ୍‌ ପୁଲିସ ଟ୍ୱିଟ କରି ସେଥିପାଇଁ ପ୍ରାୟ ୨୩ ମିନିଟ୍ ସମୟ ଲାଗିଥିବା ଲେଖିଛନ୍ତି। ଅନ୍ୟପକ୍ଷରେ ଟ୍ରାଫିକ୍‌ ବ୍ୟବସ୍ଥା ସୁଧାରିବା ପରିବର୍ତ୍ତେ ସମୟକୁ ନେଇ ପୁଲିସ କମିଶନର ଗଣମାଧ୍ୟମକୁ ‘ଜ୍ଞାନୀ’ ଓ ‘ଦାୟିତ୍ୱବାନ’ ହେବାକୁ ପରାମର୍ଶ ଦେଇଛନ୍ତି।

ଟ୍ରାଫିକ୍‌ ଜାମ୍‌ ଯୋଗୁ ଆମ୍ବୁଲାନ୍ସରେ ଥିବା ଶିଶୁ ମୃତ୍ୟୁ ପ୍ରସଙ୍ଗରେ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ କହିଛନ୍ତି-“ଗଣମାଧ୍ୟମକୁ ଅଧିକ ଜ୍ଞାନୀ, ଜାଣିବା ଓ ଦାୟିତ୍ୱବାନ ହେବାକୁ ଆମେ ଉଦ୍ୟମ କରୁଛୁ। କାରଣ ସେମାନେ କିଛି ନ ବୁଝି କେତେବେଳେ କଣ କହୁଛନ୍ତି, ତାହା ଜଣାପଡ଼ୁନାହିଁ। ଏହାଦ୍ୱାରା ଜନମତ ବିଭ୍ରାନ୍ତ ହେଉଛି।”

ଭୁବନେଶ୍ୱର ଟ୍ରାଫିକ୍ ଟ୍ରାଜେଡି ଘଟଣାରେ ଆମ୍ବୁଲାନ୍ସକୁ ଲାଗିଥିଲା କେତେ ସମୟ? କିଏ ସତ କହୁଛି? ଶିଶୁର ବାପା, ନା କମିଶନରେଟ୍ ପୁଲିସ? ଅଘଟଣ ଦିନ ମୃତ ଶିଶୁର ବାପାଙ୍କ ଅଭିଯୋଗକୁ ଭୁଲ୍ ପ୍ରମାଣିତ କରିବାକୁ ଯାଇ ଏଭଳି ଫ୍ୟାକ୍ଟ ଚେକ କରିଛି କମିଶନରେଟ ପୁଲିସ। ଏପରି କି ଟ୍ୱିଟ୍‌ କରିଛି, ସିସିଟିଭି ଫୁଟେଜ ଅନୁସାରେ, ଆମ୍ବୁଲାନ୍ସ ଦିନ ୧୦ ଟା ୧ରେ ରାଜଭବନ ଛକ ଅତିକ୍ରମ କରିଥିଲା ଓ କିମ୍‌ସରେ ୧୦ ଟା ୨୪ରେ ପହଞ୍ଚିଥିଲା। ଅର୍ଥାତ୍ ରାଜଭବନ ଛକରୁ କିମ୍‌ସକୁ ଲାଗିଥିଲା ୨୨ ମିନିଟ ୩୮ ସେକେଣ୍ଡ ବୋଲି ଲେଖିଥିଲା କମିଶନରେଟ୍‌ ପୁଲିସ।

ତେବେ ଆଜି ମୃତ ଶିଶୁର ବାପା ନୀରଦ ନାୟକ ପୁଣି କହିଛନ୍ତି, ଟ୍ରାଫିକ ଜାମ ନେଇ ମୁଁ ଯାହା କହିଛି ଠିକ୍ କହିଛି। ମୋ ଜାଗାରେ ଯିଏ ଥିଲେ ବି ସେୟା କହିଥାନ୍ତା। ଏଥିସହ ସେ କ୍ୟାପିଟାଲ୍‌ ହସ୍ପିଟାଲ ଆଡ଼କୁ ମଧ୍ୟ ଆଙ୍ଗୁଳି ଉଠାଇଛନ୍ତି।

ନିଜ ୫ ବର୍ଷର ପୁଅକୁ ହରାଇଥିବା ମାଆର ଆଖିରୁ ଏବେ ବି ଲୁହ ଶୁଖିନଥିବା ବେଳେ, ପୁଲିସର ସମୟକୁ ନେଇ ସଫେଇ କଟା ଘା’ରେ ଚୂନ ଦେଲା ଭଳି ହୋଇଛି। ସେଦିନର ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଦିଶୁଛି ଯେ, ଲୋକେ ଆମ୍ବୁଲାନ୍ସକୁ ବାଟ ଛାଡ଼ୁନାହାନ୍ତି। ତେଣୁ ଆମ୍ବୁଲାନ୍ସର ରାସ୍ତା ସୁଗମ କରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନନେଇ, କମିଶନରେଟ୍ ପୁଲିସ ପ୍ରଥମେ ଲୋକଙ୍କୁ ଜାପାନୀ ପାଠ ପଢ଼ାଇବା ଏବଂ ପରେ ଏଭଳି ଫ୍ୟାକ୍ଟ ଚେକ କରିବାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏବେ ପ୍ରଶ୍ନ ଉଠୁଛି, କ୍ୟାପିଟାଲ ହସ୍ପିଟାଲରୁ ଗାଡ଼ିଟି କେତେବେଳେ ବାହାରିଥିଲା? ସେନେଇ କାହିଁକି ସ୍ପଷ୍ଟ କରାଯାଉନି?

Related story