ଅମୃତ ଯୋଜନାରେ ଓଡ଼ିଶାକୁ ମିଳିଛି ୮୮୫.୫୮ କୋଟି
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଟଳ ମିଶନ ‘ଅମୃତ’ ଯୋଜନା କେନ୍ଦ୍ର ସରକାର ଓଡ଼ିଶାକୁ ୨୦୧୫-୨୦ ବର୍ଷରେ ୮୮୫.୫୮ କୋଟି ପ୍ରଦାନ କରିଛନ୍ତି। ଏହି ଯୋଜନାରେ ଓଡ଼ିଶାକୁ ୧୯୧ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ୧୫୨ଟି ପ୍ରକଳ୍ପ ସମାପ୍ତ ହୋଇଛି। ଅବଶିଷ୍ଟ ୩୯ ପ୍ରକଳ୍ପର କାମ ଜାରି ରହିଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ।
Between 2015-20, a total of ₹885.58 crores was released by the Government of India to Odisha under the AMRUT scheme. 191 Projects under the scheme have been awarded thus far of which 152 projects have been completed and another 39 projects are under progress.
— Dharmendra Pradhan (@dpradhanbjp) October 13, 2020
ଅଟଳ ମିଶନ ‘ଅମୃତ’ ଯୋଜନା ମାଧ୍ୟମରେ ଓଡ଼ିଶାର ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, ରାଉରକେଲା ଓ ସମ୍ବଲପୁର ଭଳି ସହର ଗୁଡିକୁ ସାମିଲ କରାଯାଇଛି। ପାନୀୟ ଜଳ ଯୋଗାଣ, ସ୍ୱରେଜ ଓ ପରିମଳ ପରିଚାଳନା, ବର୍ଜ୍ୟ ଜଳ ନିଷ୍କାସନ, ସବୁଜ ପରିବେଶ, ପାର୍କ ଓ ଅଣ-ମୋଟର୍ ଚାଳିତ ସହରାଞ୍ଚଳ ପରିବହନ ଭଳି ମୌଳିକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ ଲେଖିଛନ୍ତି।
ସେ ଲେଖିଛନ୍ତି-“ରାଜ୍ୟ ବାର୍ଷିକ କାର୍ଯ୍ୟ ଯୋଜନା(ସାପ୍) ଅଧୀନରେ ଓଡ଼ିଶା ପାଇଁ ୧୫୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ‘ଅମୃତ’ ଯୋଜନା ମାଧ୍ୟମରେ ଓଡ଼ିଶାକୁ ୨୦୧୫-୨୦ ମଧ୍ୟରେ ୮୮୫.୫୮ କୋଟି ପ୍ରଦାନ କରିଛନ୍ତି। ସେଥିରୁ ଓଡ଼ିଶାକୁ ୧୯୧ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ସେଥିମଧ୍ୟରୁ ୧୫୨ଟି ପ୍ରକଳ୍ପ ସମାପ୍ତ ହୋଇଛି। ଅବଶିଷ୍ଟ ୩୯ ପ୍ରକଳ୍ପର କାମ ଜାରି ରହିଛି।”
ଶ୍ରୀ ପ୍ରଧାନ ଆହୁରି ଲେଖିଛନ୍ତି-“ଭୁବନେଶ୍ୱର ଓ ରାଉରକେଲାରେ ସ୍ମାର୍ଟ ସିଟି ମିଶନ ସହ ସ୍ୱୟଂଚାଳିତ ଜଳ ବିଶୋଧନ ପ୍ଲାଣ୍ଟ, ପାର୍କର ବିକାଶ, ଜରୁରୀକାଳୀନ ସୌରଚାଳିତ ପମ୍ପ ସ୍ଥାପନ ଭଳି ପ୍ରକଳ୍ପ ଲୋକଙ୍କ ଆକାଂକ୍ଷାକୁ ପୂରଣ କରୁଛି। ଏହା ଓଡ଼ିଶାରେ ସହରାଞ୍ଚଳ ବିକାଶ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।