ଜଗତସିଂହପୁର: ଗତକାଲି ଭୂପତିତ ହୋଇଥିବା ଦେବୀ ସୁଭଦ୍ରାଙ୍କ ଦାରୁର ଚଉପଟି କାମ ଆଜିଠୁ ଆରମ୍ଭ ହୋଇଯାଇଛି। ଆବଶ୍ୟକ ଅଂଶକୁ ବାଦ ଦେଇ ଦାରୁର ପତ୍ର ଓ ଅନ୍ୟ ଶାଖାଗୁଡ଼ିକୁ କାଟି ବଡ଼ ଗାତରେ ପକାଯାଉଛି। ଏଗୁଡ଼ିକୁ ପାତାଳି କରି ଦିଆଯିବ।
ଗତକାଲି ସନ୍ଧ୍ୟା ଠିକ୍ ୬ଟା ୩୧ ମିନିଟରେ ଜଗତସିଂହପୁର ଜିଲ୍ଲାର ଅଢ଼ଙ୍ଗଗଡ଼ରେ ଭୂପତିତ ହୋଇଥିଲେ ମା’ ସୁଭଦ୍ରାଙ୍କ ଦାରୁ। ସବୁ ପୂଜା କାର୍ଯ୍ୟ ସରିବା ପରେ ଅପରାହ୍ନ ପ୍ରାୟ ୪ଟା ବେଳେ ଆରମ୍ଭ ହୋଇଥିଲା ଦାରୁ ଛେଦନ କାର୍ଯ୍ୟ। ତେବେ ଶ୍ରୀସୁଦର୍ଶନ ଓ ବଡ଼ଠାକୁର ବଳଭଦ୍ରଙ୍କ ଦାରୁଙ୍କ ତୁଳନାରେ ଖୁବ୍ କମ୍ ସମୟରେ ଭୂପତିତ ହୋଇଥିଲେ ମା’ସୁଭଦ୍ରାଙ୍କ ଦାରୁ। ବଡ଼ଠାକୁର ବଳଭଦ୍ରଙ୍କ ଦାରୁଙ୍କୁ ଭୂପତିତ କରିବା ପାଇଁ ପ୍ରାୟ ଆଠ ଘଣ୍ଟା ଲାଗିଯାଇଥିଲା। କିନ୍ତୁ ମା’ସୁଭଦ୍ରାଙ୍କ ଦାରୁ ମାତ୍ର ଅଢ଼େଇ ଘଣ୍ଟାରେ ଭୂପତିତ ହୋଇଥିଲେ।
ମା’ ସୁଭଦ୍ରାଙ୍କ ଦାରୁ ଛେଦନ ପାଇଁ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିଲା ମହାଯଜ୍ଞ। ଶନିବାର ଅପରାହ୍ଣ ପ୍ରାୟ ସାଢ଼େ ତିନିଟାରେ ଶେଷ ହୋଇଥିଲା ମହାଯଜ୍ଞ। ମହାଯଜ୍ଞରେ ପୂର୍ଣ୍ଣାହୁତି ପଡ଼ିବା ପରେ ଦାରୁ ନିକଟରେ ସଂପନ୍ନ ହୋଇଥିଲା ଗୁପ୍ତପୂଜା। ଗୁପ୍ତପୂଜା ପରେ ଦାରୁଙ୍କୁ ପ୍ରଥମେ ସୁନା ଓ ରୁପା କୁରାଢ଼ି ସ୍ପର୍ଶ କରାଯାଇଥିଲା। ଏହାପରେ ମହାରଣା ସେବାୟତମାନେ ଲୁହା କୁରାଢ଼ି ଯୋଗେ ବୃକ୍ଷ ଛେଦନ କାର୍ଯ୍ୟ ଆରମ୍ଭ କରିଥିଲେ। ଦାରୁ ବୃକ୍ଷ ଛେଦନ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଲାଗିଥିଲା।
ଏପ୍ରିଲ ୨୮ ତାରିଖରେ ସୁଭଦ୍ରାଙ୍କ ଦାରୁ ସ୍ଥଳରେ ଆସି ପହଞ୍ଚିଥିଲା ଆଜ୍ଞାମାଳ। ଏପ୍ରିଲ ୩୦ ତାରିଖ ସକାଳେ ଭୂମିଶୋଧନ କାର୍ଯ୍ୟ କରାଯାଇଥିଲା। ସନ୍ଧ୍ୟାରେ ଅଙ୍କୁରାରୋପଣ ପରେ ସଂପନ୍ନ କରାଯାଇଥିଲା ଦିବ୍ୟଦାରୁଙ୍କ ମହାସ୍ନାନ ନୀତି। ଏହାପରେ ଗତକାଲି ମହାଯଜ୍ଞ ଆରମ୍ଭ ହୋଇଥିଲା।