ଧୋକ୍କାବାଜ ଏସ୍‌ଆଇ: ମହିଳାଙ୍କୁ ଗର୍ଭବତୀ କରି ଅନ୍ୟ ଜଣକୁ ବିବାହ ପାଇଁ ମସୁଧା!

ଖୋର୍ଦ୍ଧା (ବଳରାମ ଲେଙ୍କା): ଧୋକ୍କାବାଜ ପୁଲିସ୍‌ ଏସ୍‌ଆଇ। ନିଜ ବିବାହିତ ବାନ୍ଧବୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ କରୁଥିଲେ ମସୁଧା। ଏ ସମ୍ପର୍କ ବାନ୍ଧବୀ ଜାଣିପାରି ଥାନାରେ ଆଶ୍ରୟ ନେଇଛନ୍ତି। ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ପୁଲିସ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲାରୁ। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସଦର ଥାନା ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏବେ ବନ୍ଧବୀ ଗର୍ଭବତୀ।

ପୂରା ଘଟଣା ଏମିତି। ଟାଙ୍ଗି ଥାନା ଭୂଷଣ୍ଡପୁର ଫାଣ୍ଡିର ଏସ୍‌ଆଇ ହେଉଛନ୍ତି ଭାଗୀରଥି ଦାସ। ତାଙ୍କର ଥରେ ସହପାଠୀ ଭୋଜି ହୋଇଥିଲା। ସେଠାକୁ ଭାଗୀରଥିଙ୍କ ସବୁ ସାଙ୍ଗ ଆସିଥିଲେ। ସେହିଠାରେ ତାଙ୍କର ଜଣେ ବାନ୍ଧବୀଙ୍କ ସହ ଦେଖା ହୋଇଥିଲା। ଦେଖାଚାହା ପରେ ଉଭୟ ଫୋନ୍‌ ନମ୍ୱର ଦିଆନିଆଁ ହୋଇଥିଲେ। ତା’ପରେ ଏସ୍‌ଆଇ ମହାଶୟ ନିୟମିତି ବାନ୍ଧବୀଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। କଥାବାର୍ତ୍ତା ହେଉ ହେଉ ଉଭୟ ପରସ୍ପରକୁ ଭଲ ପାଇଥିଲେ। ବାନ୍ଧବୀ ଜଣକ ବିବାହିତ ଓ ଗୋଟିଏ ପିଲା ମାଆ ଜାଣି ମଧ୍ୟ ଭାଗୀରଥି ଭଲ ପାଉଥିଲେ। ଏପରିକି ସମ୍ପୃକ୍ତ ମହିଳା ନିଜ ପିଲା ସହ ରହୁଥିବା ଖୋର୍ଦ୍ଧାକୁ ଭାଗୀରଥି ଆସୁଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଭାଗୀରଥି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଯାହାଫଳରେ ମହିଳା ଜଣକ ଏବେ ଗର୍ଭବତୀ ହୋଇଛନ୍ତି।

ମହାମାରୀ କରୋନା କଟକଣା କୋହଳ ହେବା ପରେ ଭାଗୀରଥିଙ୍କ ବାହାଘର ଠିକ୍‌ କରିଥିଲେ ପରିବାର ଲୋକ। ବାହାଘର ପାଇଁ ନିର୍ବନ୍ଧ ମଧ୍ୟ ସରିଥିଲା। ଏ ସମ୍ପର୍କରେ ଭାଗୀରଥି ଭଲ ପାଉଥିବା ତାଙ୍କ ବାନ୍ଧବୀ ଜାଣିବାକୁ ପାଇଲେ। ପରେ ମହିଳା ଜଣକ ଭାଗୀରଥିଙ୍କ ସହିତ ବିବାହ ପାଇଁ ନିର୍ବନ୍ଧ ହୋଇଥିବା ଯୁବତୀଙ୍କ ସହ ଯୋଗାଯୋଗ କରିଥିଲେ। ଆଉ ନିଜ ସହ ଘଟିଥିବା ପୂରା କାହାଣୀ ତାଙ୍କୁ ଜଣାଇଥିଲେ।

ମହିଳା ଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ଖୋର୍ଦ୍ଧା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୪ ତାରିଖରେ ସଦର ଥାନା ପୁଲିସ ଭାଗୀରଥିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏସ୍‌ଆଇଙ୍କୁ ଚାକିରିରୁ ମଧ୍ୟ ସସ୍‌ପେଣ୍ଡ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।