‘ଓଡ଼ିଆଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ନିର୍ବାଚନୀ ସନ୍ଦେଶ ନଥିଲା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆ ଲୋକଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି ବୋଲି ବିଭିନ୍ନ ସ୍ତରରେ ଉଦବେଗ ପ୍ରକାଶ ପାଇବାପରେ ଆଜି ଓଡ଼ିଶା ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବାହାର ରାଜ୍ୟରେ ଅଟକିଥିବା ଓଡ଼ିଶାର ପୁଅଝିଅଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସନ୍ଦେଶ ନିର୍ବାଚନୀ ବାର୍ତ୍ତା ନଥିଲା ବରଂ ସମ୍ବିଧାନର ଦର୍ଶନ ଓ ମାନବିକତାର ଆହ୍ୱାନ ଥିଲା ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର […]

subrat-3

Manoranjan Sial
  • Published: Wednesday, 06 May 2020
  • , Updated: 06 May 2020, 07:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆ ଲୋକଙ୍କ ପାଇଁ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି ବୋଲି ବିଭିନ୍ନ ସ୍ତରରେ ଉଦବେଗ ପ୍ରକାଶ ପାଇବାପରେ ଆଜି ଓଡ଼ିଶା ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବାହାର ରାଜ୍ୟରେ ଅଟକିଥିବା ଓଡ଼ିଶାର ପୁଅଝିଅଙ୍କୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସନ୍ଦେଶ ନିର୍ବାଚନୀ ବାର୍ତ୍ତା ନଥିଲା ବରଂ ସମ୍ବିଧାନର ଦର୍ଶନ ଓ ମାନବିକତାର ଆହ୍ୱାନ ଥିଲା ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି।

ଆଜି ଗଣମାଧ୍ୟମକୁ ନିୟମିତ ବୁଲେଟିନ୍ ଜାରି କରି ଶ୍ରୀ ବାଗଚୀ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ରହିଥିବା ଓଡ଼ିଆଙ୍କୁ ଫେରାଇବା ଅଣାଯିବାକୁ ନେଇ କେତେକ ମଞ୍ଚରେ ଆଶଙ୍କା ଓ ଅସନ୍ତୋଷ ପ୍ରକାଶ ପାଇଛି। ସେହି ଫେରନ୍ତାଙ୍କ ପାଇଁ ରାଜ୍ୟର ଅନ୍ୟ ଲୋକମାନଙ୍କ ସ୍ଥିତି ବିପନ୍ନ ହେବ ବୋଲି ଉଦବେଗ ବ୍ୟକ୍ତ କରିଛନ୍ତି। ସେମାନେ ଯେଉଁଠାରେ ଅଛନ୍ତି ସେଠାରେ ରଖିବା ନିମନ୍ତେ ଦାବି କରୁଛନ୍ତି। ମାତ୍ର ସରକାର ସ୍ପଷ୍ଟ କରି ଦେବାକୁ ଚାହୁଁଛନ୍ତି ଯେ ପ୍ରତ୍ୟେକ ମଣିଷର ସାମ୍ବିଧାନିକ ଅଧିକାର ରହିଛି। ସମତା ଓ ସ୍ୱାଧୀନତା ସମସ୍ତଙ୍କର ମୌଳିକ ଅଧିକାର ମଧ୍ୟ। ସୁରତ ଫେରନ୍ତାଙ୍କ ଯୋଗୁ କେଉଁଠି ସଂକ୍ରମଣ ବଢ଼ିନାହିଁ। ତେଣୁ ଓଡ଼ିଶା ଫେରନ୍ତାଙ୍କୁ ସଂଶୟ ଦୃଷ୍ଟିରେ ଦେଖିବା ଓ ସେମାନଙ୍କ ପ୍ରତି ବୈମାତୃକ ଆଚରଣ ପୋଷଣ କରିବା ସମୀଚୀନ ନୁହେଁ। ସଭ୍ୟ ଦେଶରେ ନାଗରିକର ସବୁଠୁ ବଡ଼ ଅଧିକାର ହେଉଛି ମୌଳିକ ଅଧିକାର। ବିଶେଷକରି ବିପନ୍ନ ସ୍ଥିତିରେ ସମ୍ବଳ ନଥିବା ଲୋକ ପାଖରେ ଛିଡ଼ା ହେବା ସରକାରଙ୍କ ଦାୟିତ୍ୱ ମଧ୍ୟ। ତେଣୁ ଏହା ନ୍ୟାୟ ଅବା ଆଇନର କଥା ନୁହେଁ ବରଂ ଏହାକୁ ବିବେକ ଓ ମାନବିକତା ଦୃଷ୍ଟିରେ ଦେଖିବା ଉଚିତ୍।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ରାଜ୍ୟ ବାହାରେ ଥିବା ଓଡ଼ିଶାର ପୁଅଝିଅଙ୍କୁ ଫେରାଇ ଆଣିବାକୁ ଆହ୍ୱାନ ଦେଲେ ସେତେବେଳେ ତାହା ନିର୍ବାଚନୀ ସନ୍ଦେଶ ନଥିଲା ବରଂ ସମ୍ବିଧାନର ଦର୍ଶନ ଓ ମାନବିକତାର ଆହ୍ୱାନ ଥିଲା। ଏହା ଠିକ୍ ଯେ ଓଡ଼ିଶା ଫେରନ୍ତା କିଛି ହାତଗଣତି ବ୍ୟକ୍ତି ଅସଦାଚରଣ କରୁଛନ୍ତି ଓ ନୀତିନିୟମକୁ ଉଲ୍ଲଘଂନ କରୁଛନ୍ତି। ତଥାପି ଗତିଶୀଳ ପରିସ୍ଥିତିରେ ସାଧାରଣ ଲୋକ,ସମାଜ, ସରକାରର ତ୍ରୁଟିବିଚ୍ୟୁତି ରହିବ। ଯାହାକୁ ଲୋକଙ୍କ ସହଯୋଗରେ ସୁଧାରିବାକୁ ପ୍ରୟାସ କରାଯାଉଛି। ସରକାରଙ୍କର ଆତ୍ମବିଶ୍ୱାସ ରହିଛି ଓ ସମାଜ ଉପରେ ଭରସା ରହିଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାର ଅଭିଜ୍ଞତାକୁ ଆଧାର କରି ଏସବୁ ତ୍ରୁଟିବିଚ୍ୟୁତିକୁ ସୁଧାରି ବିପନ୍ନ ମଣିଷଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରାଯାଇପାରିବ ବୋଲି ଶ୍ରୀ ବାଗଚୀ କହିଛନ୍ତି।

ଏବେ ଚତୁର୍ଥ ପର୍ଯ୍ୟାୟ ସ୍ଥିତିର ମୁକାବିଲା କରିବାକୁ ପଡ଼ୁଛି। ପ୍ରଥମ ପର୍ଯ୍ୟାୟରେ ବିଦେଶ ଫେରନ୍ତା, ଦ୍ୱିତୀୟ ନିଜାମୁଦ୍ଦିନ ଓ ତୃତୀୟରେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ସଫଳତାର ସହ ମୁକାବିଲା କରାଯାଇଛି। ଏବେ ଆଗାମୀ ୪ ସପ୍ତାହରେ ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆଙ୍କ ପାଇଁ ହେବାକୁ ଥିବା ସ୍ଥିତିର ମୁକାବିଲା କରିବାକୁ ପଡ଼ିବ। ଜନସାଧାରଣଙ୍କ ସହଯୋଗରେ ସରକାର ଏହି ପର୍ଯ୍ୟାୟରେ ସଫଳ ହେବେ ବୋଲି ଆଶାବାଦୀ ଥିବା କହିଛନ୍ତି।

ଶ୍ରୀ ବାଗଚୀ କହିଛନ୍ତି ଯେ, ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୪୭୪୫୪ଟି ନମୂନା ପରୀକ୍ଷା ହୋଇଥିଲା। ଏବେସୁଦ୍ଧା ମୋଟ ୧୮୫ଜଣ ରୋଗୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୧ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଥିବାବେଳେ ୨ଜଣଙ୍କର ମୃତ୍ୟୁ ଘଟିଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ଏବେ ୧୨୨ରେ ରହିଛି। ୨୩୪ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଆଇସୋଲେସନରେ ରହିଛନ୍ତି।

Related story