ଟାୟାର ଭିତରେ ଲୁଚିଥିଲା କୁନିଝିଅ, ମାଡ଼ିଗଲା ବୁଲ୍‌ଡୋଜର

ସୋର (ଓଡ଼ିଶା ରିପୋର୍ଟର): ମାଆର ମାଡ଼ରୁ ବର୍ତ୍ତିବା ପାଇଁ ଟାୟାର ଭିତରେ ଲୁଚିଯାଇଥିଲା କୁନି ଝିଅଟି। କିନ୍ତୁ ଜାଣିନଥିଲା ସେଠାରେ ଲୁଚି ରହିଥିଲା ମୃତ୍ୟୁ। ମାଆର ଛାଟ ପଡିବା ପୂର୍ବରୁ ତା’ ଉପରେ ଚଢ଼ିଗଲା ବୁଲ୍‌ଡୋଜର। ଆଉ କ୍ଷଣକ ଭିତରେ ଅଫେରା ରାଇଜକୁ ଚାଲିଗଲା କୁନି ଝିଅ ଆଶା। ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।

ସୋର ଥାନା ଆଙ୍ଗୁଳା ଗାଁର କଣ୍ଢେଇ ବିନ୍ଧାଣୀଙ୍କ ୮ ବର୍ଷର ଝିଅ ଆଶା ଗୁରୁବାର ଦି’ ପ୍ରହରରେ ଖାଇବା ସମୟରେ ଅଝଟ କରିଥିଲା। ତାକୁ ତା’ ମା’ ଚାପୁଡେ ମାରିଥିଲେ। ଅଧିନ ମାଡ଼ ଭୟରେ ଆଶା ଘର ପାର୍ଶ୍ୱ ଦୁର୍ଗାଦେବୀ କ୍ରସରରେ ରଖାଯାଇଥିବା ଟ୍ରାକ୍ଟର ଟାୟାର ଭିତରେ ଲୁଚି ଯାଇଥିଲା।

ଦୁର୍ଭାଗ୍ୟକୁ ସେହି ସମୟରେ ଏକ ବୁଲ୍‌ଡୋଜର ମେସିନ ସେହି ଟାୟାର ଉପରେ ଚଢ଼ି ଯାଇଥିଲା। ଆଉ ତା’ପରେ ଚାପି ହୋଇ ଆଶାର ପ୍ରାଣବାୟୁ ଉଡି ଯାଇଥିଲା। ଖବର ପାଇ ସୋର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।