ରାୟଗଡ଼ା(ମନୋଜ ପାତ୍ର): ସ୍କୁଲରେ ଆଡ୍ମିଶନ୍ ସାରି ଫେରୁଥିଲେ। ହେଲେ ଘରେ ପହଞ୍ଚିବା ପୂର୍ବରୁ ପିଟିଦେଲା ଟ୍ରକ୍। ଘଟଣାସ୍ଥଳରେ ୫ ବର୍ଷର ଝିଅର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଆଜି ସକାଳେ ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ମଝିଘରିଆଣି ମନ୍ଦିର ବ୍ରିଜ ନିକଟରେ ଘଟିଛି।
ଆଜି ଥିଲା ସୋମବାର। ସକାଳୁ ସକାଳୁ ବୈରାଗୀ ହାଲୁଆ ପଞ୍ଚାୟତ ଉମରବାଲି ଗାଁର ସନ୍ତୋଷ ତାଡିଙ୍ଗି ଓ ରାଇସିଙ୍ଗ ତାଡିଙ୍ଗି ନିଜ ଦୁଇ ଝିଅଙ୍କୁ ମାଲିଙ୍ଗା ଆଶ୍ରମ ସ୍କୁଲରେ ଆଡ୍ମିଶନ୍ କରିବା ପାଇଁ ସ୍କୁଟିରେ ନେଇ ଯାଇଥିଲେ। ସ୍କୁଲରେ ଆଡ୍ମିଶନ୍ ସାରି ସ୍କୁଟିରେ ଘରକୁ ଫେରୁଥିଲେ। ସ୍କୁଲରେ ଆଡ୍ମିଶନ୍ ହୋଇଥିବାରୁ ସମସ୍ତେ ବେଶ୍ ଖୁସି ଥିଲେ।
ତେବେ ମଝିଘରିଆଣୀ ମନ୍ଦିର ବ୍ରିଜ୍ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୫ ବର୍ଷର ଝିଅ ଇନ୍ଦୁ ତାଡିଙ୍ଗୀଙ୍କ ମୃତ୍ୟୁ ଘଟିଥିଲା। ତେବେ ସନ୍ତୋଷ, ରାଇସିଙ୍ଗ ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।
ରାୟଗଡା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକକୁ ଅଟକ ରଖିଥିବା ବେଳେ ଟ୍ରକ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।