ପୁଣି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ମହାଗର୍ଜନ: ସବୁ ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ ଆଜି ସତ୍ୟାଗ୍ରହ ଆରମ୍ଭ କରିଛନ୍ତି। ଟଙ୍କା ଫେରି ପାଇବା ସହ ଛୋଟ ବଡ଼ ସବୁ ଜମାକାରୀଙ୍କୁ ତୁରନ୍ତ ଚିହ୍ନଟ ପାଇଁ ଜମାକାରୀ ମିଳିତ ମଞ୍ଚ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ଚିଟ୍‌ଫଣ୍ଡ ଦୁର୍ନୀତିକୁ ନେଇ ଶ୍ୱେତପତ୍ର ପ୍ରକାଶ କରିବେ ବୋଲି ରାଜ୍ୟ ସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆଜି ସକାଳେ ଭୁବନେଶ୍ୱରର ଷ୍ଟେସନ୍‌ରେ ହଜାର ହଜାର […]

jamakari

Manoranjan Sial
  • Published: Tuesday, 19 February 2019
  • , Updated: 19 February 2019, 09:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ ଆଜି ସତ୍ୟାଗ୍ରହ ଆରମ୍ଭ କରିଛନ୍ତି। ଟଙ୍କା ଫେରି ପାଇବା ସହ ଛୋଟ ବଡ଼ ସବୁ ଜମାକାରୀଙ୍କୁ ତୁରନ୍ତ ଚିହ୍ନଟ ପାଇଁ ଜମାକାରୀ ମିଳିତ ମଞ୍ଚ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ଚିଟ୍‌ଫଣ୍ଡ ଦୁର୍ନୀତିକୁ ନେଇ ଶ୍ୱେତପତ୍ର ପ୍ରକାଶ କରିବେ ବୋଲି ରାଜ୍ୟ ସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଆଜି ସକାଳେ ଭୁବନେଶ୍ୱରର ଷ୍ଟେସନ୍‌ରେ ହଜାର ହଜାର ଜମାକାରୀ ପହଞ୍ଚିଥିଲେ। ପରେ ସେମାନେ ଏକ ବିରାଟ ଶୋଭାଯାତ୍ରାରେ ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ଆଉ ତା’ପରେ ସେଠାରେ ଆରମ୍ଭ ହୋଇଥିଲା ସାଧାରଣ ସଭା। ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରି ନଥିବାରୁ ବିଷ ଓଗାଳିଥିଲା ଜମାକାରୀ ମିଳିତ ମଞ୍ଚ।

ଜୀବନର ସବୁ ପୁଞ୍ଜି ହରାଇଥିବା ଜମାକାରୀ ଉଭୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଥିଲେ। ଯେଉଁଥିରେ ଉଲ୍ଲେଖ ରହିଛି, ତହସିଲ ମାଧ୍ୟମରେ ଯୁଦ୍ଧ କାଳୀନ ଭିତ୍ତିରେ ଛୋଟବଡ଼ ସବୁ ଜମାକାରୀଙ୍କୁ ଚିହ୍ନଟ କରାଯାଉ ଏବଂ କୋର୍ଟ ଓ କମିଶନଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଜମାକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଟଙ୍କା ଫେରାଯାଉ। ଏହାଛଡ଼ା ଚିଟ୍‌ଫଣ୍ଡ୍‌ ସଂସ୍ଥାର ସଂପତ୍ତି ଜବତ ହୋଇ କେତେ ଟଙ୍କା ଆଦାୟ ହୋଇଛି, ତାହାର ଶ୍ୱେତପତ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରକାଶ କରନ୍ତୁ।

୨୦୧୪ ନିର୍ବାଚନ ପୂର୍ବରୁ କ୍ଷତିଗ୍ରସ୍ତଙ୍କୁ କର୍ପସ୍‌ ଫଣ୍ଡରୁ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ନିର୍ବାଚନୀ ସଭାରେ ଘୋଷଣା କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ। ଏହି ଘୋଷଣାର ୫ ବର୍ଷ ପରେ ମଧ୍ୟ ସରକାରୀ ସୂଚନା ଅନୁସାରେ ମାତ୍ର ୧୦ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି। ତାହା ପୁଣି ୧୦ ହଜାର ଟଙ୍କାରୁ କମ ଟଙ୍କା ରଖିଥିବା କ୍ଷୁଦ୍ର ଜମାକାରୀ। ଏପଟେ ଜମାକାରୀ ଚିହ୍ନଟ ଓ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ନେଇ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ।

ପିସିସି ମିଡ଼ିଆ ସେଲ୍‌ ମୁଖ୍ୟ ସତ୍ୟ ପ୍ରକାଶ ନାୟକ କହିଛନ୍ତି-“ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା କର୍ପସ ଫଣ୍ଡ କରିଥିଲେ। ସେଥିରୁ କେତେ ପଇସା କାହାକୁ ଦେଇଛନ୍ତି, ତାହା ଜଣାନ୍ତୁ। ଯଦି ରାଜ୍ୟ ସରକାର ଜଣାଇ ପାରିବେ ନାହିଁ, ତାହାହେଲେ ଖବର କାଗଜରେ ବଡ଼ ବଡ଼ ବିଜ୍ଞାପନ ଜରିଆରେ ଜଣାଇ ଦିଅନ୍ତୁ। ଆମେ ସେହି ବିଜ୍ଞାପନ ଦେଖି ଜାଣିପାରିବୁ।”

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, “କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର କର୍ପସ ଫଣ୍ଡ କରିଥିଲେ। ସେଥିରୁ କିଛି ପଇସା ରାଜ୍ୟ ସରକାର ଫେରାଇ ନାହାନ୍ତି। ସେଥିପାଇଁ ଆନ୍ଦୋଳନ କରୁଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଆମେ ସମର୍ଥନ କରୁଛୁ।”

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି-“ଚିଟ୍‌ଫଣ୍ଡ କମିଶନଙ୍କ ରିପୋର୍ଟ ଅନୁସାରେ ଆମେ କ୍ଷତିଗ୍ରସ୍ତଙ୍କୁ ପଇସା ଫେରାଇବା ଆରମ୍ଭ କରିଛୁ।”

ଚିଟ୍‌ଫଣ୍ଡରେ ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଚିହ୍ନଟ ପାଇଁ ତଦନ୍ତ କମିଶନଙ୍କ କାର୍ଯ୍ୟାଳୟକୁ ଆସିଥିବା ପ୍ରାୟ ସାଢ଼େ ୧୪ ଲକ୍ଷ ଆବେଦନ ଭିତରୁ ମାତ୍ର ୩ ଲକ୍ଷ ୬୨ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ସବୁ ଆବେଦନକୁ ଯାଞ୍ଚ କରି କେବଳ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ ପାଇଁ ଆହୁରି ୨ରୁ ୩ ବର୍ଷ ଲାଗିବ ବୋଲି ସ୍ୱୟଂ କମିଶନ ନିକଟରେ କହିଥିଲେ।

ଶ୍ୱେତପତ୍ର ପ୍ରକାଶ କରିବେ ରାଜ୍ୟ ସରକାର

ଚିଟ୍‌ଫଣ୍ଡ ଦୁର୍ନୀତିକୁ ନେଇ ଶ୍ୱେତପତ୍ର ପ୍ରକାଶ କରିବେ ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ରାଜି ଥିବା ସୂଚନା ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ। କ୍ଷତିଗ୍ରସ୍ତ ଜମାକାରୀଙ୍କ ସତ୍ୟାଗ୍ରହକୁ ନେଇ ଏକ ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ଏଥିରେ କେତେ କମ୍ପାନୀ ସଂପୃକ୍ତ, କେତେ ସଂପତ୍ତି ସିଜ୍ ହୋଇଛି, କେତେ ଟଙ୍କା ଆଦାୟ ହୋଇଛି ଓ କେତେ ଗଚ୍ଛିତ ଅଛି ସେ ତଥ୍ୟ ଶ୍ୱେତପତ୍ରରେ ରହିବ।

ସେହିଭଳି କେବଳ କ୍ଷୁଦ୍ର ନୁହେଁ, ସମସ୍ତ କ୍ଷତିଗ୍ରସ୍ତ ଚିଟଫଣ୍ଡ୍ ଜମାକାରୀଙ୍କୁ ଚିହ୍ନଟ କରାଯିବ ଓ ଏଥିପାଇଁ ଆସନ୍ତା ୨୨ରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯିବ ବୋଲି ସୌମ୍ୟରଞ୍ଜନ ସୂଚନା ଦେଇଛନ୍ତି।

ତେବେ ମଞ୍ଚ ଉପଦେଷ୍ଟା କହିଛନ୍ତି ଏଥିରୁ କିଛି ସୁଫଳ ମିଳିବା ଆଶା ନାହିଁ।

Related story