ସରକାରଙ୍କ ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ଏଡିଏମ୍ ବା କ୍ଷମତାପ୍ରାପ୍ତ ଅଧିକାରୀଙ୍କ ପାଖରେ ଆବେଦନ କରିବାକୁ ଜମାକାରୀଙ୍କୁ କୁହାଯାଇଥିଲା। ତେବେ ଏ ପ୍ରକ୍ରିୟା ଆରମ୍ଭ ହୋଇପାରୁନାହିଁ କାରଣ ଏଥିରେ କିଛି ଦ୍ୱନ୍ଦ୍ୱ ଦେଖାଯାଇଛି। ଆବେଦନ ଫର୍ମାଟ୍ର ୫ ନମ୍ବରରେ ଜମାକାରୀମାନଙ୍କୁ କେଉଁ ଚିଟ୍ଫଣ୍ଡ୍ ସଂସ୍ଥାରେ କେଉଁ ତାରିଖରେ କେତେ ଟଙ୍କା ଜମା ରଖିଛନ୍ତି ଓ କେତେ ଟଙ୍କା ପାଇଛନ୍ତି ତା’ର ତଥ୍ୟ ରଖିବାକୁ କୁହାଯାଇଛି। ଏ ସଂପର୍କିତ ସବୁ ରସିଦ ଦାଖଲ କରିବାକୁ କୁହାଯାଇଛି। ଆଉ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କାରଣ ଜଣେ ଜମାକାରୀଙ୍କ ପାଖରେ ଶତାଧିକ ରସିଦ୍ ଥିଲେ ଅନ୍ଲାଇନ୍ରେ ସେଗୁଡ଼ିକୁ ଅପ୍ଲୋଡ୍ କରିବାରେ ସମସ୍ୟା ସୃଷ୍ଟି ହୋଇପାରେ। ମାର୍ଚ୍ଚ ୧୫ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସରକାର ପୂର୍ବରୁ କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ ଓ କେବେଠାରୁ ଆରମ୍ଭ ହେବ ସେ ନେଇ ସରକାର ସ୍ପଷ୍ଟ ସୂଚନା ଦେଇ ପାରୁ ନାହାନ୍ତି।
ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି,“କ୍ଷୁଦ୍ର ଓ ସଠିକ୍ ଜମାକାରୀମାନେ କିପରି ତାଙ୍କର ଅର୍ଥ ଫେରି ପାଇବେ ସେ ନେଇ ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି।”
ଏପର୍ଯ୍ୟନ୍ତ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବା ବେଳେ ସେମାନେ କେବେ ଟଙ୍କା ଫେରିପାଇବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଉପଦେଷ୍ଟା ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି,“ଜମାକାରୀମାନଙ୍କ ଚିହ୍ନଟ ପ୍ରକ୍ରିୟା ରାଜସ୍ୱ ବିଭାଗ ମାଧ୍ୟମରେ ଗାଁ ଗାଁ ବୁଲି କରିବାକୁ ଆମେ ଦାବି କରିଥିଲୁ। ଯେମିତି ବାତ୍ୟା ବେଳେ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଉଛି ସେମିତି ଜମାକାରୀଙ୍କୁ ଚିହ୍ନଟ କରାଯାଉ। ତା’ହେଲେ ସରକାର ଜାଣିପାରିବେ ସମସ୍ୟାଟି କେତେ ବଡ଼, ସମସ୍ୟାର ସମାଧାନ କରିବା ନେଇ କ’ଣ କରିପାରିବେ ଓ କ’ଣ ନ କରିପାରିବେ ଅବା କେତେ ଟଙ୍କା ଦରକାର। କିନ୍ତୁ ବିଛା ମନ୍ତ୍ର ନ ଜାଣି ସରକାର ଗାତରେ ହାତ ପୂରାଇ ଦେଇଛନ୍ତି।”
ଚିଟ୍ଫଣ୍ଡ୍ ଠକେଇରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟଙ୍କା ଫେରସ୍ତ କରିବା ପାଇଁ ୨୦୧୫ ଏପ୍ରିଲ୍ ୨୮ରେ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ୩୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡ୍ ମଧ୍ୟ ଗଠନ କରାଯାଇଥିଲା। ଜମାକାରୀ ସ୍ୱାର୍ଥ ସୁରକ୍ଷା ଆଇନରେ କିଛି ସଂଶୋଧନ ଆଣିବା ପ୍ରସ୍ତାବକୁ ବି କ୍ୟାବିନେଟ୍ ଅନୁମୋଦନ କରିଥିଲା।