କଂଗ୍ରେସ ଭବନରେ ବୁଦ୍ଧିଜୀବୀ ସମ୍ମିଳନୀ: ‘ଗାନ୍ଧିବାଦ ବିରୁଦ୍ଧରେ ଚାଲିଛି ଷଡ଼ଯନ୍ତ୍ର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ପୂର୍ବାହ୍ନରେ କଂଗ୍ରେସ ଭବନ ଠାରେ ଏକ ବୁଦ୍ଧିଜୀବୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଗତ କିଛିବର୍ଷ ହେବ ଭାରତବର୍ଷରେ ଗାନ୍ଧିବାଦ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଚାଲିଛି ବୋଲି ଏହି ସମ୍ମିଳନୀରେ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଥିଲେ। ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଗାନ୍ଧି ବିଚାର ଆଜି ଅଛି, […]

5432

Tapas Behera
  • Published: Friday, 04 October 2019
  • , Updated: 04 October 2019, 07:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ପୂର୍ବାହ୍ନରେ କଂଗ୍ରେସ ଭବନ ଠାରେ ଏକ ବୁଦ୍ଧିଜୀବୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଗତ କିଛିବର୍ଷ ହେବ ଭାରତବର୍ଷରେ ଗାନ୍ଧିବାଦ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଚାଲିଛି ବୋଲି ଏହି ସମ୍ମିଳନୀରେ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଥିଲେ।
ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡ଼ିଶା ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଗାନ୍ଧି ବିଚାର ଆଜି ଅଛି, କାଲିକି ମଧ୍ୟ ରହିବ ବୋଲି କହିଛନ୍ତି। ସେ କହିଥିଲେ ଯେ, ଗାନ୍ଧିଜୀଙ୍କର ମୃତ୍ୟୁ ହୋଇଛି ସତ କିନ୍ତୁ ଗାନ୍ଧୀ ବିଚାରର ମୃତ୍ୟୁ ହୋଇପାରିବ ନାହିଁ। ଯୁବପିଢୀଙ୍କୁ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ କରାଇବାକୁ କଂଗ୍ରେସ ଦଳ ଆଗାମୀ ଦିନରେ ଠୋସ୍ କାର୍ଯ୍ୟକ୍ରମ ନେବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ ସତ୍ୟ ଓ ଅହିଂସାକୁ ଭଗବାନ ଭାବେ ଗାନ୍ଧୀ ଗ୍ରହଣ କରିଥିଲେ। ସମାଜରେ ଗାନ୍ଧୀ ବିଚାରର ପ୍ରଚାର ଯେତେ ତୀବ୍ରତର ହେବ, ସମାଜରୁ କୁସଂସ୍କାର, ଭ୍ରଷ୍ଟାଚାର, ଅତ୍ୟାଚାର, ଅନୀତି, ଦୁର୍ନୀତି ହଟାଇବାରେ ତାହା ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ବିଶିଷ୍ଟ ସାମ୍ବାଦିକ ରବି ଦାସ, ସ୍ତମ୍ଭକାର ତୁଷାରକାନ୍ତ, ପୂର୍ବତନ କୁଳପତି ଟି. ବାରିକ ପ୍ରମୁଖ ଉଦ୍ବୋଧନ ଦେଇ କହିଥିଲେ ଯେ ଗାନ୍ଧିବାଦ ବିରୁଦ୍ଧରେ ଗତ କିଛିବର୍ଷ ହେବ ଭାରତବର୍ଷରେ ଏକ ଷଡ଼ଯନ୍ତ୍ର ଚାଲିଛି। ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଭାରତବର୍ଷର ସେତେବେଳର ପରିସ୍ଥିତିକୁ ନେଇ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ । କିନ୍ତୁ ବର୍ତମାନ ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ଜାରି ହୋଇଛି । ସମସ୍ତ ସମ୍ବାଦପତ୍ର, ବୈଦ୍ୟୁତିକ ଗଣମାଧ୍ୟମକୁ କେନ୍ଦ୍ର ସରକାର ନିଜ ସୁବିଧା ଅନୁଯାୟୀ ପ୍ରୟୋଗ କରୁଛନ୍ତି। କଂଗ୍ରେସ ଦଳ ସାଧାରଣ ଜନତାଙ୍କ ଦଳ । ସାଧାରଣ ଜନତାର ସ୍ୱର ସହ ସ୍ୱର ମିଳାଇବା ଏହା କଂଗ୍ରେସ ଦଳର କାର୍ଯ୍ୟକ୍ରମ। ଦେଶରେ ଯେଉଁ ଅର୍ଥନୈତିକ ମାନ୍ଦାବସ୍ଥା ଦେଖା ଦେଇଛି ସେଥିପାଇଁ ବିମୁଦ୍ରାୟନ ଯେ ଦାୟୀ ଏହାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ ବୋଲି ବକ୍ତାମାନେ ଦୃଢତାର ସହ କହିଥିଲେ।

କାର୍ଯ୍ୟକ୍ରମକୁ ଆବାହକ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସଂଯୋଜନା କରିବା ସହ ସ୍ୱାଗତଭାଷଣ ଦେଇ କହିଲେ ଯେ ଭାରତବର୍ଷରେ ସବୁଠାରୁ ବିଚିତ୍ରତା ହେଉଛି ଭାରତବର୍ଷର ସ୍ୱାଧିନତା ସଂଗ୍ରାମରେ ବିନ୍ଦୁଏ ରକ୍ତ ଦେଇନଥିବା ଦଳ ଏବେ ଭାରତବର୍ଷର ଜନତାଙ୍କ ନୀତି ନିର୍ଦ୍ଧାରଣ କରୁଛି। ଆଉ ଭାଷଣବାଜିରେ ସରକାର ଚାଲିଛି।
ସଭାର ପ୍ରାରମ୍ଭରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ଫୁଲମାଳ ଦିଆଯିବା ପରେ ବାବା ବୈକୁଣ୍ଠନାଥ ସାଂସ୍କୃତିକ ପରିଷଦ ଦ୍ୱାରା ‘ବୈଷ୍ଣବ ଜନତୋ ତେନ କହିଏ' ଭଜନ ପରିବେଷଣ କରାଯାଇଥିଲା। ଏହି ଅବସରରେ ଡ. ଜ୍ଞାନେନ୍ଦ୍ରଙ୍କ ଦ୍ୱାରା ସଂକଳିତ ‘ଗାନ୍ଧୀ ଭଗବାନ' ପୁସ୍ତିକାକୁ ଜିତେନ୍ଦ୍ର ସିଂ ଉନ୍ମୋଚନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଏଆଇସିସି ସଂପାଦକ ଜି. ରୁଦ୍ରରାଜୁ, ମସ୍ତାନ ଭାଲି ଓ ଅନିଲ ଚୌଧୁରୀଙ୍କ ସମେତ କଂଗ୍ରେସର ବହୁ ନେତା ଓ ରାଜ୍ୟର ବହୁ ଓକିଲ, ଡାକ୍ତର, କବି, ଲେଖକ, ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

Related story