ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆଜି ଥିଲା ରଙ୍ଗର ପର୍ବ ହୋଲି। ଚାରିଆଡେ ଭାଇଚାରାର ପର୍ବ ହୋଲିର ଧୁମରେ ମସଗୁଲ୍ ଥିଲେ ସମସ୍ତେ। ଏମିତି ସମୟରେ କିନ୍ତୁ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବରଗାଁରେ ରକ୍ତର ହୋଲି ଖେଲିଲେ ବେହେରା ପରିବାର। ଫଳରେ ବୁଡେକ ପରିବାରର ଜଣକର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇଛନ୍ତି।
ଦୀର୍ଘଦିନ ହେଲା ଧନୁ ବୁଡେକ ଓ ସୁଶାନ୍ତ ବେହେରାଙ୍କର ପରିବାର ଭିତରେ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ବିବାଦ ଉଗ୍ରରୂପ ଧାରଣ କରିଥିଲା। ବେହେରା ପରିବାରର ଲୋକମାନେ ଟାଙ୍ଗିଆରେ ଧନୁ ବୁଡେଲଙ୍କୁ ଆକ୍ରମଣ କରିବାକୁ ଆସିଥିଲେ। ଧନୁଙ୍କୁ ଚୋଟ ପରେ ଚୋଟ ପକାଇଥିଲେ। ସ୍ୱାମୀଙ୍କୁ ବଞ୍ଚାଇବାକୁ ଆସି ଧନୁ ବୁଡେକଙ୍କ ସ୍ତ୍ରୀ ଲକ୍ଷ୍ମୀ ଆକ୍ରମଣର ଶିକାର ହୋଇଥିଲେ। ପରେ ବାପା ଓ ମାଆଙ୍କୁ ରକ୍ଷା କରିବାକୁ ଆସି ଦୁଇ ଝିଅ ରଜନୀ ଓ ସଜନ୍ତା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ବେହେରା ପରିବାର ଲୋକେ ରକ୍ତର ହୋଲି ଖେଳି ସାରିବା ପରେ ଫେରାର ହୋଇଯାଇଛନ୍ତି।
ଗାଁ ଲୋକେ ଗୁରୁତର ଅବସ୍ଥାରେ ଧନୁ ବୁଡେକ, ତାଙ୍କ ସ୍ତ୍ରୀ ଓ ଦୁଇଝିଅଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ହେଲେ ସେତେବେଳକୁ ଧନୁ ବୁଡେକଙ୍କ ମୃତ୍ୟୁ ହୋଇ ସାରିଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଧନୁଙ୍କ ସ୍ତ୍ରୀ ଲକ୍ଷ୍ମୀ ବୁଡେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି।
ମୃତ ଧନୁଙ୍କ ଦୁଇ ଝିଅଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି। ଏହାକୁ ନେଇ ବରଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ଦେଓଗାଁ ଥାନା ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।