ନାବାଳିକା ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ନିଜ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି: ନରସିଂହ

ଭୁବନେଶ୍ୱର: ଗୃହରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଗଣ ଦୁଷ୍କର୍ମ ମାମଲାର ତାତି। କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହ ଅଚଳ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ପୁଣି ଥରେ ଗୃହରେ ଉଠାଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ଏହାସହ ଏହି ମାମଲାକୁ ନେଇ ନରସିଂହ ମୁଖ୍ୟମନ୍ତ୍ରୀଙ୍କୁ ସିଧସଳଖ ଟାର୍ଗେଟ କରିଛନ୍ତି। ଗୃହରେ ପ୍ରସଙ୍ଗ ଉଠାଇ ନରସିଂହ କହିଥିଲେ,“ସାରା ଦେଶ ପାଇଁ ଏହା ଲଜ୍ଜା। ଏଭଳି ଘଟଣା ଦିଲ୍ଲୀରେ ହୋଇଥିଲେ ହଇଚଇ […]

narsinha

Rakesh Mallick
  • Published: Friday, 31 March 2017
  • , Updated: 31 March 2017, 03:22 PM IST

ଭୁବନେଶ୍ୱର: ଗୃହରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଗଣ ଦୁଷ୍କର୍ମ ମାମଲାର ତାତି। କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ବିରୋଧୀଙ୍କ ହୋହାଲ୍ଲା ଯୋଗୁଁ ଗୃହ ଅଚଳ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ପୁଣି ଥରେ ଗୃହରେ ଉଠାଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ଏହାସହ ଏହି ମାମଲାକୁ ନେଇ ନରସିଂହ ମୁଖ୍ୟମନ୍ତ୍ରୀଙ୍କୁ ସିଧସଳଖ ଟାର୍ଗେଟ କରିଛନ୍ତି।

ଗୃହରେ ପ୍ରସଙ୍ଗ ଉଠାଇ ନରସିଂହ କହିଥିଲେ,“ସାରା ଦେଶ ପାଇଁ ଏହା ଲଜ୍ଜା। ଏଭଳି ଘଟଣା ଦିଲ୍ଲୀରେ ହୋଇଥିଲେ ହଇଚଇ ହୋଇଥାନ୍ତି। ହେଲେ ଏଠାରେ ମୁଖ୍ୟମନ୍ତ୍ରୀ ଦଳୀୟ ଲୋକଙ୍କୁ ସୁରକ୍ଷା ଦେବାକୁ ଚୁପ ହୋଇ ବସିଛନ୍ତି।”

ଡାକ୍ତରୀ ରିପୋର୍ଟରେ ଗଣ ଦୁଷ୍କର୍ମର ଆଭାସ ରହିଥିବା ନରସିଂହ କହିଛନ୍ତି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ଦାବିରେ ବିରୋଧୀ କଂଗ୍ରେସ ଓ ବିଜେପି କର୍ମୀମାନେ ଆସନରେ ଛିଡା ହୋଇ ହୋହାଲ୍ଲା କରିବାରୁ ବାଚସ୍ପତି ଗୃହକୁ ଏକ ଘଣ୍ଟା ପାଇଁ ମୁଲତବି କରିଦେଇଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି,“ଏ ରାଜ୍ୟରେ ଆଦିବାସୀ ମହିଳାମାନେ ସୁରକ୍ଷିତ ନୁହନ୍ତି। ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ମାମଲାକୁ ବିରୋଧୀ ଦଳ ନେତା ଦୁଇଥର ଗୃହରେ ଉଠାଇଲେଣି। ହେଲେ ମୁଖ୍ୟମନ୍ତ୍ରୀ ଏହା ଉପରେ ଉତ୍ତର ରଖୁନାହାନ୍ତି। ଯୁବତୀ ଜଣଙ୍କ ନିଜେ କହିଛନ୍ତି ୭ଦିନ ଧରି ୪ରୁ ୫ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଅଭିଯୋଗ କରିବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରିନାହିଁ। ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଚୁପ ହୋଇ ବସିଛନ୍ତି। ସେ ଉତ୍ତର ନ ରଖିବା ପର୍ଯ୍ୟନ୍ତ ଗୃହ ଚାଲିବାକୁ ଦିଆଯିବ ନାହିଁ।”

ବିଜେପି ବିଧାୟକ ରବି ନାଏକ କହିଛନ୍ତି,“ନାବାଳିକାଙ୍କ ବାପା କଂଗ୍ରେସ ସମର୍ଥୀତ ସରପଞ୍ଚ ପ୍ରାର୍ଥୀଙ୍କୁ ପଞ୍ଚାୟତ ନିର୍ବାଚନରେ ସମର୍ଥନ କରିବାକୁ ବିଜେଡିର ୩ ଜଣ ଯୁବକ ତାଙ୍କୁ ଅପହରଣ କରି ଜଙ୍ଗଲରେ ରଖି ୭ ଦିନ ଦୁଷ୍କର୍ମ କରିଛନ୍ତି। ଏହି ଘଟଣା ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରିଥିବା ଗଞ୍ଜାମ ଜିଲ୍ଲାରେ ଘଟିଛି। ଆମେ ଦାବି କରୁଛୁ ମୁଖ୍ୟମନ୍ତ୍ରୀ ଗୃହରେ ଏ ନେଇ ଉତ୍ତର ରଖୁନ୍ତୁ।”

ତେବେ ଗଣଦୁଷ୍କର୍ମ ଅଭିଯୋଗକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ପୀଡିତାଙ୍କୁ ୧୭ ବର୍ଷ ଓ ସେ ଶିବ ମନ୍ଦିରରେ ବିବାହ କରିଛନ୍ତି। ବାହା ହୋଇଥିବା ଯୁବକ ଜଣଙ୍କ ତାଙ୍କୁ ଜଙ୍ଗଲରେ ଲୁଚାଇ ରଖିଥିଲା। ଯୁବତୀଙ୍କୁ ଛାଡି ଏବେ ସେ କୁଆଡେ ପଳାଇଯାଇଛି। ଏ ସମ୍ପର୍କରେ ଯୁବତୀ ଜଣଙ୍କ ଜିଲ୍ଲା ଜଜ୍‌ଙ୍କ ନିକଟରେ ବୟାନ ଦେଇଛନ୍ତି। ସମ୍ପୃକ୍ତ ଯୁବକଙ୍କୁ ଖୋଜା ଚାଲିଛି। ଏହା ଗଣ ଦୁଷ୍କର୍ମ ନୁହେଁ, ବିରୋଧୀଙ୍କ ଅଭିଯୋଗ ମିଛ। ମାମଲାରେ ଯିଏ ଦୋଷୀ, ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ବିଜେଡି ମୁଖପାତ୍ର କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“ଏହା ଏକ ସମ୍ବେଦନଶୀଳ ଘଟଣା। ପୀଡ଼ିତା ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ନାବାଳିକା ମଧ୍ୟ। ତାକୁ ନେଇ ରାଜନୀତି କରିବାକୁ କଂଗ୍ରେସ ପ୍ରୟାସ କରୁଥିବା ବେଳେ ବିଜେପି ସମର୍ଥନ ଜଣାଇଛି। ଏହା ଏକ ଆଦିବାସୀ ଝିଅର ମର୍ଯ୍ୟାଦାର ବିଷୟ। ବିଜେଡି ଏଥିପାଇଁ ଯତ୍ନବାନ ଅଛି। ଜଣେ ଏସ୍‌ଡିପିଓଙ୍କ ନେତୃତ୍ୱରେ ଏହାର ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଯିଏ ବି ଦୋଷୀ ତାକୁ ନିଶ୍ଚିତ ଦଣ୍ଡିତ କରାଯିବ। ଜଣେ ନାବାଳିକା ଆଦିବାସୀ ଯୁବତୀଙ୍କୁ ନେଇ ରାଜନୀତି କରାଯିବା ଠିକ ନୁହେଁ।”

Related story