ଓଡ଼ିଶାରେ ନିତି ଆୟୋଗଙ୍କ ଟିମ୍, ପୁଣି ଉଠିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଯୋଗ ଦେବାକୁ ଆନୁଷ୍ଠାନିକ ଆମନ୍ତ୍ରଣ କରିଛନ୍ତି । ଏହି ଅବସରରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉପସ୍ଥାପିତ ହୋଇଛି ।
ନିତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ ବେରୀ ଓ ସଦସ୍ୟ ଡଃ ବି କେ ପଲଙ୍କ ସହ ନିତି ଆୟୋଗର ବରିଷ୍ଠ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରସ୍ଥିତ ୱାଲର୍ଡ ସ୍କିଲ ସେଂଟର, ମହିଳା ଏସଏଚଜିଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପିପିଲିଠାରେ ଥିବା ୱେଲନେସ୍ ସେଂଟର, ଫାଇଭ-ଟିରେ ରୂପାନ୍ତରିତ ହାଇସ୍କୁଲ ଓ ଓଡ଼ିଶା କ୍ରାଫ୍ଟ ମ୍ୟୁଜିୟମ ‘କଳାଭୂମି’ ବୁଲି ଦେଖିଥିଲେ । ଏହାସହିତ ଲୋକସେବା ଭବନର କନଭେନସନ ସେଂଟରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା ଓ ବିଭିନ୍ନ ବିଭାଗର ସଚିବମାନଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀ ଜେନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପାୱାର ପଏଂଟ ପ୍ରେଜେଣ୍ଟେସନ ଦିଆଯାଇଥିଲା । ପଂଚାୟତିରାଜ, ପାନୀୟ ଜଳ ସଚିବ ଏ କେ ମୀନା ଓ ଅର୍ଥ ବିଭାଗର ସଚିବ ବିଶାଳ ଦେବ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ ।
ନିତି ଆୟୋଗ ଉପାଧ୍ୟକ୍ଷ ଓ ସଦସ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟର ସଫଳତାକୁ ମଧ୍ୟ ପ୍ରଶଂସା କରିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ଦର୍ଶାଯାଇଛି । ସନ୍ଧ୍ୟାରେ ନିତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓ ସଦସ୍ୟ ଶ୍ରୀ ପଲ୍ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆସନ୍ତା ୭ତାରିଖରେ ଦିଲ୍ଲୀରେ ହେବାକୁ ଥିବା ନିତି ଆୟୋଗ ପରିଚାଳନା ପରିଷଦ ବୈଠକକୁ ଆମନ୍ତ୍ରଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟରେ ରେଳବାଇ, ଟେଲିକମ୍ ଓ ବ୍ୟାଙ୍କିଂ ଭିତ୍ତିଭୂମିକୁ ନେଇ ଦୀର୍ଘଦିନର ଦାବି ସମ୍ପର୍କରେ ସମ୍ୟକ ଦାବି ଉପସ୍ଥାପନ କରିଥିଲେ । ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିସ୍ତୃତ ଦାବି ରଖାଯିବ ବୋଲି ସେ କହିଥିଲେ । ଏହାସହିତ ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଓଡ଼ିଶାକୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି ଉପସ୍ଥାପନ କରିଥିଲେ ।
It was a pleasure meeting @NITIAayog's Vice Chairman Shri @suman_bery and member Dr. V K Paul. Highlighted #Odisha’s long standing demands relating to railways, telecom and banking in rural areas, our constant demand for special category status in view of frequent disasters. pic.twitter.com/ylahmVj2xl
— Naveen Patnaik (@Naveen_Odisha) July 28, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।