୩ ମାସ ପରେ ସିଏମଓକୁ ଆସିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ଡାକିଲେନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ରୋଗୀ ଚିହ୍ନଟ ହେବାପରଠୁ ନବୀନ ନିବାସରେ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମଥର ପାଇଁ ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟକୁ ଆସିଛନ୍ତି। ରଥଯାତ୍ରା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ‘ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗ’ର ସ୍ୱତନ୍ତ୍ର ରଥଯାତ୍ରା ସଂସ୍କରଣକୁ ଲୋକସେବା ଭବନରେ ଉନ୍ମୋଚନ କରିଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ କିମ୍ବା କୌଣସି ଅଫିସରଙ୍କୁ ଦେଖିବାକୁ ମିଳିନଥିଲା। ରଥଯାତ୍ରା ଯୋଗୁ ଆଜି ସରକାରୀ ଛୁଟି ଦିନ ଥିବାସତ୍ତ୍ୱେ […]

naveen-patnik

Tapas Behera
  • Published: Tuesday, 23 June 2020
  • , Updated: 23 June 2020, 10:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ରୋଗୀ ଚିହ୍ନଟ ହେବାପରଠୁ ନବୀନ ନିବାସରେ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମଥର ପାଇଁ ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟକୁ ଆସିଛନ୍ତି। ରଥଯାତ୍ରା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ‘ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗ’ର ସ୍ୱତନ୍ତ୍ର ରଥଯାତ୍ରା ସଂସ୍କରଣକୁ ଲୋକସେବା ଭବନରେ ଉନ୍ମୋଚନ କରିଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ କିମ୍ବା କୌଣସି ଅଫିସରଙ୍କୁ ଦେଖିବାକୁ ମିଳିନଥିଲା। ରଥଯାତ୍ରା ଯୋଗୁ ଆଜି ସରକାରୀ ଛୁଟି ଦିନ ଥିବାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୀର୍ଘ ୩ମାସ ପରେ ଲୋକସେବା ଭବନସ୍ଥିତ ନିଜ କାର୍ଯ୍ୟାଳୟକୁ ଆସିବା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ମାର୍ଚ୍ଚ ୧୫ତାରିଖରେ ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରଠୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନବୀନ ନିବାସରୁ ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିଲେ। ସେବେଠୁ ଲୋକସେବା ଭବନସ୍ଥିତ ମୁଖ୍ୟମନ୍ତ୍ରୀ ନିଜର କାର୍ଯ୍ୟାଳୟ(ସିଏମଓ)କୁ ଆସୁନଥିଲେ କିମ୍ବା କୌଣସି ସରକାରୀ ଅଫିସର ଓ ଦଳୀୟ ନେତାମାନଙ୍କୁ ମଧ୍ୟ ଭେଟୁନଥିଲେ। ତେବେ ଆଜି ଦିନ ପ୍ରାୟ ୧୧ଟା ୨୦ମିନିଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲୋକସେବା ଭବନ ଆସିଥିଲେ  ଓ ସ୍ୱଳ୍ପ ସମୟ ରହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଆସିବା ପୂର୍ବରୁ ଲିଫ୍ଟଠୁ ଆରମ୍ଭ କରି ତାଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳକୁ ଭଲ ଭାବେ ସାନିଟାଇଜ୍ କରାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସ୍ ଚାମ୍ବର ମଧ୍ୟରେ ରଥଯାତ୍ରାର ସିଧା ପ୍ରସାରଣ ଦେଖିବା ସହ ସେଠାରେ ‘ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ’ର ଉନ୍ମୋଚନ କରିଥିଲେ। ପ୍ରତ୍ୟେକବର୍ଷ ରଥଯାତ୍ରାରେ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଏହି ଦୁଇ ପତ୍ରିକାର ରଥଯାତ୍ରା ସଂସ୍କରଣକୁ ସରକାରୀ ପଦାଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥାନ୍ତି। ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁରୀ ରଥଯାତ୍ରାରେ ସାମିଲ ହୋଇନଥିବାବେଳେ ଏହି ପତ୍ରିକାକୁ ଲୋକସେବା ଭବନସ୍ଥିତ ନିଜ ଅଫିସ ଚାମ୍ବରରୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ‘ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ’ର ସମ୍ପାଦକ ଲେନିନ୍ ମହାନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ।

ତେବେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିୟମିତ ପ୍ରକାଶ ପାଉଥିବା ଏହି ଦୁଇ ପୁସ୍ତକର ରଥଯାତ୍ରା ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବାବେଳେ ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ବି ଦେଖିବାକୁ ମିଳିନଥିଲା। ବିଭାଗୀୟ ଅଧିକାରୀମାନେ ରଥଯାତ୍ରା ପାଇଁ ପୁରୀ ଯାଇଥିବାବେଳେ ମନ୍ତ୍ରୀ ଶ୍ରୀ ଦାସ ନିଜ ଘରେ ରହିଥିବା ଜଣାପଡ଼ିଛି।

ତେବେ ପ୍ରାୟ ୩ମାସ ପରେ ରଥଯାତ୍ରା ଦିନ ଲୋକସେବା ଭବନକୁ ମୁଖ୍ୟମନ୍ତ୍ରୀ ଆସିଥିବାରୁ ଏଣିକି ନିୟମିତ ଭାବେ ସେ ପୂର୍ବଭଳି ସିଏମଓକୁ ଆସିବେ ବୋଲି ସୂଚନା ମିଳିଛି। ଅବଶ୍ୟ ପଞ୍ଚମ ପାଳି ସରକାର ଗଠନ ହେବାପରଠୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିୟମିତ ସିଏମଓ ଆସୁନାହାନ୍ତି। ରାଜ୍ୟରେ କରୋନା ରୋଗୀ ଚିହ୍ନଟ ହେବାପରଠୁ  ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ରହିଥିଲେ ମଧ୍ୟ ସାମୁଦ୍ରିକ ଝଡ଼ ‘ଅମ୍ଫାନ’ କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆକାଶମାର୍ଗରୁ କ୍ଷୟକ୍ଷତି ଆକଳନ କରିବା ଓ ବିମାନ ବନ୍ଦରରେ ବୈଠକ କରିବାକୁ ପଛାଇ ନଥିଲେ।

Related story