ଅଧୁରା ରହିଗଲା ବିଜୁଙ୍କ ସ୍ୱପ୍ନ, ଏବେ ନବୀନଙ୍କ ସ୍ୱପ୍ନ?

ଭୁବନେଶ୍ୱର(ପ୍ରକାଶ ସେଠୀ): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଗଢ଼ା ଯାଇଥିବା ବିଜୁ ଜନତା ଦଳ (ବିଜେଡି) ନିଜର ଏନ୍ତୁଡ଼ିଶାଳରୁ ମାର୍କେଟିଂ କରୁଥିବା ‘ବିଜୁବାବୁଙ୍କ ସ୍ୱପ୍ନ’ରୁ ଏବେ ଦଳର ସୁପ୍ରିମୋ ‘ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ’ ପୂରଣ ପର୍ଯ୍ୟନ୍ତ ମାର୍ଗକୁ ଅତିକ୍ରମ କରିସାରିଲାଣି। ବିଶେଷକରି ପୁରୀ ମନ୍ଦିର ଓ କଟକ ବଡ଼ମେଡ଼ିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସ୍ୱପ୍ନ ଦେଖିଥିବା କଥା ନବୀନ ଗଣମାଧ୍ୟମକୁ କହି ସହଯୋଗ ଲୋଡ଼ିବା ପରେ ‘ବିଜୁଙ୍କ ସ୍ୱପ୍ନ’ରୁ ‘ନବୀନଙ୍କ ସ୍ୱପ୍ନ’ ଦେଖିବାର ଅବଧିକୁ ବିଜେଡି କେତେ […]

naveeeeee

Manoranjan Sial
  • Published: Thursday, 07 November 2019
  • , Updated: 08 November 2019, 02:47 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଗଢ଼ା ଯାଇଥିବା ବିଜୁ ଜନତା ଦଳ (ବିଜେଡି) ନିଜର ଏନ୍ତୁଡ଼ିଶାଳରୁ ମାର୍କେଟିଂ କରୁଥିବା ‘ବିଜୁବାବୁଙ୍କ ସ୍ୱପ୍ନ’ରୁ ଏବେ ଦଳର ସୁପ୍ରିମୋ ‘ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ’ ପୂରଣ ପର୍ଯ୍ୟନ୍ତ ମାର୍ଗକୁ ଅତିକ୍ରମ କରିସାରିଲାଣି। ବିଶେଷକରି ପୁରୀ ମନ୍ଦିର ଓ କଟକ ବଡ଼ମେଡ଼ିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ସ୍ୱପ୍ନ ଦେଖିଥିବା କଥା ନବୀନ ଗଣମାଧ୍ୟମକୁ କହି ସହଯୋଗ ଲୋଡ଼ିବା ପରେ ‘ବିଜୁଙ୍କ ସ୍ୱପ୍ନ’ରୁ ‘ନବୀନଙ୍କ ସ୍ୱପ୍ନ’ ଦେଖିବାର ଅବଧିକୁ ବିଜେଡି କେତେ ତ୍ୱରିତ୍ ଗତିରେ ଅତିକ୍ରମ କରିଛି, ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା।

ସୂଚନା ଅନୁସାରେ, ଗତକାଲି କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ପାଇଁ ରାଜ୍ୟ ସରକାର ହଜାରେ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ ସକାଳେ ବଡ଼ ମେଡିକାଲ ଗସ୍ତ କରିବାର ୧୨ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଜାରେ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମାଗଣା ଚିକିତ୍ସା ଓ ‘ମୋ ସରକାର’ ସତ୍ତେ୍ୱ ମାନବ ସମ୍ବଳ ଓ ଭିତ୍ତିଭୂମି ଅଭାବରୁ କଟକ ବଡ଼ମେଡିକାଲରେ ଚିକିତ୍ସା ସେବା ପାଇଁ ରୋଗୀଟିଏ କିଭଳି ଦୟନୀୟ ହେଉଛି ତାହା ଆଖିରେ ଦେଖିଥିଲେ ହୁଏତ ‘ଫାଇଭ-ଟି’ ସଚିବ ଅନୁଭବ କରିପାରିଥାନ୍ତେ। ବଡ଼ ମେଡିକାଲରେ ମାନବସମ୍ବଳ, ଚିକିତ୍ସା ଉପକରଣ, ରୋଗୀଙ୍କ ଚିିକିତ୍ସା ସେବାର ବିପର୍ଯ୍ୟସ୍ତ ସ୍ଥିତିର ତ୍ୱରିତ୍ ସମାଧାନର ଆବଶ୍ୟକତା  ପ୍ରତି ବି ଫାଇଭ-ଟି ସଚିବ ଆଖିବୁଜି ଦେଇଛନ୍ତି।

ଅନ୍ୟପକ୍ଷରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୦୧୩ ମାର୍ଚ୍ଚ ୫ତାରିଖରେ ନିଜ ପିତା ତଥା ବିଜୁ ପଟ୍ଟନାୟକଙ୍କ ୯୭ତମ ଜନ୍ମ ଜୟନ୍ତୀରେ ଦଳୀୟ କର୍ମୀମାନଙ୍କୁ ବିଜୁବାବୁଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ। ତେବେ ୟା’ଭିତରେ ‘ବିଜୁବାବୁଙ୍କ ସ୍ୱପ୍ନ’ କେବେ ପୂରଣ ହୋଇଗଲା ତାକୁ କିଭଳି ରାଜ୍ୟବାସୀ ଅନୁଭବ କରିପାରିଲେନି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି। ଯଦିଓ ବିଜୁବାବୁଙ୍କ କ’ଣ ସ୍ୱପ୍ନ ଥିଲା ତା’ର ଖବର ରାଜ୍ୟ ସରକାରଙ୍କ ପାଖରେ ନାହିଁ ବୋଲି ଆନୁଷ୍ଠାନିକ ଭାବେ ଖୋଦ୍ ସରକାର ସ୍ୱୀକାର କରିସାରିଛନ୍ତି। ମାତ୍ର ବିଜୁବାବୁଙ୍କ ସ୍ୱପ୍ନ କଥା ନାଁ କହି ଓଡ଼ିଶାବାସୀଙ୍କ ଆସ୍ଥା ଜିଣିଥିବା ଓ ନିର୍ବାଚନୀ ସଫଳତା ପାଇଥିବା ବିଜେଡି ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୨୦୧୩ ମାର୍ଚ୍ଚ ୫ରେ ନିଜର କର୍ମୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଯଦି ଲୋକମାନେ ଏକଜୁଟ ହୋଇ ମହାନ ନେତା ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କାର୍ଯ୍ୟ କରିବ, ତା’ହେଲେ ଓଡ଼ିଶା ବିକାଶ ପଥରେ ଆଗେଇପାରିବ। ସେ ଓଡ଼ିଶାର କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ସମୃଦ୍ଧ କରିବାକୁ ଚାହୁଁଥିଲେ। ବିଜେଡି ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଅନବରତ କାର୍ଯ୍ୟ କରିଚାଲିଛି।

୨୦୧୬ ଜୁଲାଇ ମାସରେ ଏକ ସମ୍ବାଦପତ୍ରକୁ ସାକ୍ଷାତାକାର ଦେଇ ନବୀନ କହିଥିଲେ ଯେ, ‘ବିଜୁବାବୁଙ୍କ ସାରା ଜୀବନ ଓଡ଼ିଶା ଲୋକଙ୍କ ସାମାଜିକ ଓ ଅର୍ଥନୀତିକ ବିକାଶ ପାଇଁ ଉର୍ତ୍ସଗୀକୃତ ଥିଲା। ସେ ପ୍ରତ୍ୟେକ ଓଡ଼ିଆଙ୍କ ସ୍ୱାଭିମାନ ପାଇଁ ଲଢ଼େଇ କରୁଥିଲେ।

ତେବେ ପ୍ରଶ୍ନ ଉଠୁଛି, ୨୦୧୭ ମସିହାରେ ବରଗଡ଼ ଜିଲ୍ଲାରେ ଜଳସେଚନ ସୁବିଧା ପାଇଁ  ୧୨୫୦କୋଟି ଟଙ୍କାର ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ ଘୋଷଣା କରିଥିବା ରାଜ୍ୟ ସରକାର ଏପର୍ଯ୍ୟନ୍ତ ସେଥିନିମନ୍ତେ ୩୦ ପ୍ରତିଶତ ଅର୍ଥବରାଦ କରିବାରେ ସକ୍ଷମ ହୋଇନଥିବାବେଳେ କଟକ ବଡ଼ମେଡିକାଲ ପାଇଁ ହଜାରେ କୋଟି ଟଙ୍କା ଘୋଷଣାକୁ କେତେଦିନରେ ପୂରଣ କରିବେ। ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ’ଣ ରାଜ୍ୟର ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର କଟକ ବଡ଼ମେଡିକାଲର ବିପର୍ଯ୍ୟସ୍ତ ସ୍ଥିତି କଥା ୨୦ବର୍ଷ ପରେ ଜାଣିବାକୁ ପାଇଲେ? ଏହାକୁ ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ କେବେ ସ୍ୱପ୍ନ ଦେଖିଥିଲେ ତାହା ଗତକାଲି ସେ କହିବାପରେ ହିଁ ଜଣାପଡ଼ିଲା। ତେବେ ଏହି ଘୋଷଣା ଗଙ୍ଗାଧର ମେହେର ଯୋଜନା ଭଳି ଘୋଷଣାରେ ରହିଯିବନି ତ?
ବିଜୁବାବୁଙ୍କ ସ୍ୱପ୍ନ ଓଡ଼ିଆଙ୍କ ସ୍ୱାଭିମାନ, ଶିଳ୍ପସମୃଦ୍ଧ ଓଡ଼ିଶା ଓ ଗରିବଙ୍କ ବିକାଶ ଆଦି କ୍ଷେତ୍ରରେ ଓଡ଼ିଶା ଓ ଓଡ଼ିଆଙ୍କ ସ୍ଥିତି କ’ଣ ତାହା ଜଳଜଳ ଜଣାପଡ଼ୁଛି।
ରାଜ୍ୟର ଉନ୍ନତି ପାଇଁ ସ୍ୱପ୍ନ ଦେଖିବା ଭଲ କିନ୍ତୁ ପୂର୍ବରୁ ବିଜୁବାବୁ ଓ ଏବେ ନବୀନବାବୁଙ୍କ ସ୍ୱପ୍ନ ଦେଖିବା ନାଁରେ ବିଜେଡି ଯେଭଳି ସୋଶାଲ ମିଡିଆରେ ମାର୍କେଟିଂ କରୁଛି ତାହା ଏବେ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related story