ଏନ୍‌ଟିପିସିରେ କୋଇଲା ସଙ୍କଟ, ବିଦ୍ୟୁତ୍‌ ଉତ୍ପାଦନରେ ବାଧା ଆଶଙ୍କା

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ ସ୍ଥିତ NTPCରେ ଉତ୍କଟ ହେବାରେ ଲାଗିଛି କୋଇଲା ସଙ୍କଟ।  ଯାହାର ପ୍ରଭାବ ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନ ଉପରେ ପଡ଼ିବା ନେଇ ଦେଖାଦେଇଛି ଆଶଙ୍କା। NTPCର ୩ହଜାର ମେଗାୱାଟ୍‌ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପାଇଁ ଦୈନିକ ପ୍ରାୟ ୫୫ ହଜାର ମେଟ୍ରିକ ଟନ୍ କୋଇଲାର ଆବଶ୍ୟକ ହେଉଛି। ହେଲେ NTPCକୁ ମିଳୁଛି ଆବଶ୍ୟକତାଠାରୁ ଯଥେଷ୍ଟ କମ୍ ଅର୍ଥାତ୍ ପ୍ରାୟ ୪୦ହଜାର ମେଟ୍ରିକ ଟନ୍ କୋଇଲା।

ଫଳରେ NTPCର ୩ ହଜାର ମେଗାୱାଟ୍ କ୍ଷମତା ବିଶିଷ୍ଟ ପ୍ଲାଣ୍ଟର ୬ଟି ୟୁନିଟ୍ ଚଳାଇବା ପାଇଁ ଷ୍ଟକ୍‌ୟାର୍ଡରେ ଗଚ୍ଛିତ ଥିବା କୋଇଲାକୁ ବ୍ୟବହାର କରାଯାଉଛି। ତେଣୁ ବିଦ୍ୟୁତ୍‌ ଉତ୍ପାଦନ ପ୍ରଭାବିତ ନେଇ ଆଶଙ୍କା ଦେଖାଦେଇଛି। ଏହାଯୋଗୁଁ ଓଡ଼ିଶା ସମେତ ବିହାର, ଝାଡଖଣ୍ଡ, ଆନ୍ଧ୍ର ଓ କର୍ଣ୍ଣାଟକ ଭଳି ବିଭିନ୍ନ ରାଜ୍ୟକୁ ବିଦ୍ୟୁତ୍‌ ପରିବହନ ମଧ୍ୟ ପ୍ରଭାବିତ ହୋଇପାରେ।