ମାଲକାନଗିରି (ଜିତେନ୍ଦ୍ର ବେଉରା): ଥାନାରେ ଅଟକ ଅଛନ୍ତି ଦୁଇ ଗଞ୍ଜା। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତକଥା। ଆଜି ଏପରି ରୋଚକ ଖବର ଆସିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରିରୁ। ମାଲିକ ପଳାଇ ଯିବାରୁ ଗଞ୍ଜାକୁ ଉଠାଇ ଆଣି ଥାନାରେ ଅଟକ ରଖିଛି ପୁଲିସ୍। ମାଲିକ ଆସିଲେ ଗଞ୍ଜା ଫେରାଇବ ବୋଲି ପୁଲିସ୍ କହୁଛି। ତା’ହେଲେ କାହିଁକି ଗଞ୍ଜା ଦୁଇଟିକୁ ନେଇ ଆସିଲା।
ପ୍ରକୃତ କଥା ହେଉଛି ମାଲକାନଗିରି ସଦର ମହକୁମା ଦୁମାଲିଗୁଡା ହାଟରେ ବୁଧବାର ଚାଲିଥିଲା କୁକୁଡ଼ା ଲଢ଼େଇ। କୌଣସି ସୂତ୍ରରୁ ଖବର ପାଇଁ ପୁଲିସ୍ ଅଚାନକ ସେଠାରେ ପହଞ୍ଚିଥିଲା। ଆଉ ପୁଲିସ୍କୁ ଦେଖି କୁକୁଡା ଲଢେଇରେ ସାମିଲ ଥିବା ଲୋକମାନେ ଚମ୍ପଟ ମାରିଥିଲେ। ପୁଲିସ୍ କିନ୍ତୁ ଗୋଡ଼ାଇ ଗୋଡ଼ାଇ ୪ ଜଣଙ୍କ ଧରିଥିଲା। ସେମାନଙ୍କଠାରୁ ନଗଦ ୪ ହଜାର ଟଙ୍କା ଓ କୁକୁଡା ଲଢ଼େଇରେ ବ୍ୟବହାର ହେଉଛି ଛୁରୀକୁ ଜବତ କରିଥିଲା। ଘଟଣା ସ୍ଥଳରୁ ଦୁଇଟି ଗଞ୍ଜାକୁ ମଧ୍ୟ ଧରିଥିଲା।
ଗଞ୍ଜା ମାଲିକମାନେ ଚମ୍ପଟ ମାରିଥିବାରୁ ଦୁଇ କୁକୁଡ଼ାକୁ ଧରି ଥାନାକୁ ଆଣିଥିଲା ପୁଲିସ୍। ଇତି ମଧ୍ୟରେ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଗଲାଣି। ହେଲେ ଗଞ୍ଜା ମାଲିକ ଥାନାକୁ ଆସୁନାହାନ୍ତି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛି ପୁଲିସ୍। ଥାନାରେ ଥିବା ଗଞ୍ଜା ଦୁଇଟିକୁ ପାଳିବାକୁ ଦେବା ପାଇଁ ବ୍ୟବସ୍ଥା କରାଯାଉଥିବା ପୁଲିସ୍ କହିଛି। ଅନ୍ୟପକ୍ଷରେ କୁକୁଡ଼ା ଲଢ଼େଇ ସ୍ଥାନରୁ ଗିରଫ ହୋଇଥିବା ୪ ଅଭିଯୁକ୍ତକୁ ପୁଲିସ୍ କୋର୍ଟ ଚାଲାଣ କରିଛି।
ସୂଚନାରୁ ପ୍ରକାଶ, ଧାନ ଅମଳ ସମୟ ଆରମ୍ଭ ହେଲେ ପରମ୍ପରା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସ୍ଥାନରେ କୁକୁଡା ଲଢ଼େଇ ହେଉଛି। ଏହାକୁ ଜୁଆ ଖେଳ ବୋଲି ମଧ୍ୟ କୁହାଯାଉଛି। ବାରଣ ସତ୍ତ୍ୱେ ଲୋକମାନେ ଲୋକମାନେ ଏହି ଜୁଆ ଖେଳରେ ମାତୁଛନ୍ତି। ଯେଉଁଥିପାଇଁ ପୁଲିସ୍ ଚଢ଼ଉ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।