ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗତକାଲି ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଥିବା ବେଳେ ଆଜି ଏହି ସଂଖ୍ୟା ୨୧ ଛୁଇଁଛି। ଏକାଥରେ ୧୭ ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାଯାଇଛି। ଜିଲ୍ଲାରେ ଦ୍ରୁତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାକୁ ଦୃଷ୍ଟିରେ ରଖି ଏହାକୁ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।
ଗଞ୍ଜାମ ଜିଲ୍ଲାବାସୀଙ୍କୁ ସ୍ଥାନୀୟ କ୍ୱାରେଣ୍ଟାଇନ୍ କେନ୍ଦ୍ର ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। କ୍ୱାରେଣ୍ଟାଇନ୍ କେନ୍ଦ୍ର ଆଡ଼କୁ ନ ଯିବାକୁ ଲୋକଙ୍କୁ ନିବେଦନ କଲେ ଖୋଦ ଜିଲ୍ଲାପାଳ।
ଜିଲ୍ଲାପାଳ କହିଛନ୍ତି, ପ୍ରବାସୀମାନେ ହଟ୍ସ୍ପଟ୍ ଅଞ୍ଚଳରୁ ଆସୁଛନ୍ତି, ସେମାନଙ୍କ ଯତ୍ନ ନିଆଯାଉଛି। କ୍ୱାରେଣ୍ଟାଇନ୍ ସେଣ୍ଟରକୁ କେବଳ ପ୍ରାଧିକୃତ ଅଧିକାରୀଙ୍କୁ ଯିବାକୁ ଅନୁମତି ମିଳିଛି। କରୋନା ଭୟ ଏଡ଼ାଇବାକୁ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ଜିଲ୍ଲାପାଳ।