ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଶା ମୁକ୍ତ ହେବ କ୍ୟାମ୍ପସ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଆସନ୍ତା ଶିକ୍ଷାବର୍ଷରୁ ନିଶାମୁକ୍ତ ହେବ ଶିକ୍ଷାନୁଷ୍ଠାନ। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସେବା ଯୋଜନା ଓ NSSର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଖୁବ୍ଶୀଘ୍ର ଏନେଇ ଗାଇଡ୍ ଲାଇନ ଜାରି କରିବ ଉଚ୍ଚ ଶିକ୍ଷା ବିଭାଗ।
କିଛି ଦିନ ତଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗକୁ ଡ୍ରଗ୍ ସଚେତନତା କ୍ୟାମ୍ପସରୁ ଆରମ୍ଭ କରିବାକୁ ଚିଠି ହୋଇଥିଲା। ବିଶେଷ କରି ବୈଷୟିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ୍ ନିଶାସକ୍ତ ହେଉଛନ୍ତି ଛାତ୍ରଛାତ୍ରୀ। ଏହାକୁ ରୋକିବା ଲାଗି କ୍ୟାମ୍ପସ୍ରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯିବ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡିକରେ ନିଶା ସେବନ ହାର ଯଥେଷ୍ଟ କମ୍ ରହିଛି। ତଥାପି ଏହି ହାରକୁ ଜିରୋରେ ପହଞ୍ଚାଇବା ପାଇଁ ଏନ୍ଏସ୍ଏସ୍ର ସ୍ୱେଚ୍ଛାସେବୀମାନେ କ୍ୟାମ୍ପସରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ରାଜ୍ୟର ୨୧ଟି ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ଏକ ଲକ୍ଷ ୧୫ ହଜାର ୫ଶହ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ କାର୍ଯ୍ୟରତ ଅଛନ୍ତି।
ସୂଚନାରୁ ପ୍ରକାଶ, ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଅନେକ ସମୟରେ ନିଶା ସେବନ କରୁଛନ୍ତି। ଯେଉଁଥିପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକର ଶୈଖିକ ବାତାବରଣ ନଷ୍ଟ ହେଉଥିବା ବେଳେ ଛାତ୍ରଛାତ୍ରୀମାନେ ପଥ ଭ୍ରଷ୍ଟ ହେଉଛନ୍ତି। ଏଥିରୁ ବର୍ତ୍ତିବା ପାଇଁ କ୍ୟାମ୍ପସକୁ ନିଶା ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସରକାରଙ୍କ ଏପରି ଉଦ୍ୟମକୁ ଶିକ୍ଷାବିତମାନେ ପ୍ରଶଂସା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।