ରାଜ୍ୟରେ ପଛୁଆ ବର୍ଗଙ୍କ ଚିହ୍ନଟ କରିବେ କମିଶନ, ମିଳିଲା ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖୁବଶୀଘ୍ର ପଛୁଆ ବର୍ଗଙ୍କ ଚିହ୍ନଟ ନିମନ୍ତେ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ସର୍ଭେ କରିବା ପାଇଁ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ପଛୁଆ ବର୍ଗଙ୍କ ଚିହ୍ନଟ କାର୍ଯ୍ୟକ୍ରମକୁ ଅନୁମତି ଦେଇ ଶାସକ ବିଜେଡି ଆଗାମୀ ଦିନରେ ଓବିସି କାର୍ଡ ରାଜନୀତିକୁ ଜୋରଦାର କରିବ ବୋଲି ଜଣାପଡ଼ିଛି। ରାଜ୍ୟ ଅନୁସୂଚିତ ଜାତି,ଜନଜାତି ଓ ପଛୁଆ ବର୍ଗ ବିଭାଗ […]

reservation

reservation

Ordigital Desk
  • Published: Friday, 26 February 2021
  • Updated: 26 February 2021, 09:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖୁବଶୀଘ୍ର ପଛୁଆ ବର୍ଗଙ୍କ ଚିହ୍ନଟ ନିମନ୍ତେ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ସର୍ଭେ କରିବା ପାଇଁ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ପଂଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ପଛୁଆ ବର୍ଗଙ୍କ ଚିହ୍ନଟ କାର୍ଯ୍ୟକ୍ରମକୁ ଅନୁମତି ଦେଇ ଶାସକ ବିଜେଡି ଆଗାମୀ ଦିନରେ ଓବିସି କାର୍ଡ ରାଜନୀତିକୁ ଜୋରଦାର କରିବ ବୋଲି ଜଣାପଡ଼ିଛି।

ରାଜ୍ୟ ଅନୁସୂଚିତ ଜାତି,ଜନଜାତି ଓ ପଛୁଆ ବର୍ଗ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ଆକ୍ଟ-୧୯୯୩ ଓ ସଂଶୋଧିକ ଆକ୍ଟ ୨୦୨୦ ଆଧାରରେ ରାଜ୍ୟରେ ପଛୁଆ ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଆକଳନ କରିବା ନିମନ୍ତେ କମିଶନ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି। ତେବେ ଏହି ସର୍ଭେ କାର୍ଯ୍ୟ କେବେ ଆରମ୍ଭ ହେବ ତାହା ପଛୁଆ ବର୍ଗ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ପରେ ଜଣାପଡ଼ିବ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଜାନୁୟାରୀ ୩ତାରିଖରେ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ଭାବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ ଓ ଅନ୍ୟ ସଦସ୍ୟମାନେ ଦାୟିତ୍ୱ ଗ୍ରହଣ କରିଥିଲେ। ସେତେବେଳେ କମିଶନ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱାଳ କହିଥିଲେ ଯେ, ରାଜ୍ୟରେ ପଛୁଆ ବର୍ଗର ଲୋକଙ୍କ ଡାଟାବେସ୍ ଖୁବଶୀଘ୍ର ପ୍ରସ୍ତୁତ ହେବ। ଯେଉଁମାନେ ସାମାଜିକ ଓ ଅର୍ଥନୀତିକ ଦୃଷ୍ଟିରୁ ବାଦ୍ ପଡ଼ିଥିବେ ସେମାନଙ୍କୁ ତାଲିକାରେ ସାମିଲ କରାଯିବା ସହ ଯେଉଁମାନେ ସାମାଜିକ ଓ ଅର୍ଥନୀତି ଦୃଷ୍ଟିରୁ ବିକଶିତ ଥିବେ ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯିବ। ପଛୁଆ ବର୍ଗର ଜନସଂଖ୍ୟାଙ୍କ ଏକ ଡାଟାବେସ୍ ପ୍ରସ୍ତୁତ କରାଯିବା ପରେ ରାଜ୍ୟରେ ଏହି ବର୍ଗର ଲୋକଙ୍କ ପାଇଁ କେତେ ପରିମାଣର ସଂରକ୍ଷଣ ବ୍ୟବସ୍ଥା ରହିବା ଉଚିତ୍ ତାହା ସ୍ପଷ୍ଟ ହୋଇପାରିବ ବୋଲି କମିଶନ ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱାଳ କହିଥିଲେ। ରାଜ୍ୟରେ ଓବିସି ଓ ଏସଇବିସି ବର୍ଗର ଲୋକଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଦାବି ଜୋରଦାର ହେଉଛି।

ସୂଚନାଯୋଗ୍ୟ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ଓବିସି ସଂରକ୍ଷଣ ପ୍ରସ୍ତାବକୁ ନେଇ ସଂକଳ୍ପ ପ୍ରସ୍ତାବ ଗୃହୀତ ହେବାପରେ ରାଜ୍ୟରେ ଓବିସି ସର୍ଭେ କାର୍ଯ୍ୟକ୍ରମ ପ୍ରକ୍ରିୟା ଜୋରଦାର ହୋଇଛି। ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଉଭୟ ବିଜେଡି ଓ ବିଜେପି ଏବେ ଓବିସି ସର୍ଭେ ମାଧ୍ୟମରେ ନିଜର ରାଜନୀତିକ ରଣନୀତିକୁ ଜୋରଦାର କରିବାର ସମ୍ଭାବନା ରହିଛି। ରାଜ୍ୟ ସରକାର ଦୀର୍ଘବର୍ଷ ଧରି ଓବିସି କମିଶନକୁ ପଙ୍ଗୁ କରି ରଖିଥିଲେ, ମାତ୍ର ପରେ ଭୋଟ ରାଜନୀତିକୁ ଦୃଷ୍ଟିରେ ରଖି ଏହି କମିଶନ ଗଠନ ପ୍ରକ୍ରିୟାକୁ ସକ୍ରିୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos