ଆରଟିଆଇକୁ ନେଇ କମିଶନ କଠୋର, ଦେଲେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ବିଭିନ୍ନ ସୂଚନା ଦେବାରେ ସରକାରୀ ବିଭାଗ ଓ ଅଫିସଗୁଡ଼ିକ ଅବହେଳା ପ୍ରଦର୍ଶନ କରୁଥିବାରୁ ରାଜ୍ୟ ସୂଚନା କମିଶନ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ସୂଚନା ଅଧିକାର ଆଇନ(ଆରଟିଆଇ) ସଂକ୍ରାନ୍ତ ସମସ୍ତ ଚିଠିପତ୍ର ଆଦାନପ୍ରଦାନ ଓ ତଥ୍ୟ ମଗାଯିବାକୁ ଏଣିକି ଓଡ଼ିଶା ରେକର୍ଡ ମାନୁଏଲ-୧୯୬୪ ପ୍ରାବଧାନ ଅନ୍ତର୍ଗତ ‘କ’ ବର୍ଗର ବିବେଚନା କରାଯିବ। ଆରଟିଆଇ ତଥ୍ୟ ପ୍ରଦାନରେ ବିଳମ୍ବ ଓ ଅବହେଳା କଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସମେତ […]

rti

Manoranjan Sial
  • Published: Wednesday, 18 December 2019
  • , Updated: 18 December 2019, 08:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ବିଭିନ୍ନ ସୂଚନା ଦେବାରେ ସରକାରୀ ବିଭାଗ ଓ ଅଫିସଗୁଡ଼ିକ ଅବହେଳା ପ୍ରଦର୍ଶନ କରୁଥିବାରୁ ରାଜ୍ୟ ସୂଚନା କମିଶନ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ସୂଚନା ଅଧିକାର ଆଇନ(ଆରଟିଆଇ) ସଂକ୍ରାନ୍ତ ସମସ୍ତ ଚିଠିପତ୍ର ଆଦାନପ୍ରଦାନ ଓ ତଥ୍ୟ ମଗାଯିବାକୁ ଏଣିକି ଓଡ଼ିଶା ରେକର୍ଡ ମାନୁଏଲ-୧୯୬୪ ପ୍ରାବଧାନ ଅନ୍ତର୍ଗତ ‘କ’ ବର୍ଗର ବିବେଚନା କରାଯିବ। ଆରଟିଆଇ ତଥ୍ୟ ପ୍ରଦାନରେ ବିଳମ୍ବ ଓ ଅବହେଳା କଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସମେତ ଜୋରିମାନା ଆଦାୟ ପ୍ରାବଧାନକୁ କଡ଼ାକଡ଼ି ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ କୁମାର ସିଂ ଆଜି ସମସ୍ତ ବିଭାଗୀୟ ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଓଡ଼ିଶା ସୂଚନା କମିଶନଙ୍କ ନଭେମ୍ବର ୧ ତାରିଖ ନିର୍ଦ୍ଦେଶନାମା ସମ୍ପର୍କରେ ଅବଗତ କରାଇଛନ୍ତି। କମିଶନ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ଏଣିକି ଆରଟିଆଇ ସଂକ୍ରାନ୍ତ ସମସ୍ତ ଚିଠିପତ୍ର ଓ ସୂଚନା ଆଦାନପ୍ରଦାନକୁ ସରକାରୀ ବିଭାଗଗୁଡ଼ିକ ଓଡ଼ିଶା ରେକର୍ଡ ମାନୁଏଲ-୧୯୬୪ର ପ୍ରାବଧାନ ଅନ୍ତର୍ଗତ ‘କ’ ବର୍ଗରେ ରେଖାଙ୍କିତ କରିବେ। ସୂଚନା ଦେବାରେ ବିଳମ୍ବ କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହିତ ସୂଚନା ଅଧିକାର ଆଇନ-୨୦୦୫ର ଧାରା-୨୦ ଅନ୍ତର୍ଗତ ବିଳମ୍ବ ପାଇଁ ତାଙ୍କ ଉପରେ ଜୋରିମାନା ମଧ୍ୟ ଧାର୍ଯ୍ୟ କରାଯିବ। କମିଶନଙ୍କ ଏହି ନିର୍ଦ୍ଦେଶକୁ ସମସ୍ତ କାର୍ଯ୍ୟାଳୟକୁ ପ୍ରାଥମିକତା ଭିତ୍ତିରେ ଅବଗତ କରିବା ପାଇଁ ଶ୍ରୀ ସିଂ କହିଛନ୍ତି।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଆରଟିଆଇରେ ମଗାଯାଉଥିବା ତଥ୍ୟକୁ ସାଧାରଣ ଚିଠିପତ୍ର ଭାବେ ସରକାରୀସ୍ତରରେ ବିବେଚନା କରାଯାଉଥିଲା। ଯେଉଁଥିପାଇଁ ତଥ୍ୟ ମିଳିବାରେ ବିଳମ୍ବ ହେବା ସହ କର୍ମଚାରୀମାନେ ମଧ୍ୟ ନିଜ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଥିଲେ। କମିଶନଙ୍କ ଏଭଳି କଠୋର ଆଭିମୁଖ୍ୟ ପରେ ସୂଚନା ପ୍ରଦାନ ସହ ଜଡ଼ିତ ପ୍ରତ୍ୟେକଟି କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ସୃଷ୍ଟି ହୋଇଥିବା ଜଣାପଡ଼ିଛି।

Related story