ବନ୍ଧୁ ପାଲଟିଲେ ବନ୍ଧୁକ! ମାଡ଼ ମାରି ମନୀଷ ଅନୁରାଗଙ୍କୁ ମାରିଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ୟାଚଲର ପାର୍ଟିରେ ବିଲ୍‌ ପେମେଣ୍ଟକୁ ନେଇ ହୋଇଥିଲା ବଚସା। ଆଉ ତା’ପରେ ବନ୍ଧୁ ପାଲଟି ଯାଇଥିଲେ ବନ୍ଧୁକ। ମାରପିଟରୁ ଯାଇଥିଲା ମନୀଷ ଅନୁରାଗ ଦାସଙ୍କ ଜୀବନ। ପ୍ରମାଣ ନଷ୍ଟ ପାଇଁ ରାତାରାତି କାର୍‌ରେ ମୃତଦେହ ନେଇ ଫିଙ୍ଗି ଦେଇଥିଲେ ପୋଖରୀରେ। ଆଜି ରହସ୍ୟମୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ମନୀଷଙ୍କୁ ତାଙ୍କର ସାଙ୍ଗମାନେ ମାରିଥିବା ପୁଲିସ କହିଛି। ପୂରା ଘଟଣାଟି ଏମିତି। ଗତ ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଇନ୍‌ଫୋସିସ୍‌ […]

Manish Anurag

Manish Anurag

Manoranjan Sial
  • Published: Saturday, 16 October 2021
  • Updated: 16 October 2021, 10:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ୟାଚଲର ପାର୍ଟିରେ ବିଲ୍‌ ପେମେଣ୍ଟକୁ ନେଇ ହୋଇଥିଲା ବଚସା। ଆଉ ତା’ପରେ ବନ୍ଧୁ ପାଲଟି ଯାଇଥିଲେ ବନ୍ଧୁକ। ମାରପିଟରୁ ଯାଇଥିଲା ମନୀଷ ଅନୁରାଗ ଦାସଙ୍କ ଜୀବନ। ପ୍ରମାଣ ନଷ୍ଟ ପାଇଁ ରାତାରାତି କାର୍‌ରେ ମୃତଦେହ ନେଇ ଫିଙ୍ଗି ଦେଇଥିଲେ ପୋଖରୀରେ। ଆଜି ରହସ୍ୟମୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ମନୀଷଙ୍କୁ ତାଙ୍କର ସାଙ୍ଗମାନେ ମାରିଥିବା ପୁଲିସ କହିଛି।

ପୂରା ଘଟଣାଟି ଏମିତି। ଗତ ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଇନ୍‌ଫୋସିସ୍‌ ଗାଲାକ୍ସି ଗାର୍ଡେନ କମ୍ପ୍ଲେକ୍ସ ପାଖରୁ ମନୀଷ ଅନୁରାଗ ଦାସ, ଅମ୍ରିତ ବିଶ୍ୱାଳ, ଦିନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମହାପାତ୍ର କାର୍‌ରେ ଲକ୍ଷ୍ମୀସାଗରରେ ଥିବା ଏକ ବାରକୁ ଯାଇଥିଲେ। ସେଠାରୁ ରାତି ପ୍ରାୟ ୮ଟାରେ ବାହାରି ଚାରିଆଡ଼େ ବୁଲାବୁଲି କରିଥିଲେ। ପରେ ସେମାନେ ରାତି ପ୍ରାୟ ୧୨ଟାରେ ହୋଟେଲ୍‌ ସାଉଥ୍‌ ଗାଲାକ୍ସି ବାରକୁ ଯାଇଥିଲେ। ସେଠାରେ ଖିଆପିଆ କରିବା ପରେ ବିଲ୍ ହୋଇଥିଲା ୮ ହଜାରରୁ ୧୦ ହଜାର ଟଙ୍କା। ମନୀଷଙ୍କ ସହ ଥିବା ମୃତ୍ୟୁଞ୍ଜୟ କିଛି ଟଙ୍କା ଦେଇଥିଲେ। ହେଲେ ବାକି ବିଲ୍‌ ଦେଇପାରିନଥିବାରୁ ବାର କର୍ମଚାରୀ ମନୀଷଙ୍କୁ ଅଟକାଇ ରଖିଥିଲେ।

କିଛି ସମୟ ପରେ ମନୀଷ ଟଙ୍କା ଦେଇ ହୋଟେଲ୍‌ରୁ ଏକୁଟିଆ ବାହାରିଥିଲେ। ସେଠାରୁ ସେ ଶୁଭମ୍‌ ମହାନ୍ତିଙ୍କ ବାଇକରେ କିଛି ଦୂରରେ ଥିବା ୩ ବନ୍ଧୁଙ୍କ ପାଖକୁ ଯାଇଥିଲେ। ସେଠାରେ ବିଲ୍‌ ପେମେଣ୍ଟକୁ ନେଇ ବଚସା ହୋଇଥିଲା। ଟଙ୍କା ନଦେଲେ ଛାଡ଼ିବୁ ନାହିଁ ବୋଲି ମୃତ୍ୟୁଞ୍ଜୟ, ଦିନେଶ ଓ ଅମ୍ରିତ ଧମକ ଦେଇଥିଲେ। ଏପରିକି ସେଠାରେ ମାରପିଟ୍‌ ମଧ୍ୟ ହୋଇଥିଲା। ଆଉ ସେହି ମାରପିଟ୍‌ରେ ମନୀଷଙ୍କ ମୃତ୍ୟୁ ହୋଇଥିଲା। ପରେ ମୃତ୍ୟୁଞ୍ଜୟ ଓ ଦିନେଶ ପ୍ରମାଣ ନଷ୍ଟ ପାଇଁ ମନୀଷଙ୍କ ମୃତଦେହକୁ କାର୍‌ରେ ପୂରାଇ ପାତ୍ରପଡ଼ା ପୋଖରୀରେ ପକାଇ ଦେଇଥିଲେ। ଅତ୍ୟଧିକ ନିଶା ଯୋଗୁ ଅମ୍ରିତ କାରରେ ଥିବା ବେଳେ ହିମାଂଶୁ ନାମକ ଜଣେ ଯୁବକଙ୍କ କାରରେ ମୃତ୍ୟୁଞ୍ଜୟ ଓ ଦିନେଶ ଯାଇଥିଲେ ୟୁନିଟ୍-୪ ସ୍ଥିତ ସ୍ୱାଗତ ପ୍ୟାଲେସ୍‌ ହୋଟେଲକୁ। ସେଠାରେ ୧୨ ଘଣ୍ଟାର ରହଣୀ ପରେ ରବି ସଂଧ୍ୟାରେ ସେମାନେ କନ୍ଧମାଳ ପଳାଇ ଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି।

ଅପରାଧୀଙ୍କୁ ଧରିବା ପାଇଁ କମିଶନରେଟ୍‌ ପୁଲିସ ପ୍ରଥମେ ମନୀଷଙ୍କ ମୋବାଇଲ୍‌ ନମ୍ବରର କଲ୍‌ ଡିଟେଲସ ଓ ସିସିଟିଭି ଫୁଟେଜର ଖୋଳତାଡ଼ କରିଥିଲା। ତାହାରି ଭିତରେ ଗାଲାକ୍ସି ଗାର୍ଡେନ ପାଖରୁ ମନୀଷଙ୍କ କାର ମିଳିଥିଲା। ପରେ ଅମ୍ରିତଙ୍କ ନିକଟରେ ପୁଲିସ ପହଞ୍ଚି ଥିଲା। ତାଙ୍କ କାରକୁ ମଧ୍ୟ ଠାବ କରିଥିଲା ପୁଲିସ। ଯେଉଁ କାରରେ ମନୀଷଙ୍କୁ ଗାଲାକ୍ସି ଗାର୍ଡେନ ପାଖରୁ ବ୍ୟାଚଲର୍‌ ପାର୍ଟିର ଆଳ କରି ହୋଟେଲ୍‌ ସାଉଥ୍‌ ସିଟିକୁ ନିଆଯାଇଥିଲା। ତେବେ ଅମ୍ରିତଙ୍କଠୁ ସୁରାଗ ପାଇ ହିମାଂଶୁଙ୍କୁ ପୁଲିସ ଧରିବା ପରେ କନ୍ଧମାଳ ଖସିଯାଇଥିବା ମୃତ୍ୟୁଞ୍ଜୟ ଓ ଦିନେଶ ଆତ୍ମସମର୍ପଣ କରିଥିଲେ ଫୁଲବାଣୀ ଥାନାରେ। ଶେଷରେ ସମସ୍ତଙ୍କୁ ଜେରା କରି ଓ ଅନ୍ୟ ତଥ୍ୟପ୍ରମାଣ ଆଧାରରେ ମନୀଷ ମୃତ୍ୟୁ ମାମଲାର ଖୁଲାସା କରିଛି ପୁଲିସ। ତା’ସହ ମନୀଷର ସାଙ୍ଗ ଅମ୍ରିତ ସମେତ ମୃତ୍ୟୁଞ୍ଜୟ ଓ ଦିନେଶକୁ ଗିରଫ କରିଛି। ଦରକାର ପଡ଼ିଲେ ସେମାନଙ୍କୁ ରିମାଣ୍ଡ ଅଣାଯିବ ବୋଲି ଡିସିପି କହିଛନ୍ତି।

ତେବେ ବିଲ୍‌ ପେମେଣ୍ଟକୁ ନେଇ କିଭଳି ପିଟାପିଟି ହେଲେ ଯେ, ଶରୀରରେ କିଛି କ୍ଷତ ଚିହ୍ନ ନଥାଇ ମଧ୍ୟ ଜୀବନ ଚାଲିଗଲା ମନୀଷଙ୍କର? କେବଳ ଧସ୍ତାଦସ୍ତିରେ ଜଣକର ମୃତ୍ୟୁ ସମ୍ଭବ କି ? ଏଭଳି ସ୍ଥିତିରେ ପୁଲିସ୍‌ର ମନୀଷ ମର୍ଡର ଥିଓରିକୁ ସହଜରେ ଗ୍ରହଣ କରିପାରୁନାହଁନ୍ତି ତାଙ୍କ ବାପା ନବୀନ ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos