ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ରଙ୍ଗବତୀ ବିଲାସ ତୁମେ..ଜନସଦାରଣ କଁ ପାଖରେ ଉଳାସ ମାମୁଁ...କଳାହାଣ୍ଡି ପାଇଁ କେବଳ କାମ କରିବ ଜୟ କଳାହାଣ୍ଡି”...। କଳାହାଣ୍ଡି ଜିଲ୍ଲାର ମହିଳା ବିଜେଡି ସଭାନେତ୍ରୀ କଲ୍ୟାଣୀ ନାଏକଙ୍କ ପ୍ରତି ଏଭଳି ବ୍ୟଙ୍ଗାତ୍ମକ ଆକ୍ଷେପ କରିବା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଭାଗିରଥୀ ପଟ୍ଟଯୋଶୀଙ୍କୁ ମହଙ୍ଗା ପଡ଼ିଛି। କଳାହାଣ୍ଡିର ଧର୍ମଗଡ଼ ଥାନାରେ ଶ୍ରୀ ପଟ୍ଟଯୋଶୀଙ୍କ ବିରୁଦ୍ଧରେ ଗତକାଲି ଶ୍ରୀମତୀ ନାଏକ ଏତଲା ଦାଏର କରିଛନ୍ତି। ଯାହାକୁ ନେଇ ବିଜେଡି ରାଜନୀତି ସରଗରମ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଏକ ଦଳୀୟ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପୁଷ୍ପଗୁଚ୍ଛ ଦେଇ ଶ୍ରୀମତୀ ନାଏକ ସମ୍ବର୍ଦ୍ଧିତ କରିଥିଲେ। ସେହି ଫଟୋକୁ ନିଜ ଫେସବୁକ ପେଜରେ ଆଗଧାଡ଼ିର ବିଜେଡି କର୍ମୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହଯୋଗୀ ଭାଗିରଥୀ ପଟ୍ଟଯୋଶୀ ନାମକ ଯୁବକ ଅପଲୋଡ୍ କରିବା ସହ “ରଙ୍ଗବତୀ ବିଲାସ ତୁମେ...” ବୋଲି ଆକ୍ଷେପମୂଳକ ଟିପ୍ପଣୀ ଦେଇଥିଲେ। ସୋସିଆଲ ମିଡିଆରେ ତାଙ୍କର ଏଭଳି ଟିପ୍ପଣୀ ଉପରେ ଜିଲ୍ଲା ବିଜେଡି ସଭାନେତ୍ରୀ ଶ୍ରୀମତୀ ନାଏକ ଆପତ୍ତି ଉଠାଇବା ତୁରନ୍ତ ଏଥିପାଇଁ କ୍ଷମାପ୍ରାର୍ଥନା କରିବାକୁ ତାଙ୍କୁ କହିବା ସହ ସେହି ପୋଷ୍ଟକୁ ଡିଲିଟ୍ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଶ୍ରୀମତୀ ନାଏକ ଧମକ ଦେଇଥିଲେ। ମାତ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହଯୋଗୀ ଶ୍ରୀ ପଟ୍ଟଯୋଶୀ ଏହାକୁ ଗୁରୁତ୍ୱ ଦେଇନଥିଲେ ଓଲଟା ଶ୍ରୀମତୀ ନାଏକଙ୍କ ସପକ୍ଷରେ ସୋସିଆଲ ମିଡିଆରେ ଲେଖିଥିବା ଲୋକଙ୍କୁ ମଧ୍ୟ ସେ ଧମକଚମକ ଦେବାକୁ ପଛାଇ ନଥିଲେ।
ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଶ୍ରୀ ପଟ୍ଟଯୋଶୀର ତାଙ୍କ ଦଳର ଜଣେ ମହିଳା ସଭାନେତ୍ରୀଙ୍କ ପ୍ରତି ଏଭଳି ଆକ୍ଷେପମୂଳକ ଟିପ୍ପଣୀ କରିବାକୁ ନେଇ କଳାହାଣ୍ଡି ବିଜେଡିରେ ଗତ ପ୍ରାୟ ୧୦ଦିନ ଧରି ଛକାପଞ୍ଝା ଚାଲିଥିଲା। ଶେଷରେ ଗତକାଲି ଧର୍ମଗଡ଼ ବିଜେଡି ପକ୍ଷରୁ ଏକ ବୈଠକ କରାଯାଇ ଶ୍ରୀ ପଟ୍ଟଯୋଶୀଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଥିଲା। ତା’ପରେ ଶ୍ରୀମତୀ ନାଏକଙ୍କୁ ଧର୍ମଗଡ଼ ଥାନାର ଦ୍ୱାରସ୍ଥ ହୋଇ ଶ୍ରୀ ପଟ୍ଟଯୋଶୀଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। ପୁଲିସ୍ ମଧ୍ୟ ଆଇପିସି ଓ ଆଇଟି ଆକ୍ଟର ବିଭିନ୍ନ ଧାରାରେ ତାଙ୍କ ବିରୁଦ୍ଧରେ ଏତଲା ରୁଜୁ କରିଛି। ଗୃହମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ ଧର୍ମଗଡ଼ ଅଂଚଳର ଜଣେ ବ୍ୟବସାୟୀ ଶ୍ରୀ ପଟ୍ଟଯୋଶୀ ବେଶ୍ ପରିଚିତ।
ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟଯୋଶୀଙ୍କୁ ତାଙ୍କ ସହ ଛାଇ ଭଳି ରହୁଥିବା ଦେଖିବାକୁ ମିଳିଥାଏ। ବିଜେଡି ସରକାର ପକ୍ଷରୁ ‘ମା’କୁ ସମ୍ମାନ’ର ସ୍ଲୋଗାନ ଦିଆଯାଉଥିବାବେଳେ ଜଣେ ଦଳୀୟ ସଭାନେତ୍ରୀ କିଭଳି ଅଶାଳୀନ ମନ୍ତବ୍ୟର ଶିକାର ହେଉଛନ୍ତି, ଆଉ ତା’ପୁଣି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହଯୋଗୀଙ୍କ ଦ୍ୱାରା, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସାଧାରଣ ନିର୍ବାଚନ ପରଠୁ କଳାହାଣ୍ଡି ବିଜେଡିରେ ପୁଷ୍ପେନ୍ଦ୍ରଙ୍କ ପ୍ରଭାବ ହ୍ରାସ ପାଇବାରେ ଲାଗିଛି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର ନିଜର ପ୍ରଭାବ ବିସ୍ତାର କରୁଥିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଏଭଳି ଛକାପଞ୍ଝା ଲାଗି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।