ଦଶମ ପରୀକ୍ଷାରେ ପାସ୍, କଲେଜ ଆଡମିଶନକୁ ନେଇ ଚିନ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦଶମ ରେଜଲ୍ଟକୁ ନେଇ ପିଲାଏ ଯେତିକି ଖୁସି ନୁହଁ, ତାଠୁ ବେଶୀ ଆଶଙ୍କା ଆଡମିଶନକୁ ନେଇ।  ପ୍ରତିବର୍ଷ ଯୁକ୍ତ ଦୁଇରେ ପ୍ରାୟ ଲକ୍ଷେ ସିଟ୍ ଖାଲି ପଡୁଥିବାବେଳେ ଚଳିତ ବର୍ଷ ପରିସ୍ଥିତି ଓଲଟା ହୋଇଛି।  ଯୁକ୍ତଦୁଇ, ଆଇଟିଆଇ, ଡିପ୍ଲୋମା ଓ ଅନ୍ୟ ଘରୋଇ କଲେଜକୁ ମିଶାଇ ପ୍ରାୟ ୬ ଲକ୍ଷ ୩ ହଜାର ସିଟ୍ ରହିଛି । ତେବେ ପାସ୍ କରିଥିବା ୬ ଲକ୍ଷ ୧୭ ହଜାର ପିଲା ଏବଂ ସିବିଏସ୍ଇ, ଆଇସିଏସ୍ଇ ବୋର୍ଡର […]

plus-2-student

Tapas Behera
  • Published: Saturday, 26 June 2021
  • , Updated: 27 June 2021, 07:18 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦଶମ ରେଜଲ୍ଟକୁ ନେଇ ପିଲାଏ ଯେତିକି ଖୁସି ନୁହଁ, ତାଠୁ ବେଶୀ ଆଶଙ୍କା ଆଡମିଶନକୁ ନେଇ।  ପ୍ରତିବର୍ଷ ଯୁକ୍ତ ଦୁଇରେ ପ୍ରାୟ ଲକ୍ଷେ ସିଟ୍ ଖାଲି ପଡୁଥିବାବେଳେ ଚଳିତ ବର୍ଷ ପରିସ୍ଥିତି ଓଲଟା ହୋଇଛି।  ଯୁକ୍ତଦୁଇ, ଆଇଟିଆଇ, ଡିପ୍ଲୋମା ଓ ଅନ୍ୟ ଘରୋଇ କଲେଜକୁ ମିଶାଇ ପ୍ରାୟ ୬ ଲକ୍ଷ ୩ ହଜାର ସିଟ୍ ରହିଛି । ତେବେ ପାସ୍ କରିଥିବା ୬ ଲକ୍ଷ ୧୭ ହଜାର ପିଲା ଏବଂ ସିବିଏସ୍ଇ, ଆଇସିଏସ୍ଇ ବୋର୍ଡର ପାଖାପାଖି ୧୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ ପ୍ରାୟ ୬ ଲକ୍ଷ ୨୮ ହଜାର ସିଟ୍ ଆବଶ୍ୟକ। ବିଶେଷ କରି ଉପାନ୍ତ ଅଞ୍ଚଳରେ ପାଖ କଲେଜରେ ସିଟ୍ ନମିଳିଲେ ଡ୍ରପ୍ ଆଉଟ୍ ହାର ବଢିପାରେ ବୋଲି ଆଶଙ୍କା ଉପୁଜିଲାଣି । ଏଭଳି ସ୍ଥିତିରେ ଆଞ୍ଚଳିକ ଭିତ୍ତିରେ ସିଟ୍ ବଢାଇବା ଏକମାତ୍ର ସମାଧାନ ବୋଲି ମତ ଦେଇଛନ୍ତି ଶିକ୍ଷାବିତ୍।

ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ପରେ ଏବେ ଚିନ୍ତା କେମିତି ହେବ ଆଡମିଶନ? ଭଲ କଲେଜରେ ସିଟ୍ ମିଳିବ ତ? ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ପାଖ କଲେଜରେ ଆଡମିଶନ ପାଇବେ ତ? ଏବେ ଏମିତି ଅନେକ ପ୍ରଶ୍ନ। ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମନରେ କାରଣ ହେଲା ଯୁକ୍ତ ଦୁଇ ସିଟ୍ ଅପେକ୍ଷା ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ। ଖାଲି ଯୁକ୍ତ ଦୁଇ ନୁହେଁ ଆଇଟିଆଇ, ଡିପ୍ଲୋମା ଓ ଅନ୍ୟ ଘରୋଇ କଲେଜରେ ଉପଲବ୍ଧ ଥିବା ବୃତ୍ତିଗତ ଶିକ୍ଷାର ସିଟକୁ ମିଶାଇଲେ ବି ସଂଖ୍ୟା ନିଅଣ୍ଟ ପଡୁଛି । ବିଶେଷ କରି ପଛୁଆ ଅଞ୍ଚଳର  ଛାତ୍ରଛାତ୍ରୀ ନିଜ କ୍ୟାରିୟରକୁ ନେଇ ଏବେଠାରୁ ସନ୍ଦୀହାନ ହୋଇପଡିଲେଣି।

ଚଳିତ ବର୍ଷ ମାଟ୍ରିକ୍ରେ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ରେଗୁଲାର, ଏକ୍ସରେଗୁଲାର, ମୁକ୍ତ ବିଦ୍ୟାଳୟ, ମଧ୍ୟମା ଓ ମଦ୍ରାସା ବୋର୍ଡରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମୋଟ୍ ସଂଖ୍ୟା ହେଲା ୬ ଲକ୍ଷ ୧୭ ହଜାର ୮୭୬ । ଏହାବାଦ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ପ୍ରତିବର୍ଷ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ଆଡମିଶନ ନେଇଥାନ୍ତି। ମୋଟାମୋଟି ଭାବେ ୬ ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ ଆଡମିଶନ ଲାଗି ଚଳିତ ବର୍ଷ ଯୋଗ୍ୟ ହେବେ। ସେପଟେ ଉପଲବ୍ଧ ଥିବା ମୋଟ୍ ସିଟ୍ ସଂଖ୍ୟା ହେଲା ୬ ଲକ୍ଷ ୩ହଜାର ୧୧୩ ।

ଅର୍ଥାତ ୨୪ ହଜାର ୭୬୩ ପିଲା ସିଟ୍ ତୁଳନାରେ ବଳକା ରହୁଛନ୍ତି । ରାଜ୍ୟରେ ଥିବା ୨୦୩୨ଟି ଯୁକ୍ତ ଦୁଇ କଲେଜରେ ମୋଟ୍ ୪ ଲକ୍ଷ ୪୩ ହଜାର ୩୫୪ ସିଟ ରହିଛି । ଉଭୟ ସରକାରୀ ଓ ଘରୋଇ ଡିପ୍ଲୋମା ଏବଂ ଆଇଟିଆଇ କଲେଜର ସିଟ୍ ମିଶାଇଲେ ସଂଖ୍ୟା ପହଞ୍ଚୁଛି ଏକ ଲକ୍ଷ ୫୯ ହଜାର ୭୫୯। ଏବେ ଦୁଇଟି ବିକଳ୍ପ ବ୍ୟବସ୍ଥା ଆପଣାଇପାରେ ଗଣଶିକ୍ଷା ବିଭାଗ । ପ୍ରଥମଟି ହେଲା ଆଡମିଶନରେ ସ୍ୱଚ୍ଛତା ଲାଗି ଏଣ୍ଟ୍ରାନ୍ସ ଏବଂ ଦ୍ୱିତୀୟଟି ହେଲା ସିଟ୍ ବୃଦ୍ଧି । ପିଲାଙ୍କୁ ମାର୍କ ଦିଆଯାଇଥିବାରୁ ଏତେ ସଂଖ୍ୟକ ପିଲାଙ୍କର ଏଣ୍ଟ୍ରାନ୍ସ କରିବାକୁ ଚିନ୍ତା କରୁନି ଗଣଶିକ୍ଷା ବିଭାଗ । ଆଞ୍ଚଳିକ ଭିତ୍ତିରେ ସିଟ୍ ସଂଖ୍ୟା ବଢାଗଲେ ସମସ୍ୟାର ସମାଧାନ ହେବ ବୋଲି ଶିକ୍ଷାବିତଙ୍କ ମତ।

ଚଳିତ ବର୍ଷର ମାଟ୍ରିକ ପାସ୍ ହାର ବୋର୍ଡ ଇତିହାସରେ ହେଉଛି ରେକର୍ଡ। ଆଉ ଏହି ରେକର୍ଡ ମାର୍ଜିନ ଗଣଶିକ୍ଷା ବିଭାଗ ପାଇଁ ଚ୍ୟାଲେଞ୍ଜ । ତେଣୁ ଆଗକୁ ଆଡମିଶନ ଲାଗି କିଛି ନିର୍ଦ୍ଦିଷ୍ଟ ମାନଦଣ୍ଡ ସ୍ଥିର କରାଯିବ ନା ସିଟ୍ ବଢାଯିବ ତାଉପରେ ନଜର।

 

Related story