ପୁଲିସ୍‌ କମିଶନରଙ୍କୁ ତାରାଙ୍କ ଚ୍ୟାଲେଞ୍ଜ- ପ୍ରମାଣ ନ କରିପାରିଲେ ଚାକିରି ଛାଡ଼ିବେ କି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗତ ଶୁକ୍ରବାର ବିଧାନସଭା ମୁହାଁ ହୋଇଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଲିସ୍‌ର ମାଡ଼ ଘଟଣାକୁ ନେଇ ସ୍ୱର ତୀବ୍ର କରିଛନ୍ତି ଦଳର ବରିଷ୍ଠ ନେତା। ଛାତ୍ର କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିବା ବେଳେ ପୁଲିସ୍ ବର୍ବରୋଚିତ ଭାବେ ସେମାନଙ୍କୁ ପିଟିଥିଲା ବୋଲି ଦଳ ଅଭିଯୋଗ କରିଥିବା ବେଳେ ପୁଲିସ୍ କରିଛି ପାଲଟା ଅଭିଯୋଗ। ଛାତ୍ର କଂଗ୍ରେସ କର୍ମୀମାନେ ପୁଲିସ୍‌ ଉପରକୁ ପଥରମାଡ଼ କରିଥିଲେ […]

Tara Prasad Bahinipati

Jitendra Garnayak
  • Published: Sunday, 12 December 2021
  • , Updated: 12 December 2021, 01:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗତ ଶୁକ୍ରବାର ବିଧାନସଭା ମୁହାଁ ହୋଇଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଲିସ୍‌ର ମାଡ଼ ଘଟଣାକୁ ନେଇ ସ୍ୱର ତୀବ୍ର କରିଛନ୍ତି ଦଳର ବରିଷ୍ଠ ନେତା। ଛାତ୍ର କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିବା ବେଳେ ପୁଲିସ୍ ବର୍ବରୋଚିତ ଭାବେ ସେମାନଙ୍କୁ ପିଟିଥିଲା ବୋଲି ଦଳ ଅଭିଯୋଗ କରିଥିବା ବେଳେ ପୁଲିସ୍ କରିଛି ପାଲଟା ଅଭିଯୋଗ। ଛାତ୍ର କଂଗ୍ରେସ କର୍ମୀମାନେ ପୁଲିସ୍‌ ଉପରକୁ ପଥରମାଡ଼ କରିଥିଲେ ବୋଲି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଆଉ ଏହାକୁ ନେଇ ପୁଲିସ୍ କମିଶନରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି।

ସେ କହିଛନ୍ତି, ଯଦି କଂଗ୍ରେସ କର୍ମୀ ପୁଲିସ୍ ଉପରକୁ ପଥରମାଡ଼ କରିଛନ୍ତି ବୋଲି ପୁଲିସ୍ କମିଶନର ପ୍ରମାଣିତ କରି ଦେବେ, ତା’ହେଲେ ମୁଁ ରାଜନୀତି ଛାଡ଼ିଦେବି। କିନ୍ତୁ ତାହା ପ୍ରମାଣ କରି ନପାରିଲେ ପୁଲିସ୍ କମିଶନର ଚାକିରି ଛାଡ଼ିବେ କି?

ତାରା ଆହୁରି କହିଛନ୍ତି, ପୁଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାଡ଼ କରିଛି। ପୁଲିସ୍ କଂଗ୍ରେସ ଭବନରେ ପଶି କର୍ମୀମାନଙ୍କୁ ପିଟିବା ଘଟଣାର ତଦନ୍ତ ହେଉ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନ ହେଲେ ପୁଲିସ୍ କମିଶନରଙ୍କ ଅଫିସ୍ ଘେରାଉ କରାଯିବ। ଏହା ସହିତ ସେ ପୁଲିସ୍ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଲିସ୍ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣାର ପ୍ରତିବାଦ ସ୍ୱରୁପ ଆସନ୍ତା ୧୪ ତାରିଖରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ। ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପିଙ୍କ ଅଫିସ୍‌ଙ୍କ ସମ୍ମୁଖରେ ସକାଳ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦଳୀୟ କର୍ମୀ ଧାରଣାରେ ବସିବେ ବୋଲି ଗତକାଲି ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି।

ସେହିପରି ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାରେ ପୁଲିସ୍‌କୁ ତୀବ୍ର ସମାଲୋଚନା କରିଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ ସେଦିନ ଦାୟିତ୍ୱରେ ଥିବା ପୁଲିସ୍ ଅଧିକାରୀ ଆଇନ୍ ପାଠ ପଢ଼ି ନାହାନ୍ତି କିମ୍ବା ଆଇନ ପାଠ ବୁଝିଥିଲେ ବି ସରକାରଙ୍କ ଚାପରେ ବେଆଇନ କାମ କରୁଛନ୍ତି। ସେହିଭଳି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କଂଗ୍ରେସ ଇଂରେଜମାନଙ୍କ ଗୁଳିକୁ ଡରି ନଥିଲା। ପୁଲିସ୍ ଲାଠିକୁ ଡରିବ ନାହିଁ। ଆଗକୁ ଆନ୍ଦୋଳନ ଜୋରଦାର ହେବ।

Related story