ମନ୍ତ୍ରୀ ସମୀର ଦାଶଙ୍କ ବହିଷ୍କାର ଦାବି: ମୁଖ୍ୟମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ବାସଭବନ ଘେରାଉ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତୁରନ୍ତ ବହିଷ୍କାର ଓ ଗିରଫ ଦାବିରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହିତ ଛାତ୍ର କଂଗ୍ରେସ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସ ବାସଭବନକୁ ଘେରାଉ କରିବା ପାଇଁ ପ୍ରୟାସ କରିଥିବାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନରେ ଧସେଇ ପଶିଥିଲେ । ଅନ୍ୟପକ୍ଷରେ ବିଜେପି ମଧ୍ୟ ସମାନ […]

cong

cong

Ordigital Desk
  • Published: Saturday, 29 October 2022
  • Updated: 29 October 2022, 10:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତୁରନ୍ତ ବହିଷ୍କାର ଓ ଗିରଫ ଦାବିରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହିତ ଛାତ୍ର କଂଗ୍ରେସ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସ ବାସଭବନକୁ ଘେରାଉ କରିବା ପାଇଁ ପ୍ରୟାସ କରିଥିବାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସରକାରୀ ବାସଭବନରେ ଧସେଇ ପଶିଥିଲେ । ଅନ୍ୟପକ୍ଷରେ ବିଜେପି ମଧ୍ୟ ସମାନ ପ୍ରସଙ୍ଗରେ ଆସନ୍ତା ୩୧ତାରିଖରେ ନବୀନ ନିବାସ ଘେରାଉ କରିବ ବୋଲି ସୂଚନା ଦେଇଛି ।

ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମକର୍ତ୍ତା, ନେତୃମଣ୍ଡଳୀ ଓ କର୍ମୀମାନେ ଶିଶୁଭବନ ଛକଠାରୁ ଏକ ରାଲିରେ ଫରେଷ୍ଟପାର୍କ ବାଟଦେଇ ନବୀନ ନିବାସ ଆଡ଼କୁ ଯିବା ସମୟରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଏୟାରପୋର୍ଟ ଛକ ନିକଟରେ ପୁଲିସ ବ୍ୟାରିକେଡ୍ କରି ଅଟକାଇବାରୁ ପୁଲିସ୍ ସହ କଂଗ୍ରେସ କର୍ମୀମାନଙ୍କର ପ୍ରାୟ ୨ଘଣ୍ଟା ଧରି ଧସ୍ତାଧସ୍ତି ହୋଇଥିଲା । ଏପରିକି ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ ହୋଇଥିବା ଦେଖିବାକୁ ମିଳିଛି । ଏଥିରେ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଆହତ ହୋଇଛନ୍ତି । ଛାତ୍ର କଂଗ୍ରେସ ସଭାପତି ୟାସରି ନୱାଜ ଓ ଅନ୍ୟ ନେତୃମଣ୍ଡଳୀଙ୍କୁ ପୁଲିସ ଅଟକ ରଖିଥିଲା । ଧର୍ମେନ୍ଦ୍ର ସାହୁ ମୃତ୍ୟୁ ତଦନ୍ତରେ ଅସନ୍ତୁଷ୍ଟ ଓ ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ ହୋଇଥିଲା ।

ଏହି ଅବସରରେ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନୱାଜ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳଙ୍କିତ ଗଣଶିକ୍ଷାମନ୍ତ୍ରୀ ସମୀର ଦାସଙ୍କୁ ସୁରକ୍ଷା ଦେଉଛନ୍ତି । ଏହି ରାଜ୍ୟର ଛାତ୍ର ସମାଜକୁ ଏଭଳି ଜଣେ ନିନ୍ଦିତ ଶିକ୍ଷାମନ୍ତ୍ରୀ କି ଦିଗଦର୍ଶନ ଦେବେ । ଏ ରାଜ୍ୟର ଅଭିଭାବକ, ବୁଦ୍ଧିଜୀବୀ, ସାମାଜିକ ଅନୁଷ୍ଠାନ ଏଭଳି ଜଣେ ଶିକ୍ଷାମନ୍ତ୍ରୀଙ୍କୁ ଆଉ ଦିନଟିଏ ତାଙ୍କ ପଦବୀରେ ରହିବାକୁ ବରଦାସ୍ତ କରୁନାହାନ୍ତି । ମାତ୍ର ପ୍ରଶାସନକୁ କୁପଥଗାମୀ କରିଥିବା ମୁଖ୍ୟମନ୍ତ୍ରୀ ନିଜେ ମନ୍ତ୍ରୀ ସମୀର ଦାଶଙ୍କୁ ଘଂଟ ଘୋଡ଼ାଇ ରଖିଛନ୍ତି । ଏବେ ପୋଲିସ ହାତରେ ମୋବାଇଲ ଥିବାରୁ ଏହାର ପ୍ରମାଣ ନଷ୍ଟ କରିବାପାଇଁ ପୋଲିିସ ଚକ୍ରାନ୍ତ କରୁଛି । ପୂର୍ବରୁ ରୁଚିକା ମହାନ୍ତି,ମମିତା ମେହେର ଘଟଣାରେ ପୋଲିସ ମୋବାଇଲର ତଥ୍ୟକୁ ଉପସ୍ଥାପନ କରିନାହାନ୍ତି । ୨୨ ବର୍ଷ ଶାସନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ଅପରାଧି ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ସୁରକ୍ଷା ଦେଇଆସିଛନ୍ତି ବୋଲି ସେ କହିଛନ୍ତି ।

ସେହିପରି ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଚୁପ ବସିଥିବା ପୁରୀ ଜିଲ୍ଲାର ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଲୋଏର ପିଏମଜିସ୍ଥିତ ସରକାରୀ ବାସଭବନକୁ ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଘେରାଉ କରିଥିଲେ । ଏହି ଘେରାଉ ସମୟରେ ବି ପୁଲିସ ସହ ପ୍ରବଳ ଧସ୍ତଧସ୍ତି ହୋଇଥିଲା । ତଣୁ ମନ୍ତ୍ରୀ ସମୀର ଦାଶଙ୍କର ବହିଷ୍କାର ଓ ଗିରଫ ଦାବି କରିବା ସହ ଘଟଣାର ହାଇକୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି ତଦନ୍ତ ପାଇଁ ଛାତ୍ର କଂଗ୍ରେସ ଦାବି କରୁଛି ।

ଆଜିର ଏହି ଘେରାଉ କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକଙ୍କ ସମେତ ରଜତ ଚୌଧୁରୀ, ଶିବାନନ୍ଦ ରାୟ, ମାନସ ଚୌଧୁରୀ, ଡ. ଦେବାଶିଷ ପଟ୍ଟନାୟକ, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମନୋଜ ଜେନା, ମନୋଜ ବିଶ୍ୱାଳ, କିରଣ ସାହୁ,  ନିହାର ବେହେରା, ରଣିଜିତ ପାତ୍ର, ଅଜୟ ସାହୁ, ସ୍ୱାଗତ କର, ଆଲୋକ ଲେଙ୍କା, ନଳିନୀକାନ୍ତ ନାୟକ,  ସୁନିଲ ମାଟିଆ, ସୁଶ୍ରୀ ଶାନ୍ତିଲତା, ଅନୁପମ କୁହଁର ଓ ପବିତ୍ର ହରିଜନଙ୍କ ସମେତ ବହୁ ଆଗଧାଡ଼ିର କଂଗ୍ରେସ ନେତା ସାମିଲ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos