ସମସ୍ତଙ୍କ ସ୍ୱାବ୍ ପରୀକ୍ଷା ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତକାଲି ଓ ଆଜି ପ୍ରାୟ ଏକ ହଜାର କରୋନା ପଜେଟିଭ୍ ଚିହ୍ନଟ ହେବାପରେ କରୋନା ଯୋଦ୍ଧା ଓ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବା ସମସ୍ତ ବ୍ୟକ୍ତିଙ୍କର ସ୍ୱାବ୍ ପରୀକ୍ଷାକୁ ବାଧ୍ୟତାମୂଳକ କରିବା ନିମନ୍ତେ କଂଗ୍ରେସ ଦାବି କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସାରା ରାଜ୍ୟ କରୋନା ମହାମାରୀକୁ ନେଇ ଘୋର କଠିନ ପରିସ୍ଥିତିରେ ଗତି କରୁଥିବା ବେଳେ ୨ଦିନ ମଧ୍ୟରେ ଏକହଜାର କରୋନା ପଜେଟିଭ୍ […]

niranjan2

Manoranjan Sial
  • Published: Saturday, 04 July 2020
  • , Updated: 04 July 2020, 08:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତକାଲି ଓ ଆଜି ପ୍ରାୟ ଏକ ହଜାର କରୋନା ପଜେଟିଭ୍ ଚିହ୍ନଟ ହେବାପରେ କରୋନା ଯୋଦ୍ଧା ଓ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବା ସମସ୍ତ ବ୍ୟକ୍ତିଙ୍କର ସ୍ୱାବ୍ ପରୀକ୍ଷାକୁ ବାଧ୍ୟତାମୂଳକ କରିବା ନିମନ୍ତେ କଂଗ୍ରେସ ଦାବି କରିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସାରା ରାଜ୍ୟ କରୋନା ମହାମାରୀକୁ ନେଇ ଘୋର କଠିନ ପରିସ୍ଥିତିରେ ଗତି କରୁଥିବା ବେଳେ ୨ଦିନ ମଧ୍ୟରେ ଏକହଜାର କରୋନା ପଜେଟିଭ୍ ସକ୍ରିୟ ନୂଆ କେସ୍ ବାହାରିବା ରାଜ୍ୟବାସୀଙ୍କ ମନରେ ଘୋର ଚିନ୍ତା ବଢ଼ାଇଛି। ଦିନକୁ ଦିନ ଏହା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତିକରି ଚାଲୁଛି। ରାଜ୍ୟରେ ଦୈନିକ ଆରଟି, ପିସିଆର ଟେଷ୍ଟିଂକୁ ଅନୂନ୍ୟ ୧୫ହଜାର ବଢ଼ାଇବା ସହ ସମସ୍ତ ନିୟମ ଅନୁପାଳନ କରିବାକୁ ରାଜ୍ୟ ସରକାର ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ। କ୍ୱାରେଣ୍ଟାଇନ କେନ୍ଦ୍ରକୁ ସୁବ୍ୟବସ୍ଥିତ କରିବା ସହ କରୋନା ଯୋଦ୍ଧା ଓ କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କର ସ୍ୱାବ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଉ ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କର ପାଖରେ ଦାବି କରିଛନ୍ତି।

ନିର୍ବାଚନର ଅବ୍ୟବହିତ ପୂର୍ବରୁ କାଳିଆ ଯୋଜନାରେ ୪୨ଲକ୍ଷ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଇ ନିର୍ବାଚନ ବୈତରଣୀ ପାର ହେଲେ। ଏବେ କରୋନାଜନିତ ତ୍ରୁଟିକୁ ଲୋକଙ୍କ ନଜରରୁ ଏଡ଼େଇବାକୁ ଯାଇ ପୁଣି ‘ବଳରାମ’ ଯୋଜନା ଘୋଷଣା କରି ୭ଲକ୍ଷ ଭୂମିହୀନ ଚାଷୀଙ୍କୁ ୨ବର୍ଷ ମଧ୍ୟରେ ୧୦୪୦କୋଟି ଟଙ୍କା ଖର୍ଚ୍ଚ କରିବା କେତେ ଫଳପ୍ରଦ ହେବ ତାହା ସମୟ କହିବ? ଓଡ଼ିଶା ସରକାର ସବୁବେଳେ ଦେବତାମାନଙ୍କ ନାଁରେ ଏକାଧିକ ଯୋଜନା କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରୁଛନ୍ତି। କାଳିଆ, ବଳରାମ ଯୋଜନା ତ କଲେ ଏବେ ମା’ ସୁଭଦ୍ରା ଓ ସୁଦର୍ଶନଙ୍କୁ କାହିଁକି ଭୁଲିଗଲେ ବୋଲି ସେ କଟାକ୍ଷ କରିଛନ୍ତି।

ରାଜ୍ୟରେ ପ୍ରାୟ ୪ଲକ୍ଷ ୨୭ ହଜାର ୩୨୩ ସ୍ୱୟଂ ସହାୟିକା ଗୋଷ୍ଠୀ ଅଛି। ସୁଭଦ୍ରା ନାମକ ଯୋଜନା କରି ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ସୁଧ ଓ ମୁଳରେ ରିହାତିର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ସେହିପରି ବେକାରୀ ଯୁବକ, ପ୍ରବାସୀ ଶ୍ରମିକ, ଭୂମିହୀନ ଯୁବକ ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ୍ତ ବେରୋଜଗାରୀ ପରିବାରବର୍ଗଙ୍କୁ ‘ସୁଦର୍ଶନ’ ଯୋଜନା କରି ପ୍ରତ୍ୟେକ ମାସ ୭୫୦୦ ଟଙ୍କା ହିସାବରେ ଅନ୍ୟୁନ ୬ମାସ ସେମାନଙ୍କ ଆକାଉଣ୍ଟରେ ଟଙ୍କା ପୈଠ କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

Related story