ରଥଯାତ୍ରା ପାଇଁ ଷଡ଼ଯନ୍ତ୍ର: ଆଇନ ମନ୍ତ୍ରୀ ଓ ଏଜିଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନକରାଇ ଦେବା ପାଇଁ ରାଜ୍ୟ ସରକାର ଭୟଙ୍କର ଷଡ଼ଯନ୍ତ୍ର କରିଥିଲେ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ବୟାନ ହିଁ ଏହାର ପ୍ରମାଣ ଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ରାଜ୍ୟ ଆଇନମନ୍ତ୍ରୀ ଓ ଆଡଭୋକେଟ୍ ଜେନେରାଲ(ଏଜି)ଙ୍କ ବହିଷ୍କାର ଦାବି କରିଛି। କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କୋଟିକୋଟି ଭକ୍ତଙ୍କ ଭାବାବେଗ ସହ […]

Satya Prakash Nayak

Tapas Behera
  • Published: Saturday, 27 June 2020
  • , Updated: 27 June 2020, 08:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନକରାଇ ଦେବା ପାଇଁ ରାଜ୍ୟ ସରକାର ଭୟଙ୍କର ଷଡ଼ଯନ୍ତ୍ର କରିଥିଲେ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ବୟାନ ହିଁ ଏହାର ପ୍ରମାଣ ଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ରାଜ୍ୟ ଆଇନମନ୍ତ୍ରୀ ଓ ଆଡଭୋକେଟ୍ ଜେନେରାଲ(ଏଜି)ଙ୍କ ବହିଷ୍କାର ଦାବି କରିଛି।

କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କୋଟିକୋଟି ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାକୁ ବନ୍ଦ କରିବା ନିମନ୍ତେ ରାଜ୍ୟ ସରକାର ହିଁ ପ୍ରଥମରୁ ଷଡ଼ଯନ୍ତ୍ର କରିଥିଲେ। ଏପରିକି ଅଦାଲତଙ୍କ ଆଢ଼ୁଆଳରେ ଏକ ନିର୍ଦ୍ଦିଷ୍ଟ ଏନଜିଓ ସଂସ୍ଥା ସହ ଭିତିରିଆ ଫିକ୍ସିଂ କରାଇଥିଲେ।

ଗଜପତି ମହାରାଜାଙ୍କ ଦ୍ୱାରା ଗଣମାଧ୍ୟମରେ ଦିଆଯାଇଥିବା ବୟାନ ଏହି ଅଭିଯୋଗକୁ ପ୍ରମାଣିତ କରାଇଛି। ଗଜପତି ମହାରାଜା ସ୍ପଷ୍ଟ ଭାବେ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗର କଥାକୁ ରାଜ୍ୟ ସରକାର ରଖିନଥିଲେ। ଆବେଦନକାରୀ ଏନଜିଓଙ୍କ ଓକିଲ ଯାହା କହିଥିଲେ ସେଥିରେ ରାଜ୍ୟ ସରକାରଙ୍କ ଓକିଲ ହଁ ରେ ହଁ ମିଶାଇଥିଲେ । ଯାହାକି ସମସ୍ତଙ୍କୁ ହତବାକ କରି ଦେଇଥିଲା ବୋଲି ଗଜପତି ମହାରାଜା କହିଛନ୍ତି। ଏଥିରୁ ସ୍ପଷ୍ଟ ଯେ କୋଟିକୋଟି ଓଡ଼ିଆ ଓ ଶ୍ରୀଜଗନ୍ନାଥପ୍ରେମୀଙ୍କ ସହ ରାଜ୍ୟ ସରକାର ବିଶ୍ୱାସଘାତକତା କରିଛନ୍ତି । ଗଜପତି ମହାରାଜା କେବଳ ମହାପ୍ରଭୁଙ୍କ ଆଦ୍ୟ ସେବକ ନୁହଁନ୍ତି ବରଂ ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ମଧ୍ୟ। ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ ଅନୁସାରେ ମନ୍ଦିର ପରିଚାଳନାରେ ଗଜପତି ମହାରାଜାଙ୍କ ନିଷ୍ପତ୍ତି ଚୂଡ଼ାନ୍ତ କିନ୍ତୁ ରାଜ୍ୟ ସରକାର ତାଙ୍କର ୩ଟା ଚିଠିର ଉତ୍ତର ବି ଦେଇନାହାନ୍ତି।
କେବଳ ସେତିିକି ନୁହେଁ, ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି ସହ ଓଡ଼ିଶା ସରକାରଙ୍କ ଓକିଲ ହରିଶ ସାଲଭେ ଯେଭଳି ହଁ ରେ ହଁ ମାରିଲେ, ତାଙ୍କୁ ସେଭଳି କହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କିଏ ପ୍ରବର୍ତ୍ତାଇଥିଲେ। ରାଜ୍ୟ ସରକାରଙ୍କ ମୁଖ୍ୟ ଆଇନ ପରାମର୍ଶଦାତା ହେଉଛନ୍ତି ଆଡଭୋକେଟ୍ ଜେନେରାଲ। ତେଣୁ ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ଓ ଆଡଭୋକେଟ୍ ଜେନେରାଲଙ୍କ ଭୂମିକା ମଧ୍ୟ ସନ୍ଦେହଘେରରେ। ଆଡଭୋକେଟ୍ ଜେନେରାଲ କାହା ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

ହାଇକୋର୍ଟ ରଥଯାତ୍ରା ହେବ କି ନହେବ ସେନେଇ ନିଷ୍ପତ୍ତି ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ଛାଡ଼ିବା ପରେ ଚୁପ୍ ବସିବାକୁ କିଏ ପରାମର୍ଶ ଦେଇଥିଲା ବୋଲି କଂଗ୍ରେସ ଜାଣିବାକୁ ଚାହୁଁଛି। ରଥଯାତ୍ରା ହେଉ ବୋଲି କଂଗ୍ରେସ ପ୍ରଥମରୁ କହି ଆସୁଥିଲା। ଏବାବଦରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ମଧ୍ୟ ଲେଖିଥିଲେ। ପୁରୀ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ଦାଶ ହାଇକୋର୍ଟରୁ ସୁପ୍ରିମକୋର୍ଟଙ୍କ ଶେଷ ଶୁଣାଣି ପର୍ଯ୍ୟନ୍ତ ଯାଇଥିଲେ। ତେଣୁ ରଥଯାତ୍ରା ବନ୍ଦ ନକରିବା ପାଇଁ ଯଦି ମୁଖ୍ୟମନ୍ତ୍ରୀ ମିଳିତ ଭାବେ ଏହି ଷଡ଼ଯନ୍ତ୍ର ରଚି ନାହାନ୍ତି ତା’ହେଲେ ନିଜର ସ୍ୱଚ୍ଛତା ପ୍ରତିପାଦନ ପାଇଁ ତୁରନ୍ତ ଆଇନମନ୍ତ୍ରୀ ଓ ଆଡଭୋକେଟ୍ ଜେନେରାଲଙ୍କୁ ବରଖାସ୍ତ କରନ୍ତୁ ବୋଲି କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି।

Related story