ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତିର ଏସଆଇଟି ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ବ୍ୟାପକ ଅନିୟମିତତା ପ୍ରସଙ୍ଗରେ ଆଜି ବିଧାନସଭାରେ ମୁଲତବୀ ଆଲୋଚନାରେ ରାଜ୍ୟ ସରକାରଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଏହି ଦୁର୍ନୀତିର ଏସଆଇଟି ତଦନ୍ତ ଦାବି କରିଛି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଆଜି ବିଧାନସଭାରେ ଏନେଇ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଥିବା ସଫେଇ ଅତ୍ୟନ୍ତ […]

narasingha

narasingha

Ordigital Desk
  • Published: Saturday, 04 September 2021
  • Updated: 04 September 2021, 11:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ବ୍ୟାପକ ଅନିୟମିତତା ପ୍ରସଙ୍ଗରେ ଆଜି ବିଧାନସଭାରେ ମୁଲତବୀ ଆଲୋଚନାରେ ରାଜ୍ୟ ସରକାରଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଏହି ଦୁର୍ନୀତିର ଏସଆଇଟି ତଦନ୍ତ ଦାବି କରିଛି।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ଆଜି ବିଧାନସଭାରେ ଏନେଇ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାବେଳେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଥିବା ସଫେଇ ଅତ୍ୟନ୍ତ ହାସ୍ୟାସ୍ପଦ। ‘ବ୍ୟକ୍ତିଗତ ସଚିବ ଚାକିରି ଦିଅନ୍ତି ନାହିଁ’ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ବିନା ଅଧ୍ୟକ୍ଷ ଓ କମିଶନ ସଦସ୍ୟଙ୍‌କ ପ୍ରୋତ୍ସାହନରେ ବ୍ୟାପମ ଭଳି ଏପରି ମହାଦୁର୍ନୀତି ସମ୍ଭବପର ନୁହେଁ। ତେଣୁ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଓ ପଦବୀରୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟରେ ସ୍ୱଚ୍ଛତାର ସହ ସରକାରୀ କର୍ମଚାରୀଙ୍କ ନିଯୁକ୍ତି ପାଇଁ ୧୯୯୩ ରେ ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଗଠନ କରାଯାଇଥିଲା। ମାତ୍ର ବିଡମ୍ବନା ଯେ ଏହି ଉଦ୍ଦେଶ୍ୟ ଏବେ ଦିଗହରା ହୋଇଛି। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏହି ବିଭାଗର ମନ୍ତ୍ରୀ। ଅତୀତରେ ଏହି ସଂସ୍ଥାରେ ପୂର୍ବତନ ଡିଜି ଗୋପାଳ ନନ୍ଦ ଏବଂ ପୂର୍ବତନ ମୁଖ୍ୟସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଭଳି ଦକ୍ଷ ଏବଂ ସଚ୍ଚୋଟ ବ୍ୟକ୍ତିବିଶେଷଙ୍କୁ ଦାୟିତ୍ୱ ଦିଆଯାଇ ଥିବାବେଳେ ଏବେ ସରକାର କ’ଣ ପାଇଁ ସାଧାରଣରେ ଦୁର୍ନୀତିଗ୍ରସ୍ତ ବୋଲି ବିବେଚିତ ହେଉଥିବା ବ୍ୟକ୍ତିଙ୍କୁ ଏହି ପଦବୀରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ଦମ୍ଭୋକ୍ତି କରୁଛନ୍ତି। କିନ୍ତୁ ବିଧାନସଭାରେ ଆଣିଥିବା ଏ ସଂକ୍ରାନ୍ତ ଅଭିଯୋଗ ଉପରେ ତଦନ୍ତ କରାଯିବାର ଜବାବ ତାଙ୍କ ତରଫରୁ ମନ୍ତ୍ରୀ ଦେଇନାହାନ୍ତି।

ରାଜ୍ୟରେ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଓଡ଼ିଶା ଷ୍ଟାଫ ସିଲେକ୍ସନଙ୍କ ବ୍ୟକ୍ତିଗତ ସଚିବ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଗଣମାଧ୍ୟମର ଚାପ ଏବଂ ଓଡ଼ିଶାବାସୀଙ୍କର ଆକ୍ରୋଶରୁ ବଂଚିବା ଉଦ୍ଦେଶ୍ୟରେ ସରକାର ବ୍ୟକ୍ତିଗତ ସଚିବଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗତ ଅଗଷ୍ଟ ୨ ତାରିଖ ଦିନ ପ୍ରଥମେ ତାଙ୍କୁ ନିଲମ୍ବନ କଲେ ଓ ସେହିଦିନ ତାଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଭାବେ ଅବସର ଦେଲେ। ଏହାଦ୍ୱାରା ସରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଯେଉଁ ଆଇନଗତ ପନ୍ଥା ଅନୁସରଣ କରିବା କଥା ତାହା କରିନାହାନ୍ତି ଏହା ପରୋକ୍ଷରେ ସଂପୃକ୍ତ ବ୍ୟକ୍ତିଗତ ସଚିବଙ୍କୁ ସାହାଯ୍ୟ କରିଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ସମ୍ପର୍କରେ ପ୍ରସ୍ତୁତ ମାର୍ଗଦର୍ଶିକା ପାଳନ କରାଯାଇ ନାହିଁ, ଏହା ଅଭିସନ୍ଧିମୂଳକ । ସରକାର ପରୋକ୍ଷରେ ଅଭିଯୁକ୍ତ ବ୍ୟକ୍ତିଗତ ସଚିବଙ୍କୁ ସୁରକ୍ଷା ଦେବା କିମ୍ବା ନିଜର ସଂପୃକ୍ତିକୁ ଲୁଚାଇବା ପାଇଁ ଚତୁରତାର ସହ ଏପରି ଉଦ୍ୟମ କରିଛନ୍ତି । ଏପରି କ୍ଷେତ୍ରରେ ଦୃଢ଼ ଧାରଣା ହେଉଛି ଯେ ସରକାର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବା ଏ ମହାଦୁର୍ନୀତିରେ ସାମିଲ ଅଛନ୍ତି । ଏହି ସମସ୍ତ ପ୍ରକ୍ରିୟାର ସତ୍ୟ ଉଦ୍‌ଘାଟନ ଓ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଏସଆଇଟି ତଦନ୍ତ କରିବାକୁ କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ଷ୍ଟାଫ ସିଲେକ୍ସନ କେଳେଙ୍କାରୀ ପ୍ରତିବାଦରେ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଆସନ୍ତା ୭ ରେ ବିଧାନସଭା ଘେରାଉ କରାଯିବାର ନିଷ୍ପତ୍ତିି ନିଆଯାଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ମୁଖ୍ୟ ଗଣେଶ୍ୱର ବେହେରା ଓ ମୁଖପାତ୍ର ନିଶିକାନ୍ତ ମିଶ୍ର ଉପସ୍ଥ୍‌ିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos