ଭୁବନେଶ୍ୱର: ପର୍ଯ୍ୟବେକ୍ଷକଙ୍କୁ ଭେଟିବା ପୂର୍ବରୁ କଂଗ୍ରେସ ବିଧାୟକମାନଙ୍କୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ଏକ ବୈଠକ ହୋଇଛି। ରାଜ୍ୟସଭା ସାଂସଦ ରଂଜୀବ ବିଶ୍ୱାଳ ବି ଏଥିରେ ସାମିଲ ହୋଇଥିଲେ। ଆଲୋଚନା ପରେ ସବୁ ବିଧାୟକ ଏକାଠି କଂଗ୍ରେସ ଭବନ ଆସିଛନ୍ତି। କେବଳ ସୁବଳ ସାହୁ ବିଧାୟକମାନଙ୍କ ସହ ଆସିନାହାନ୍ତି।
ପିସିସି ଚଉକି କଳିର ସମାଧାନ ପାଇଁ କଂଗ୍ରେସର ମାନସ ମନ୍ଥନ ଜାରି ରହିଛି। ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଆସିଥିବା କଂଗ୍ରେସର ତିନି ପର୍ଯ୍ୟବେକ୍ଷକ ଆଜି ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରୁଛନ୍ତି। ବରିଷ୍ଠ ନେତାଙ୍କ ସହ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ୨୦୧୪ ବିଧାନସଭା ଓ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଦଳୀୟ ପ୍ରାର୍ଥୀଙ୍କ ସହ ମଧ୍ୟ ଆଲୋଚନା କରୁଛନ୍ତି।
ଅପରାହ୍ନ ୫ଟାରେ ପ୍ରଦେଶ କଂଗ୍ରେସ ସମନ୍ୱୟ କମିଟି ବୈଠକ ହେବ। ଏଥିରେ ୩ ପର୍ଯ୍ୟବେକ୍ଷକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗତକାଲି ପର୍ଯ୍ୟବେକ୍ଷକଙ୍କ ପାଖରେ କିଛି ପ୍ରସାଦଙ୍କ ପାଇଁ ଲବି କରିଥିବାବେଳେ କିଛି ଖୋଲା ଖୋଲି ନିରଞ୍ଜନଙ୍କ ମୁଣ୍ଡରେ ମଙ୍ଗୁଆଳ ମୁକୁଟ ଲଗାଇବାକୁ ଦାବି କରିଥିଲେ।