ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଓ ବିଜେପି ବିରୋଧରେ ସୋଶାଲ ମିଡିଆରେ ଅଭିଯାନ ଆରମ୍ଭ କରିଛି କଂଗ୍ରେସ। ଏହି କ୍ୟାମ୍ପେନର ନାଁ ରହିଛି ‘ସ୍ପିକ୍ ଅପ୍ ଇଣ୍ଡିଆ’। ଏହି ଅନଲାଇନ୍ କ୍ୟାମ୍ପେନ୍ରେ ସରକାରଙ୍କ ନିକଟରେ ବିଭିନ୍ନ ଦାବି ରଖିଛନ୍ତି କଂଗ୍ରେସ କର୍ମୀ, ନେତା ଓ ସାଧାରଣ ଜନତା।
କରୋନା ସଙ୍କଟ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ୨୦ ଲକ୍ଷ କୋଟିର ପ୍ୟାକେଜରେ ଗରିବଙ୍କୁ ପ୍ରାଥମିକତା ଦେବାକୁ ‘ସ୍ପିକ୍ ଅପ୍ ଇଣ୍ଡିଆ’ କ୍ୟାମ୍ପେନ୍ରେ ଜୋର୍ ଦେଇଛି କଂଗ୍ରେସ । ଏହି କ୍ୟାମ୍ପେନ ମାଧ୍ୟମରେ ଫେସବୁକ, ଟ୍ୱିଟର ସମେତ ଅନ୍ୟ ସୋଶାଲ ମିଡିଆ ପ୍ଲାଟଫର୍ମରେ ଗରିବ ଓ ଦିନ ମଜୁରିଆଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାକୁ କଂଗ୍ରେସ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଦଳ ପକ୍ଷରୁ କୁହାଯାଇଛି।
ସେପଟେ କଂଗ୍ରେସ ଭବନରେ ସୋଶାଲ୍ ମିଡିଆରେ ଯୋଡ଼ି ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପ୍ରବାସୀ ଓଡ଼ିଆଙ୍କୁ ବିନା ଖର୍ଚ୍ଚରେ ଘରେ ପହଞ୍ଚାଇବା ସହ ଚାଷୀଙ୍କୁ ସହାୟତା ପାଇଁ ସେ ଦାବି କରିଛନ୍ତି । ଓଡ଼ିଶାବାସୀ ସୋଶାଲ୍ ମିଡିଆ ମାଧ୍ୟମରେ ସେମାନଙ୍କ ଦାବି ଉପସ୍ଥାପନ କରନ୍ତୁ । ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ଉପରେ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ପିସିସି ସଭାପତି ।