ତୈଳ ଦର ବଢ଼ାଇ ଗରିବଙ୍କୁ ଲୁଟୁଛନ୍ତି: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ନେଇ ବଢୁଛି ସାଧାରଣ ଖାଉଟୀଙ୍କ ଅସନ୍ତୋଷ। ବିଶ୍ୱବ୍ୟାପୀ କରୋନା ଲକଡାଉନ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲେ ମଧ୍ୟ ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ର ସାମନା କରିବାକୁ ପଡୁଛି। କେନ୍ଦ୍ର ଉତ୍ପାଦନ ଶୁଳ୍କ ବଢ଼ାଇ ଦେବା ଓ ପରେ ରାଜ୍ୟ ସରକାର ଭାଟ୍ ବଢ଼ାଇ ଦେବାରୁ ଦର ବଢିଥିଲା। ଆଉ ଏବେ ଅନ୍ତର୍ଜାତୀୟ ବଜାରରେ ଦର ବଢିବା ପରେ ଖାଉଟି ସିଧାସଳଖ ପ୍ରଭାବିତ […]

bahini

Ranjit Kumar Jena
  • Published: Monday, 15 June 2020
  • , Updated: 15 June 2020, 08:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧିକୁ ନେଇ ବଢୁଛି ସାଧାରଣ ଖାଉଟୀଙ୍କ ଅସନ୍ତୋଷ। ବିଶ୍ୱବ୍ୟାପୀ କରୋନା ଲକଡାଉନ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲେ ମଧ୍ୟ ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼ର ସାମନା କରିବାକୁ ପଡୁଛି। କେନ୍ଦ୍ର ଉତ୍ପାଦନ ଶୁଳ୍କ ବଢ଼ାଇ ଦେବା ଓ ପରେ ରାଜ୍ୟ ସରକାର ଭାଟ୍ ବଢ଼ାଇ ଦେବାରୁ ଦର ବଢିଥିଲା। ଆଉ ଏବେ ଅନ୍ତର୍ଜାତୀୟ ବଜାରରେ ଦର ବଢିବା ପରେ ଖାଉଟି ସିଧାସଳଖ ପ୍ରଭାବିତ ହୋଇଛନ୍ତି। ଏହାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଉପା ସରକାର ସମୟରେ କ୍ରୁଡ୍ ଅଏଲ୍ ୧୩୦ ଡଲାର ଥିଲା। ସେତେବେଳେ ଉଭୟ ବିଜେପି ଓ ବିଜେଡି ଆନ୍ଦୋଳନକୁ ଓହ୍ଲାଉଥିଲେ। ଏବେ ତୈଳ ଦର ହୁ ହୁ ହୋଇ ବଢ଼ୁଥିବା ବେଳେ କାହିଁକି ଆନ୍ଦୋଳନ କରୁନାହାନ୍ତି। ବର୍ତ୍ତମାନ କ୍ରୁଡ୍ ଅଏଲ୍ ୨୫ ଡଲାରରୁ କମ୍ ରହିଛି। ଗୋଟିଏ ପଟେ ରାଜ୍ୟ ଭାଟ୍ ବଢ଼ାଉଛି, ଅନ୍ୟପଟେ କେନ୍ଦ୍ର ସରକାର ଏକ୍ସସାଇଜ୍ ବଢ଼ାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶିକି ଗରିବଙ୍କୁ ଲୁଟୁଛନ୍ତି। ଆଗାମୀ ଦିନରେ କଂଗ୍ରେସ ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ତାରା ବାହିନୀପତି କହିଛନ୍ତି।

ସେପେଟ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଟ୍ୟାକ୍ସ ବାବଦକୁ ୩୨ ଟଙ୍କା ୯୮ ପଇସା ଓ ଡିଡେଲ୍ ଉପରେ ୩୧ ଟଙ୍କା ୮୩ ପଇସା ପାଉଛନ୍ତି। କିନ୍ତୁ ଏପଟେ ଭାଟ୍ ବଢ଼ାଇବା ପରେ ରାଜ୍ୟ ସରକାର ପେଟ୍ରୋଲ ଉପରେ ୧୭ ଟଙ୍କା ୭୪ ପଇସା ଓ ଡିଜେଲରେ ୧୫ ଟଙ୍କା ୪୭ ପଇସା ନେଉଛନ୍ତି। ଏହା ଭିତରେ ଗ୍ରାହକଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡ଼ୁଛି।

ଏପଟେ କଂଗ୍ରେସ ଓ ବିଜେପିର ଟାର୍ଗେଟକୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ। ସେ କହିଛନ୍ତି, ଦୁର୍ଭାଗ୍ୟର କଥା ଯେ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରୋ କ୍ରୁଡ୍ ଅଏଲ୍ କମୁଥିବା ବେଳେ କେନ୍ଦ୍ର ସରକାର ସେସ୍ ବଢ଼ାଇ ଚାଲିଛନ୍ତି। କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନ ଯେମିତି ଟଙ୍କାର ଆବଶ୍ୟକ ରହିଛି, ସେହିପରି ରାଜ୍ୟ ମାନଙ୍କୁ ମଧ୍ୟ ରାଜସ୍ୱ ଭରଣା କରିବାର ଆବଶ୍ୟକତା ରହିଛି। ଯେହେତୁ ରାଜସ୍ୱ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆଉ କିଛି ବିକଳ୍ପ ନାହିଁ ତେଣୁ ରାଜ୍ୟ ସରକାର ଭାଟକୁ ବଢ଼ାଉଛନ୍ତି।

ସୂଚନାଯୋଗ୍ୟ, କ୍ରମାଗତ ୯ମ ଦିନରେ ତୈଳ ଦର ବୃଦ୍ଧି ପାଇଛି। ମଙ୍ଗଳବାର ପେଟ୍ରୋଲ ଦର ଲିଟର୍ ପିଛା ୪୮ ପଇସା ଏବଂ ଡିଜେଲ୍ ଦର ଲିଟର୍ ପିଛା ୫୯ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ୍ ଲିଟର୍ ପିଛା ୭୬.୨୭ ଟଙ୍କା ଓ ଡିଜେଲ୍ ଲିଟର୍ ପିଛା ୭୪.୬୨ ଟଙ୍କାରେ ପହଞ୍ଚିଛି। ବିଶ୍ୱବ୍ୟାପୀ ଲକଡାଉନକୁ ନେଇ ଚାହିଦା କମିଯିବା ହେତୁ ଅନ୍ତର୍ଜାତୀୟ ବଜାରରେ ତୈଳଦର ଖସି ଯାଇଥିଲା। ଫଳରେ କେନ୍ଦ୍ର ସରକାରଙ୍କ ତୈଳ ଆମଦାନୀ ବିଲ୍ ମଧ୍ୟ କମିଥିଲା। ତେବେ ଗତ ମେ ୬ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କକୁ ଲିଟର ପିଛା ୧୦ ଟଙ୍କା ଓ ଡିଜେଲ୍ ଉପରେ ୧୩ ଟଙ୍କା ବଢାଇଥିଲେ ଫଳରେ ଖାଉଟୀ ଅନ୍ତର୍ଜାତୀୟ ବଜାରରେ ତୈଳଦର ହ୍ରାସର ଫାଇଦା ପାଇପାରିନଥିଲେ।

ଅନ୍ୟପକ୍ଷରେ ରାଜ୍ୟ ସରକାର ମେ ୧୭ରେ ପେଟ୍ରୋଲ ଉପରେ ଭାଟ ୬ ପ୍ରତିଶତ ଓ ଡିଜେଲ ଭାଟକୁ ୨ ପ୍ରତିଶତ ବଢାଇ ଦେଇଥିଲେ ଫଳରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୧୧ ପଇସା ଓ ଡିଜେଲ ୧ଟଙ୍କା ୩ ପଇସା ବଢିଯାଇଥିଲା।

Related story