ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ପୁଲିସ୍ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଗଞ୍ଜେଇ ସର୍ଚ୍ଚ ନାଁରେ ଘରେ ପଶି ମହିଳାଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି କଂଗ୍ରେସ କର୍ମୀ ଓ ସ୍ଥାନୀୟ ଲୋକେ ମାରଣାସ୍ତ୍ର ଧରି ଚିତ୍ରକୋଣ୍ଡା ଥାନା ଘେରାଉ କରିଛନ୍ତି। ପରେ ଥାନା ପରିସରରେ ଥିବା ପୁଲିସ ଗାଡ଼ି ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି।
କିଛି ଦିନ ତଳେ ଗଞ୍ଜେଇ ଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପୁଲିସ୍ ଆର୍ଏସି-୧୩ କଲୋନୀରେ ଚଢ଼ଉ କରିଥିଲା। ପୁଲିସ ରାତି ପ୍ରାୟ ଗୋଟାଏ ବେଳେ ରେଡ୍ କରିଥିଲା। ହେଲେ ଗାଁ ଲୋକେ କବାଟ ଖୋଲିନଥିଲେ। ପରେ ପୁଲିସ ବଳପୂର୍ବକ କବାଟ ଭାଙ୍ଗି ଘର ଭିତରେ ପଶିଥିବା ଅଭିଯୋଗ ହୋଇଥିଲା। ସେଠାରୁ ପୁଲିସ ୧୫୦୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ପୁଲିସ ୫ ଜଣ ମହିଳାଙ୍କୁ ରାତିରେ ପ୍ରବଳ ମାଡ଼ ମାରିଥିଲା। ମାଡ଼ ଖାଇଥିବା ଲୋକଙ୍କ ଭିତରେ ଜଣେ ଗର୍ଭବତୀ ଓ ଜଣେ ନାବାଳିକା ଥିଲେ।
ପୁଲିସର ମାଡ଼ ମାରିବା ଅଭିଯୋଗରେ କଲୋନୀ ଲୋକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏହାକୁ ନେଇ କଲୋନୀ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ପୁଲିସର ଏପରି କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ବିରୋଧ କରିଥିଲା। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ କଂଗ୍ରେସ କର୍ମୀଙ୍କ ସହିତ ଶତାଧିକ ଲୋକ ହାତରେ ମାରଣାସ୍ତ୍ର ଧରି ଚିତ୍ରକୋଣ୍ଡା ଥାନା ଘେରାଉ କରିଥିଲେ। ପରେ ଥାନା କ୍ୟାମ୍ପସ ଭିତରେ ପଶି ଭଙ୍ଗାରୁଜା କରିଥିଲେ। ମାତ୍ର ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।