ବିଦ୍ୟୁତଦର ବୃଦ୍ଧି ପ୍ରତ୍ୟାହାର ନକଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ନହେଲେ କଂଗ୍ରେସ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବଡ଼ଧରଣର ଜନଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଆଜି ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିବାବେଳେ କଂଗ୍ରେସ ଭବନରେ ଦଳ ପକ୍ଷରୁ ତୁରନ୍ତ ଏହି ଦରବୃଦ୍ଧିକୁ ପ୍ରତ୍ୟାହାର ପାଇଁ ଦାବି ହୋଇଛି। ୭ବର୍ଷ ଧରି ବିଦ୍ୟୁତ ଦର ବଢ଼ାଇ ନଥିବା ରାଜ୍ୟ ସରକାର ଟାଟା କମ୍ପାନୀ ହାତକୁ ମାଲିକାନା ଯିବାପରେ […]

CONGRESS

CONGRESS

Manoranjan Sial
  • Published: Tuesday, 29 September 2020
  • Updated: 29 September 2020, 08:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ନହେଲେ କଂଗ୍ରେସ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବଡ଼ଧରଣର ଜନଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଆଜି ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିବାବେଳେ କଂଗ୍ରେସ ଭବନରେ ଦଳ ପକ୍ଷରୁ ତୁରନ୍ତ ଏହି ଦରବୃଦ୍ଧିକୁ ପ୍ରତ୍ୟାହାର ପାଇଁ ଦାବି ହୋଇଛି। ୭ବର୍ଷ ଧରି ବିଦ୍ୟୁତ ଦର ବଢ଼ାଇ ନଥିବା ରାଜ୍ୟ ସରକାର ଟାଟା କମ୍ପାନୀ ହାତକୁ ମାଲିକାନା ଯିବାପରେ ଦର ବୃଦ୍ଧି କରିବା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ରହିଛି ଓ ଗ୍ରୀଡକୋର ୭ହଜାର କୋଟି ଟଙ୍କା କାହିଁକି ଆଦାୟ ହେଉନି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ପଂଚାନନ କାନୁନଗୋ ଓ ଗଣେଶ୍ୱର ବେହେରା ବିଦ୍ୟୁତ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କରୋନା ମହାମାରୀ ସମୟରେ ବିଦ୍ୟୁତ୍ ଉପଭୋକ୍ତାମାନଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଛୋଟବଡ଼ ଦୋକାନୀ, ବିଦ୍ୟୁତ୍ ବ୍ୟବହାରକାରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ତଥା କୃଷି ସହିତ ସଂପୃକ୍ତ ବିଦ୍ୟୁତ୍ ବ୍ୟବହାରକାରୀମାନେ ଏପର୍ଯ୍ୟନ୍ତ ଅଂଟା ସଳଖି ଛିଡ଼ା ହୋଇପାରି ନାହାନ୍ତି। ଏହି ବର୍ଗର ବିଦ୍ୟୁତ୍ ବ୍ୟବହାର ରାଜ୍ୟର ମୋଟ୍ ବିଦ୍ୟୁତ୍ ବ୍ୟବହାରର ୫୭% ରୁ ଅଧିକ। ସେହିପରି ରାଜ୍ୟରେ ସବୁ ଖର୍ଚ୍ଚ ମିଶି ବିଦ୍ୟୁତ୍ କ୍ରୟ ୟୁନିଟ୍ ପିଛା ୩ ଟଙ୍କା ୫୦ ପଇସାରୁ ଅଧିକ ନୁହେଁ। କିନ୍ତୁ ୟୁନିଟ୍ ପିଛା ଏବେ ୮ ଟଙ୍କାରେ ବିକ୍ରି ପ୍ରସ୍ତାବ କାହା ସ୍ୱାର୍ଥରେ କରାଗଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଗ୍ରୀଡକୋର ପାଖାପାଖି ୭ ହଜାର କୋଟି ଟଙ୍କା ବିଭିନ୍ନ କମ୍ପାନୀ ଉପରେ ବକେୟା ପଡ଼ିଥିବାବେଳେ ବିତରକ କମ୍ପାନୀମାନଙ୍କର ପାଖାପାଖି ୨ ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କ ଉପରେ ବାକି ପଡ଼ିଛି। ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ୍ୱ ଏ ପର୍ଯ୍ୟନ୍ତ ବିତରଣ ଜନିତ କ୍ଷତି ୩୭% ରୁ ଅଧିକ ରହିଛି। ଯାହାକି ଜାତୀୟ ହାରଠାରୁ ଦୁଇଗୁଣ ଅଧିକ ଓ କେତେକ ରାଜ୍ୟରେ ଏହି ହାର ୮% ରୁ ୧୦% ମଧ୍ୟରେ ରହିଛି। ତେଣୁ ଗୋଟିଏ ଉଚ୍ଚ ବୈଷୟିକ ଜ୍ଞାନସମ୍ପନ୍ନ ସ୍ୱାଧୀନ ସଂସ୍ଥା ଦ୍ୱାରା ଏନର୍ଜି ଅଡିଟ୍ କରିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି।

ସେସୁକୁ ଦୁର୍ବଳ କରିବାକୁ ୭ ବର୍ଷ ଧରି ଦରବୃଦ୍ଧି କରିନଥିଲେ? ଟାଟା ନେବା ପରେ ଦର ବୃଦ୍ଧି କ’ଣ ପାଇଁ ଓ କାହା ସ୍ୱାର୍ଥରେ ବୋଲି ସେ ପ୍ରଶ୍ନ କରିଥିଲେ। ଓଡିଶା ସରକାର ତୁରନ୍ତ ବର୍ଦ୍ଧିତ ବିଜୁଳି ଦରକୁ ପ୍ରତ୍ୟାହାର ନକଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଗାମୀ ଦିନରେ ବଡ ଧରଣର ଜନଆନ୍ଦୋଳନକୁ କଂଗ୍ରେସ ଦଳ ଓହ୍ଲାଇବ ବୋଲି ମୁଖପାତ୍ର ପ୍ରଶାନ୍ତ ଶତପଥି ଚେତାବନୀ ଦେଇଥିଲେ। କରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ୍ ଦର ବୃଦ୍ଧି ଜନିତ ଅତିରିକ୍ତ ଆର୍ଥିକ ବୋଝ ନ ଲଦିବା ପାଇଁ ଶ୍ରୀ ଶତପଥି ରାଜ୍ୟ ସରକାରଙ୍କୁ ଅପିଲ୍ କରିଥିଲେ। ଅନ୍ୟପକ୍ଷରେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦ ଓ ଫ୍ରାଂଚାଇଜ୍ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଓଇଆରସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos