ମହାପ୍ରଭୁଙ୍କ ସହ ଷଡ଼ଯନ୍ତ୍ର: ସମୟ ଗଡ଼ାଇବାକୁ ଏଏସଆଇ ଓ ଓଡ଼ିଶା ସରକାରଙ୍କ ଅସାଧୁ ମେଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ନିଷୋଧାଂଚଳ ଭିତରେ ରାଜ୍ୟ ସରକାର ବେଆଇନ ନିର୍ମାଣ ବନ୍ଦ ହେବାର ନାଁ ଧରୁନି । ସଂସଦ ଓ ବିଧାନସଭାରେ ଉଦବେଗ, ହାଇକୋର୍ଟରେ ମାମଲା, ଶ୍ରଦ୍ଧାଳୁଙ୍କ ଉଦବେଗ ସତ୍ତ୍ୱେ ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ଆଳରେ ରାଜ୍ୟ ସରକାର ନିଷେଧାଂଚଳର ୧୦୦ମିଟର ଭିତରେ ‘କଳା ପାହାଡ଼’ ସଦୃଶ ଖନନ କାର୍ଯ୍ୟ ଜାରି ରଖିଛନ୍ତି । ଆଉ ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ସଂସ୍ଥା […]

Puri temple

Puri temple

Ordigital Desk
  • Published: Thursday, 21 April 2022
  • Updated: 21 April 2022, 09:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ନିଷୋଧାଂଚଳ ଭିତରେ ରାଜ୍ୟ ସରକାର ବେଆଇନ ନିର୍ମାଣ ବନ୍ଦ ହେବାର ନାଁ ଧରୁନି । ସଂସଦ ଓ ବିଧାନସଭାରେ ଉଦବେଗ, ହାଇକୋର୍ଟରେ ମାମଲା, ଶ୍ରଦ୍ଧାଳୁଙ୍କ ଉଦବେଗ ସତ୍ତ୍ୱେ ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ଆଳରେ ରାଜ୍ୟ ସରକାର ନିଷେଧାଂଚଳର ୧୦୦ମିଟର ଭିତରେ ‘କଳା ପାହାଡ଼’ ସଦୃଶ ଖନନ କାର୍ଯ୍ୟ ଜାରି ରଖିଛନ୍ତି । ଆଉ ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ସଂସ୍ଥା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ) ନିରବଦ୍ରଷ୍ଟା ସାଜିଛି । ଏପରିକି ଶ୍ରୀମନ୍ଦିରର ମେଘନାଦ ପାଚେରୀଠୁ ମାତ୍ର ଅଳ୍ପ କିଛି ଦୂରରେ ନିଷେଧାଂଚଳ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଟାଟା କମ୍ପାନୀ କରୁଥିବା ନିର୍ମାଣ କାର୍ଯ୍ୟକୁ ଯେନତେନ ପ୍ରକାରେ ସାରିବା ପାଇଁ ସମୟ ଗଡ଼ାଇବାକୁ ସୁଚିନ୍ତିତ ଷଡ଼ଯନ୍ତ୍ର ହୋଇଥିବା ଜଣାପଡ଼ିଛି । ହାଇକୋର୍ଟରେ ସତ୍ୟପାଠ ଦାଖଲ ପାଇଁ ଏଏସଆଇ ପୁଣି ସମୟ ନେଇଥିବାବେଳେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହ କମିଟି ଏହି କାର୍ଯ୍ୟକୁ ତଦାରଖ ପାଇଁ ପୁରୀ ଯିବେ କି ନାହିଁ ତା’ର ଆଇନଗତ ତର୍ଜମା କରାଯାଉଛି କହି ସମୟ ଗଡ଼ାଇବାକୁ ଉଦ୍ୟମ କରିଛନ୍ତି । ଯଦିଓ ହାଇକୋର୍ଟରେ ମାମଲା ଥିବା ସତ୍ତ୍ୱେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟର ସଂସଦୀୟ କମିଟି ଆଜି ପୁରୀ ଗସ୍ତ କରି ଏହି ନିର୍ମାଣ କାର୍ଯ୍ୟକୁ ତଦାରଖ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଆଳରେ ରାଜ୍ୟ ସରକାର ମେଘନାଦ ପାଚେରୀଠୁ ୭୫ମିଟର ପରିସରରେ ଥିବା ସମସ୍ତ କୋଠାବାଡ଼ିକୁ ଭାଙ୍ଗି ଦେଇଥିଲେ । ପରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଳରେ ୧୦୦ମିଟର ଅଂଚଳକୁ ଅଧିଗ୍ରହଣ କରିଥିଲେ । ଆଉ ୨୦୧୯ ଡିସେମ୍ବର ମାସରେ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’କୁ ଅନୁମୋଦନ ଜଣାଇଥିବା ରାଜ୍ୟ ସରକାର ୨୦୨୧ ଅଗଷ୍ଟ ମାସରେ ଅବଢ଼ା ଯୋଜନାରେ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ କରିବା ନିମନ୍ତେ ୩୩୧.୨୮କୋଟି ଟଙ୍କା ବ୍ୟୟର ଟେଣ୍ଡର ଟାଟା ପ୍ରୋଜେକ୍ଟକୁ ଟେଣ୍ଡର ଆକାରରେ ଦେଇଥିଲେ । ଆଉ ଟାଟା କମ୍ପାନୀ ଏହି କାର୍ଯ୍ୟକୁ ନେବା ପରେ ଶ୍ରୀମନ୍ଦିରର ସବୁ ପାଶ୍ୱର୍ରେ ମେଘନାଦ ପାଚେରୀ ପାଖ ତଥା ନିଷେଧାଂଚଳରେ ଜେସିବି ଲଗାଇ ଖନନ କରିବା ପରେ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଯାଇଥିଲା। ଆମ୍‌ସାର ଆଇନ-୧୯୫୮ ଓ ଆମ୍‌ସାର ସଂଶୋଧନ ଆଇନ- ୨୦୧୦ ଅନ୍ତର୍ଗତ ଶ୍ରୀମନ୍ଦିରର ୧୦୦ମିଟର ପରିସରରେ କୌଣସି ପ୍ରକାରର ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ପ୍ରାବଧାନ ଥିବା ସତ୍ତ୍ୱେ ଓଡ଼ିଶା ସରକାର ନିର୍ମାଣ କାର୍ଯ୍ୟ କରିବା ଜିଦରେ ଅଟଳ ରହିଛନ୍ତି ।

ଏବେବି ସେଠାରେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଅବଶ୍ୟ ଶ୍ରୀମନ୍ଦିରର ୧୦୦ମିଟର ନିଷେଧାଂଚଳ ମଧ୍ୟରେ ନିର୍ମାଣ କାର୍ଯ୍ୟକୁ ବିରୋଧ ହେବାପରେ ୨୦୨୨ ଫେବୃୟାରୀ ୫ତାରିଖରେ ପୁରୀସ୍ଥିତ ଏଏସଆଇ କାର୍ଯ୍ୟାଳୟ ତୁରନ୍ତ କାମ ବନ୍ଦ ପାଇଁ ନୋଟିସ୍ ଜାରି କରିଥିଲା । କିନ୍ତୁ ଓଡ଼ିଶା ହାଇକୋର୍ଟରେ ଏପ୍ରିଲ ୮ ତାରିଖରେ ଏକ ଜନସ୍ୱାର୍ଥ ମାମଲାରେ ଆଡଭୋକେଟ୍ ଜେନେରାଲ ଯେଉଁ ଦସ୍ତାବିଜ ଖଣ୍ଡପୀଠଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ତାହା ଏଏସଆଇ ଓ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି(ଏନଏମଏ)ଙ୍କ ଭୂମିକାକୁ ସନ୍ଦେହଘେରକୁ ଆଣିଛି । ବିଶେଷକରି ଏଏସଆଇ ପକ୍ଷରୁ ଓକିଲ ପିକେ ପରହି ହାଜର ହୋଇ ପିଟିସନକୁ ଅନୁଧ୍ୟାନ କରି ସତ୍ୟପାଠ ଦାଖଲ ନିମନ୍ତେ ଏପ୍ରିଲ ୧୮ତାରିଖ ପର୍ଯ୍ୟନ୍ତ ମହଲତ ମାଗିଥିଲେ । କିନ୍ତୁ ଆଜିର ଶୁଣାଣିବେଳେ ସତ୍ୟପାଠ ଦାଖଲ ପାଇଁ ଏଏସଆଇ ପୁଣି ୨ସପ୍ତାହ ସମୟ ନେଇଛି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏପ୍ରିଲ ୮ତାରିଖରେ ଉଭୟ ଏଏସଆଇ ଓ ରାଜ୍ୟ ସରକାରଙ୍କୁ ମିଳିତ ଅନୁଧ୍ୟାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏ ଦିଗରେ ଉଭୟ ସାମାନ୍ୟତମ ପଦକ୍ଷେପ ନେଇନାହାନ୍ତି । ଆଉ ହାଇକୋର୍ଟ ବି ଏଏସଆଇ କର୍ତ୍ତୃପକ୍ଷଙ୍କ ଏଭଳି ଦିନ ଗଡ଼ାଇବା ଭଳି ପଦକ୍ଷେପକୁ ନେଇ କଠୋର ଆଭିମୁଖ୍ୟ ପୋଷଣ କରିନଥିବା ଜଣାପଡ଼ିଛି।

ଏପଟେ ସଂସଦୀୟ କମିଟିର ସଦସ୍ୟ ଶମ୍ଭାଜୀ ଛତ୍ରପତି ବିସ୍ତୃତ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ଅନୁମୋଦନ ବିନା କାମ ହେବାକୁ ନାପସନ୍ଦ କରିଛନ୍ତି । ନିଷେଧାଂଚଳ ଭିତରେ କୌଣସି କାର୍ଯ୍ୟ ଏଏସଆଇର ବିନା ଅନୁମତିରେ ହେବା ଅନୁଚିତ୍। ଏଏସଆଇ ସହ ସମନ୍ୱୟ ରକ୍ଷା କରି ରାଜ୍ୟ ସରକାର ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ କାର୍ଯ୍ୟ କରିବା ଉଚିତ୍ । କେଉଁ ପରିସ୍ଥିତିରେ ଡିପିଆରକୁ ଅନୁମୋଦନ ମିଳିନି ଓ କାମ ଜାରି ରହିଛି ସେ ନେଇ ଏଏସଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

ଆଜି ପୁରୀ ଗସ୍ତରେ ଥିବା ଏଏସଆଇ ଅତିରିକ୍ତ ଡିଜି ଆଲୋକ ତ୍ରିପାଠୀ ନିଷୋଧାଂଚଳରେ ଚାଲିଥିବା ନିର୍ମାଣ କାର୍ଯ୍ୟ ସମ୍ପର୍କରେ ମୁହଁ ଖୋଲିନାହାନ୍ତି। ଗଣମାଧ୍ୟମର ବାରମ୍ବାର ପ୍ରଶ୍ନ ସତ୍ତ୍ୱେ ସେ ଏହାକୁ ଏଡ଼ାଇ ଯାଇଛନ୍ତି। ଯାହାକି ରାଜ୍ୟ ସରକାରଙ୍କ ସହ ଏଏସଆଇର ଭିତରି ବୁଝାମଣାର ଅସଲ ଚରିତ୍ରକୁ ପଦାକୁ ଆଣିଛି।

ସେହିପରି ବିଧାୟକମାନଙ୍କ ଉଦବେଗ ଯୋଗୁ ମାର୍ଚ୍ଚ ୩୧ତାରିଖରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୮ ଜଣିଆ ଗୃହ କମିଟି ମଧ୍ୟ ଏହି ନିର୍ମାଣ କାର୍ଯ୍ୟକୁ ତଦାରଖରୁ ନିଜକୁ ଦୂରେଇ ରଖିବା ପାଇଁ ଆଳ ଦେଖାଇଛନ୍ତି । ଥରେ ଏହି ଗୃହ କମିଟିର ବୈଠକ ଡାକି ଦୁଇ ଘଣ୍ଟା ପୂର୍ବରୁ ବାତିଲ କରିଥିବା ବାଚସ୍ପତି ଶ୍ରୀ ପାତ୍ର ଗୃହ କମିଟିର ହସ୍ତକ୍ଷେପର ଆଇନଗତ ତର୍ଜମା କରାଯାଉଥିବା କହିଛନ୍ତି । ହାଇକୋର୍ଟରେ ମାମଲାର ବିଚାରାଧୀନ ଥିବାରୁ ଏ ଦିଗରେ ଆଇନଗତ ପରାମର୍ଶ ନେବା ଜରୁରୀ ବୋଲି କହି ସମୟ ଗଡ଼ାଇଛନ୍ତି।

ଆଉ ଏସବୁ ଭିତରେ କୋଟିକୋଟି ଶ୍ରଦ୍ଧାଳୁଙ୍କ ଆସ୍ଥାର ପ୍ରତୀକ ‘ଶ୍ରୀମନ୍ଦିର’ର ନିଷେଧାଂଚଳ ଭିତରେ ବଡ଼ ବଡ଼ ମେସିନ୍ ଲଗାଇ ଖନନ ଓ ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟ ସରକାର ଜାରି ରଖିଛନ୍ତି । ବିରୋଧ ସତ୍ତ୍ୱେ ଏଭଳି ତରବରିଆ ନିର୍ମାଣ ପଛରେ ସରକାରଙ୍କ କ’ଣ ଉଦ୍ଦେଶ୍ୟ ରହିଛି ଓ ଏଏସଆଇଠୁ ଆରମ୍ଭ କରି ବିଧାନସଭା ଗୃହ କମିଟି ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇ ପରୋକ୍ଷରେ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos