ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଟିଭି ବିରୋଧରେ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର। ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶୈବପୀଠ ଭଳି ଭଦ୍ରକ ଆରଡ଼ି ସ୍ଥିତ ଆଖଣ୍ଡଳମଣିଙ୍କ ପୀଠରେ ବି ଜାଗର କଭରେଜ୍ ବେଳେ, ଓଟିଭି ସୋଶାଲ୍ ମିଡିଆରେ ଜଣେ କୁନି ବ୍ରାହ୍ମଣଙ୍କ ଏକ ମଜାଦାର ଭିଡିଓ ଛଡ଼ାଯାଇଥିଲା। ଏଥିରେ ନା ଥିଲା କାହା ପ୍ରତି ଆକ୍ଷେପ, ନା ସମାଲୋଚନା । ତେବେ ଏହାକୁ ଆଧାର କରି ଓଟିଭିକୁ ବଦ୍ନାମ କରିବା ପାଇଁ, ଭଦ୍ରକ ଆରଡ଼ି ପୀଠର କିଛି ନ୍ୟସ୍ତ ସ୍ୱାର୍ଥ ସେବାୟତ ଗତ ୨୪ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯାହାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ସଚେତନ ନାଗରିକ ଓ ବୁଦ୍ଧିଜୀବୀ।
ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର କଭରେଜ୍ ବେଳେ, ଜଣେ କୁନି ପିଲାର ମନ୍ତ୍ରପାଠ ‘ମୁଁ ଚୁଇଁ ଗୋସେଇଁ’ ନାଁରେ, ଏକ ମଜାଦାର ଭିଡିଓ ଓଟିଭି ସୋଶାଲ୍ ମିଡିଆରେ ଛଡ଼ାଯାଇଥିଲା। ଏହାକୁ କେତେକ ସେବାୟତ ଓଟିଭି କ୍ୟାମେରାମ୍ୟାନଙ୍କ ଦ୍ୱାରା ପ୍ରାୟୋଜିତ ବୋଲି ଅଭିଯୋଗ କରିଥିଲେ।ତେବେ ସେଦିନ ଏହାକୁ ସୁଟିଂ କଲା ବେଳେ ଘଟଣାସ୍ଥଳରେ ଡ୍ୟୁଟିରେ ଥିବା ଭଦ୍ରକ ଅତିରିକ୍ତ ଏସ୍ପି କହିଛନ୍ତି ପିଲାଟିକୁ ଦେଖି କୌତୁହଳ ଲାଗିଲା। ମୁଁ ତାକୁ ସ୍ନେହରେ ଡାକି ପଚାରିଲି କଣ କରୁଛୁରେ ବାପା। ଏହି ସମୟରେ କିଛି ସାମ୍ବାଦିକଙ୍କୁ ପିଲାଟିର ଭିଡିଓ ସୁଟ୍ କରିବା ପାଇଁ କହିଥିଲି। ଏହା ପଛରେ କୌଣସି ପ୍ରାୟୋଜିତ ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି।
ନା ଆଖଣ୍ଡଳମଣି ପୀଠ, ନା ପଣ୍ଡା-ସେବାୟତ। କାହାକୁ ବି ଅପମାନ କରିବା ଉକ୍ତ ଭିଡିଓ ପ୍ରସାରିତ କରିବା ପଛର ଉଦ୍ଦେଶ୍ୟ ନଥିଲା। ତେବେ ବଡ଼ ପ୍ରଶ୍ନ ଅଭିଯୋଗ ନିରାଧାର ଜାଣି ମଧ୍ୟ ହଠାତ୍ ଏଭଳି ପ୍ରତିକ୍ରିୟା କାହିଁକି? ଏହା ପଛରେ କାହାର ରହିଛି ମନ୍ଦ ଉଦ୍ଦେଶ୍ୟ? ଚର୍ଚ୍ଚା ହେଉଛି, ଏଭଳି ଓଟିଭି ବିରୋଧୀ ବିକ୍ଷୋଭ ପଛରେ କିଛି ନ୍ୟସ୍ତସ୍ୱାର୍ଥ ସେବାୟତଙ୍କର ଭୂମିକା ରହିଛି ଯାହାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଓଟିଭି ଲଗାତାର ଭାବେ ଆରଡ଼ିର ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରୁ ଜାଗରରେ ସିଧାପ୍ରାସରଣ ସହ ନିୟମିତ କଭରେଜ୍ କରିଆସୁଛି । ତେବେ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏକ ନିରାଧାର ପ୍ରସଙ୍ଗକୁ ନେଇ ଓଟିଭିକୁ ବଦନାମ୍ କରିବା ଲାଗି ଏଭଳି ଅପଚେଷ୍ଟା କରିବା କେତେଦୂର ଠିକ୍ ଏହା ଆମେ ଦର୍ଶକଙ୍କ ବିଚାର ଉପରେ ଛାଡୁଛୁ ।