ବକେୟା ଦାବି କମ୍ପାନୀ ଗେଟ୍‌ରେ ତାଲା ପକାଇଲେ ଠିକା କର୍ମଚାରୀ

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲା ସାହାଜବାହଲ ସ୍ଥିତ ‘ଇଣ୍ଡାବରାତ ଏନର୍ଜି ଉତ୍କଳ ଲିମିଟେଡର’ ଶ୍ରମିକ ଅଶାନ୍ତି ଦେଖାଦେଇଛି। ବକେୟା ଦରମା ଦାବି କରି ଠିକା କର୍ମଚାରୀମାନେ ପ୍ଲାଣ୍ଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନମାନେ ଚେତାବନୀ ଦେଇଛନ୍ତି।

ବିଜୁଳି ଉତ୍ପାଦନ ପାଇଁ ସାହାଜବାହଲରେ ଏକ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଉନଥିବାରୁ ବିଜୁଳି ଉତ୍ପାଦନ ହୋଇପାରୁ ନାହିଁ। ଯାହାଦ୍ୱାରା କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଯାହାଫଳରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ୯ ମାସ ହେବ ଦରମା ପାଇନାହାନ୍ତି। ବକେୟା ଦରମା ପ୍ରଦାନ ଦାବିରେ ଆଜି ଠିକା କର୍ମଚାରୀମାନେ ଗେଟର ତାଲା ପକାଇ ଧାରଣାରେ ବସିଥିଲେ।