ପୁରୀ(ଓଡ଼ିଶା ରିପୋର୍ଟର): କୁନି ବୟସରେ ସଞ୍ଚୟ କରିବା ଆରମ୍ଭ କରିଥିଲେ। ଘରୁ କେବେ କେମିତି ମିଳୁଥିବା ପକେଟ ମନିକୁ ଖର୍ଚ୍ଚ ନକରି ବଞ୍ଚାଇ ଥିଲେ। ଇଚ୍ଛା ଥିଲା ସଞ୍ଚିତ ଅର୍ଥକୁ କେବେ କେମିତି ସୌକ କରିଥାନ୍ତେ। ହେଲେ କରୋନା ଲଢ଼େଇରେ ସାରା ଦେଶ ଯେତେବେଳେ ସଙ୍କଟ ଦେଇ ଗତି କରୁଛି ଛୋଟ ପିଲାଟିଏ ହେଲେ ବି ତାଙ୍କ ମନରେ କରୋଣା ଜାଗ୍ରତ ହୋଇଛି। ଆଉ ସେ ସଞ୍ଚୟ କରିଥିବା ୧୦,୦୦୦ ଟଙ୍କାକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିଦେଇଛନ୍ତି। ପୁରୀର ସେବାୟତ କୋଳର ସେ ହେଉଛନ୍ତି ପ୍ରଦ୍ୟୁମ୍ନ ମହାସୁଆର। ସେ ଏବେ ଦଶମ ଶ୍ରେଣୀର ଛାତ୍ର। ଆଉ ସେ ସଞ୍ଚୟ କରିଥିବା ୧୦,୦୦୦ ଟଙ୍କାକୁ ପୁରୀ ଏଡିଏମଙ୍କ ସହାୟତାରେ ଦାନ କରିଦେଇଛନ୍ତି।
ପ୍ରଦ୍ୟୁମ୍ନ କହିଛନ୍ତି ଯେ, ଲକ୍ଡାଉନ ବେଳେ ବହୁ ଗରିବ ଲୋକେ ଖାଇବାକୁ ପାଉନାହାନ୍ତି। ପାଖାପାଖି ୩ ବର୍ଷ ଧରି ପକେଟ ମନିକୁ ମୁଁ ସଞ୍ଚୟ କରି ରଖିଥିଲି। ଏହାକୁ କେବେ କେମିତି ଖର୍ଚ୍ଚ କରିଥାନ୍ତି। ହେଲେ ସେଇ ଅର୍ଥକୁ ମୁଁ ମହତ ଉଦ୍ଦେଶ୍ୟରେ ଦାନ କରିଦେଇଛି। ସେ କହିଛନ୍ତି ଯେ, ଏହି ସମୟରେ ନିଜ ସାଧ୍ୟ ଅନୁଶାରେ ସମସ୍ତେ କିଛି କିଛି ସାହାଯ୍ୟ କରିବା ଉଚିତ୍। ବାପା ତାଙ୍କର ହେଉଛନ୍ତି କାଶୀନାଥ ମହାସୁଆର। ବୃତିର ସେ ମହାପ୍ରଭୁଙ୍କ ସୁଆର ସେବାୟତ।
ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ କରିଥାନ୍ତି କାଶୀନାଥ। ମହାପ୍ରଭୁଙ୍କର ଅନେକ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। କାଶୀନାଥ କହିଛନ୍ତି ଯେ, ଏତେ ଛୋଟ ବେଳୁ ପୁଅର ସାମାଜିକ ଦାୟିତ୍ୱବୋଧତା ଦେଖି ମୋତେ ଖୁସି ଲାଗୁଛି। ଏହି ବୟସରେ ଦାନ ପାଇଁ ସେ କହିପାରିଥିବାରୁ ମୋତେ ଆନନ୍ଦ ଲାଗିଲା। ତେବେ ସମାଜ ପାଇଁ କିଛି କରିବାର ଯେଉଁ ଲକ୍ଷ ରହିଥିଲା ତାର ଦୃଷ୍ଟାନ୍ତ ହେଉଛନ୍ତି ପ୍ରଦ୍ୟୁମ୍ନ ମହାସୁଆର ଏହା ନିଶ୍ଚିତ କହିହେବ।