କରୋନା ମୁକାବିଲା: ‘କ୍ରିଟିକାଲ’ ବର୍ଗରେ ସାମିଲ ହେଲା ଆଉ ୫ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଥିବା ରାଜ୍ୟ ସରକାର କୃଷି କାର୍ଯ୍ୟରେ ବାଧା ସୃଷ୍ଟି ନହେବା ପାଇଁ ଆଜି ଆଉ ୫ଟି ବିଭାଗକୁ କ୍ରିଟିକାଲ ବର୍ଗରେ ସାମିଲ କରିଛନ୍ତି। କରୋନାରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ କର୍ମଚାରୀଙ୍କୁ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ମାତ୍ର ୬ଟି ବିଭାଗକୁ କ୍ରିଟିକାଲ ବର୍ଗରେ ସାମିଲ କରିଥିଲେ। ମାତ୍ର ଆଜି ଏହି କ୍ରିଟିକାଲ ବର୍ଗରେ ବିଭାଗର […]

Novel Coronavirus

Manoranjan Sial
  • Published: Saturday, 11 April 2020
  • , Updated: 11 April 2020, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରିଥିବା ରାଜ୍ୟ ସରକାର କୃଷି କାର୍ଯ୍ୟରେ ବାଧା ସୃଷ୍ଟି ନହେବା ପାଇଁ ଆଜି ଆଉ ୫ଟି ବିଭାଗକୁ କ୍ରିଟିକାଲ ବର୍ଗରେ ସାମିଲ କରିଛନ୍ତି। କରୋନାରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ କର୍ମଚାରୀଙ୍କୁ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ମାତ୍ର ୬ଟି ବିଭାଗକୁ କ୍ରିଟିକାଲ ବର୍ଗରେ ସାମିଲ କରିଥିଲେ। ମାତ୍ର ଆଜି ଏହି କ୍ରିଟିକାଲ ବର୍ଗରେ ବିଭାଗର ସଂଖ୍ୟାକୁ ୧୧କୁ ବୃଦ୍ଧି କରିଛନ୍ତି।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ୧୧ଟି ବିଭାଗ କ୍ରିଟିକାଲ ବର୍ଗରେ, ୧୨ଟି ବିଭାଗ ଓ ଗୋଟିଏ ପ୍ରତିଷ୍ଠାନ ଆଂଶିକ କ୍ରିଟିକାଲ ବର୍ଗରେ ଓ ୧୭ଟି ବିଭାଗକୁ ଅଣ କ୍ରିଟିକାଲ ବର୍ଗରେ ବିଭକ୍ତ କରାଯାଇଛି। ପୂର୍ବରୁ କିଟ୍ରିକାଲ ବର୍ଗରେ ୬ଟି ବିଭାଗକୁ ରଖିଥିବାବେଳେ ଆଂଶିକ କ୍ରିଟିକାଲ ବର୍ଗରେ ୯ଟି ବିଭାଗ ଓ ଅନ୍ୟ ୨୫ଟି ବିଭାଗକୁ ଅଣକ୍ରିଟିକାଲ ବର୍ଗରେ ରାଜ୍ୟ ସରକାର ସାମିଲ କରିଥିଲେ। କ୍ରିଟିକାଲ ବର୍ଗର ବିଭାଗଗୁଡ଼ିକର ଅତିକମରେ ୫୦ ପ୍ରତିଶତ କର୍ମଚାରୀ ଅଫିସ ଆସିବେ। ସେହିପରି ଆଂଶିକ କ୍ରିଟିକାଲ ବିଭାଗର ମାତ୍ର ୧୦ ପ୍ରତିଶତ କର୍ମଚାରୀମାନଙ୍କୁ ଅଫିସ୍ ଆସିବାକୁ କୁହାଯାଇଥିବାବେଳେ ଅଣ କ୍ରିଟିକାଲ ବର୍ଗର ୧୭ଟି ବିଭାଗର କର୍ମଚାରୀଙ୍କୁ ଅଫିସ୍ ନଆସିବା ପାଇଁ ପରାମର୍ଶ ଦିଆଯାଇଛି। ଅଣକ୍ରିଟିକାଲ ବିଭାଗର ଅଫିସର ଓ କର୍ମଚାରୀମାନେ ଅଫିସ୍ ଆସିବେ ନାହିଁ କିନ୍ତୁ ସ୍ୱଳ୍ପ ବ୍ୟବଧାନର ନୋଟିସ୍ ମଧ୍ୟରେ ଅଫିସ୍ ଆସିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥିବେ। ଯେଉଁ କର୍ମଚାରୀମାନେ ଅଫିସ୍ ଆସିବେ ନାହିଁ ସେମାନେ ଘରୁ ରହି କାର୍ଯ୍ୟ କରିବେ ବୋଲି ସରକାରଙ୍କ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି।

ସରକାରଙ୍କ ପକ୍ଷରୁ ଜାରି ସଂଶୋଧିତ ନିର୍ଦ୍ଦେଶନାମା ଅନୁସାରେ, କୋଭିଡ-୧୯ ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ କ୍ରିଟିକାଲ ବର୍ଗରେ ଥିବା ୬ଟି ବିଭାଗ ଯଥା ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଏସଆରସି ଓ ଓସଡମା ସମେତ କୃଷି ଓ କୃଷକ କଲ୍ୟାଣ, ସମବାୟ, ମତ୍ସ୍ୟ ଓ ପଶୁପାଳନ, ଶ୍ରମ ଓ ଇଏସଆଇ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ସାମିଲ କରାଯାଇଛି।

ସେହିପରି ବାଣିଜ୍ୟ ଓ ପରିବହନ, ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି, ଶକ୍ତି, ଅର୍ଥ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ରାଜସ୍ୱ, ଅନୁସୂଚିତ ଜାତି ଓ ଜନଜାତି, ମହିଳା ଓ ଶିଶୁ ବିକାଶ, ଏସଏସଇପିଡି, ଇସ୍ପାତ ଓ ଖଣି, ପୂର୍ତ୍ତ ବିଭାଗ ଓ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ‘ଆଂଶିକ କ୍ରିଟିକାଲ’ ଭାବେ ବର୍ଗୀକୃତ କରାଯାଇଛି। ଏସବୁ ବିଭାଗର ଅତିକମରେ ୧୦ ପ୍ରତିଶତ କର୍ମଚାରୀ ଅଫିସ ଆସିବେ। ସଚିବମାନେ ନିଜର ପ୍ରମୁଖ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଅଫିସରେ ନିଶ୍ଚିତ ଭାବେ ଉପସ୍ଥିତ ରହିବେ।

ସେହିପରି ଅନ୍ୟ ୧୭ଟି ବିଭାଗକୁ ଅଣ କ୍ରିଟିକାଲ ବର୍ଗରେ ସାମିଲ କରାଯାଇଛି ସେଗୁଡ଼ିକ ହେଲା ଅବକାରୀ,ହସ୍ତତନ୍ତ ଓ ବୟନଶିଳ୍ପ, ଉଚ୍ଚଶିକ୍ଷା,ଶିଳ୍ପ, ଆଇନ, ଏମଏସଏମଇ, ସଂସ୍କୃତି , ପର୍ଯ୍ୟଟନ, ସଂସଦୀୟ ବ୍ୟାପାର, ଯୋଜନା ଓ ସଂଯୋଜନ, ସାଧାରଣ ଉଦ୍ୟୋଗ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଦକ୍ଷତାବିକାଶ ଓ ବୈଷିୟକ ଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର, ଜଳସମ୍ପଦ ବିଭାଗ ବୋଲି ଆଜି ପ୍ରକାଶିତ ନିର୍ଦ୍ଦେଶନାମାରେ କୁହାଯାଇଛି।

Related story