ଆଉ ୮୦ ଆକ୍ରାନ୍ତ ଚିହ୍ନଟ; ୧୨ଶହ ଟପିଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୪୩୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ବାକି ୮୨୬ ଜଣଙ୍କ ଚିକିତ୍ସା ଚାଲିଛି। ନୂଆ କରି ଚିହ୍ନଟ ହୋଇଥିବା ଏହି ୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ […]

corona

Jitendra Garnayak
  • Published: Saturday, 23 May 2020
  • , Updated: 23 May 2020, 01:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୪୩୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ବାକି ୮୨୬ ଜଣଙ୍କ ଚିକିତ୍ସା ଚାଲିଛି।

ନୂଆ କରି ଚିହ୍ନଟ ହୋଇଥିବା ଏହି ୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ବାକି ୭ ଜଣ ସ୍ଥାନୀୟ ଅଞ୍ଚଳର।

ନୂତନ ଭାବେ ଚିହ୍ନଟ ହୋଇଥିବା ଏହି ୮୦ ପଜିଟିଭ୍ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୧୯ ଜଣ ଅଛନ୍ତି। ସେହିପରି ଯାଜପୁରରୁ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩, ପୁରୀରୁ ୧୭ ଓ କଟକରୁ ଜଣେ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ଆଉ ୫ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ରୁ ୫, ବଲାଙ୍ଗିରରୁ ୧, ମାଲକାନଗିରିରୁ ୫, କନ୍ଧମାଳରୁ ୨, ଝାରସୁଗୁଡ଼ାରୁ ୩, ଗଜପତିରୁ ୪ ଓ ନବରଙ୍ଗପୁରରୁ ଜଣେ ଚିହ୍ନଟ ହୋଇଛନ୍ତି।

ନବରଙ୍ଗପୁରରେ ଜଣେ ଚିହ୍ନଟ ହୋଇଥିବା ବେଳେ ଏହି ଜିଲ୍ଲାରେ କରୋନା ପ୍ରଥମ ଥର ପାଇଁ ପ୍ରବେଶ କରିଛି। ସେହିପରି ଗଜପତି ଜିଲ୍ଲାରେ ବି କରୋନା ଭୂତାଣୁ ପ୍ରବେଶ କରିଛି। ଏଠାରେ ୪ ଜଣ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟର ୨୬ ଜିଲ୍ଲାରେ ପ୍ରବେଶ କରିଛି କରୋନା।

୧୯ ନୂଆ ଆକ୍ରାନ୍ତଙ୍କ ସହିତ ଗଞ୍ଜାମରେ ମୋଟ ସଂଖ୍ୟା ୩୪୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭୬ ଜଣ ଚିକିତ୍ସାଧୀନ ଥିବା ବେଳେ ୧୬୨ ଜଣ ସୁସ୍ଥ ଅଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।

ଯାଜପୁର ଜିଲ୍ଲାରୁ ୧୪ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୭୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୬୮ ଜଣ ଚିକିତ୍ସାଧୀନ ଅଛନ୍ତି। ବାଲେଶ୍ୱରରେ ୩ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୧୨୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୨ ଜଣ ସୁସ୍ଥ ହୋଇସାରିଲେଣି।

ପୁରୀ ଜିଲ୍ଲାରୁ ଆଉ ୧୭ ଜଣ ଚିହ୍ନଟ ହୋଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ସୁସ୍ଥ ହୋଇଥିବା ବେଳେ ୬୧ ଜଣ ଚିକିତ୍ସାଧୀନ ଅଛନ୍ତି। କଟକ ଜିଲ୍ଲାରୁ ଜଣେ ଚିହ୍ନଟ ହୋଇଛନ୍ତି। ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭ରେ ପହଞ୍ଚି ଥିବା ବେଳେ ମାତ୍ର ୩ ଜଣ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ରୁ ପୁଣି ୫ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚିଥିବା ବେଳେ ୨୩ ଜଣ ସୁସ୍ଥ ହୋଇସାରିଲେଣି। ନୟାଗଡ଼ରୁ ବି ୫ ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ସୁସ୍ଥ ହୋଇଛନ୍ତି। ବଲାଙ୍ଗିରରୁ ଜଣେ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୯ରେ ପହଞ୍ଚିଛି ଓ ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ସୁସ୍ଥ ହୋଇଛନ୍ତି।

ମାଲକାନଗିରି ଜିଲ୍ଲାରୁ ୫ ଜଣ ଚିହ୍ନଟ ହେବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚି ଯାଇଛି ଓ ସମସ୍ତେ ଚିକିତ୍ସାଧୀନ ଅଛନ୍ତି। କନ୍ଧମାଳରୁ ୨ ଜଣ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚି ଯାଇଛି ଓ ସମସ୍ତେ ଚିକିତ୍ସାଧୀନ ଅଛନ୍ତି। ଝାରସୁଗୁଡ଼ାରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି।

Related story