କରୋନା ଯୋଦ୍ଧାଙ୍କୁ ସମ୍ମାନ ଆଳରେ ମାନିଲେନି କଟକଣା, ନିୟମକୁ ବି ଫୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଓଡ଼ିଆମାନେ ଆଜି ଅପରାହ୍ନ ସାଢ଼େ ୫ଟାରେ ଏକାସାଙ୍ଗରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିଛନ୍ତି। ଓଡ଼ିଆ ଭାବାବେଗ ସହ ଜଡ଼ିତ ଏହି ସଙ୍ଗୀତକୁ ‘ରାଜ୍ୟ ସଙ୍ଗୀତ’ ମାନ୍ୟତା ମିଳିନଥିଲେ ମଧ୍ୟ କରୋନା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ରାଜ୍ୟ ଭିତରେ ଓ ବାହାରେ ଥିବା ସବୁବର୍ଗର ଓଡ଼ିଆ ଲୋକମାନେ ଏହାକୁ ଆଗ୍ରହର ସହ ଗାଇଛନ୍ତି। କିନ୍ତୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା […]

bvnmo

Tapas Behera
  • Published: Saturday, 30 May 2020
  • , Updated: 30 May 2020, 08:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଓଡ଼ିଆମାନେ ଆଜି ଅପରାହ୍ନ ସାଢ଼େ ୫ଟାରେ ଏକାସାଙ୍ଗରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିଛନ୍ତି। ଓଡ଼ିଆ ଭାବାବେଗ ସହ ଜଡ଼ିତ ଏହି ସଙ୍ଗୀତକୁ ‘ରାଜ୍ୟ ସଙ୍ଗୀତ’ ମାନ୍ୟତା ମିଳିନଥିଲେ ମଧ୍ୟ କରୋନା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ରାଜ୍ୟ ଭିତରେ ଓ ବାହାରେ ଥିବା ସବୁବର୍ଗର ଓଡ଼ିଆ ଲୋକମାନେ ଏହାକୁ ଆଗ୍ରହର ସହ ଗାଇଛନ୍ତି। କିନ୍ତୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଆଳରେ ରାଜଧାନୀ ଭୁବନେଶ୍ୱରରେ ଅନେକ ସ୍ଥାନରେ କୋଭିଡ୍ ଗାଇଡଲାଇନ ଅନ୍ତର୍ଗତ ସାମାଜିକ ଦୂରତ୍ୱ ଓ ଅନ୍ୟାନ୍ୟ ପ୍ରୋଟୋକଲକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଛି।

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ରାଜ୍ୟ ପ୍ରଶାସନ ଏକ ବାଧ୍ୟତାମୂଳକ କାର୍ଯ୍ୟକ୍ରମରେ ପରିଣତ କରିଦେଇଥିଲା। ଲକଡାଉନ-୪ ବଳବତ୍ତର ଥିବାବେଳେ ସାମାଜିକ ଦୂରତ୍ୱକୁ ନମାନି ବହୁସଂଖ୍ୟାରେ ଲୋକମାନେ ଗୋଟିଏ ସ୍ଥାନରେ ଏକଜୁଟ ହେବା ପରୋକ୍ଷରେ କରୋନା ବିରୁଦ୍ଧରେ ଲଢ଼େଇ ପ୍ରତି ସରକାରଙ୍କ ମାନସିକତାକୁ ପଦାରେ ପକାଇଛି।

ସୂଚନା ଅନୁସାରେ, କରୋନା ସଂକ୍ରମଣ ରୋକିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଲକଡାଉନ-୪ ଗାଇଡଲାଇନ୍ ଏବଂ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମେ’ ୧୯ତାରିଖରେ ଜାରି ଗାଇଡଲାଇନରେ ସ୍ପଷ୍ଟ ଭାବେ ସମସ୍ତ ପ୍ରକାରର ସାମାଜିକ, ରାଜନୀତିକ, କ୍ରୀଡ଼ା, ମନୋରଞ୍ଜନ, ଏକାଡେମିକ, ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ସଭା, ବହୁ ସଂଖ୍ୟକ ଲୋକ ଏକଜୁଟ ହେବା ଉପରେ କଟକଣା ଜାରି ହୋଇଥିଲା। ଏହି ନିୟମକୁ ଉଲ୍ଲଘଂନ କଲେ ମହାମାରୀ ଆଇନ-୧୮୯୭ ଓ ଓଡ଼ିଶା ମହାମାରୀ ଅଧ୍ୟାଦେଶ-୨୦୨୦ ଧାରା-୩ ଅନୁସାରେ ଅନୁସାରେ ଉଭୟ ଜେଲ୍ ଓ ଜୋରିମାନର ପ୍ରାବଧାନ ମଧ୍ୟ ରହିଛି।

ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଥିବାବେଳେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଆଳରେ ଆଜି ରାଜଧାନୀ ଭୁବନେଶ୍ୱରରେ ଯେଉଁଭଳି ଢଙ୍ଗରେ କିଛି ସ୍ଥାନରେ ସାମାଜିକ ଦୂରତ୍ୱ କଟକଣାକୁ ଖୋଲାଖୋଲି ଉଲ୍ଲଘଂନ କରାଗଲା, ତାହା ନିଶ୍ଚିତ ଭାବେ ଉଦବେଗଜନକ। ସାମାଜିକ ଦୂରତ୍ୱ ବଜାୟ ରଖି ‘ବନ୍ଦେ ଉତ୍କଳ ଜନନୀ’ ଗାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିବେଦନ କରିଥିବାବେଳେ ସରକାରୀ କଳ ଏହାକୁ ଏକ ବାଧ୍ୟତାମୂଳକ କାର୍ଯ୍ୟକ୍ରମ କରିବାକୁ ପଛାଇ ନଥିଲା।

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶବାସୀଙ୍କୁ ଘଂଟ ଓ ତାଳି ବଜାଇବା ଓ ଦୀପ ଜାଳିବା ଆଦି କାର୍ଯ୍ୟକ୍ରମ ନିମନ୍ତେ ନିବେଦନ କରିଥିବାବେଳେ ତାକୁ ସାଧାରଣ ଲୋକେ ସ୍ୱଇଚ୍ଛାରେ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ନିବେଦନକୁ ‘ବାଧ୍ୟତାମୂଳକ ସରକାରୀ କାର୍ଯ୍ୟକ୍ରମ’ କରାଯାଇନଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ରାଜ୍ୟର ସମସ୍ତ ସରକାରୀ ଅଫିସ ପାଇଁ ବାଧ୍ୟତାମୂଳକ କାର୍ଯ୍ୟକ୍ରମ କରାଯାଇଥିଲା। ରାଜଧାନୀ ଭୁବନେଶ୍ୱରର କେତେକ ସ୍ଥାନରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସରକାରଙ୍କ କୋଭିଡ୍ ଗାଇଡଲାଇନକୁ ବି ଖୋଲା ଉଲ୍ଲଘଂନ କରାଯାଇଥିବା ଦେଖିବାକୁ ମିଳିଛି।

କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କ୍ରୀଡ଼ା ମନ୍ତ୍ରୀ ଓ କ୍ରୀଡ଼ା ସଚିବ ଉଭୟ କଳିଙ୍ଗ ଷ୍ଟାଡ଼ିୟମରେ ପ୍ରାୟ ୨୦୦-୩୦୦ କ୍ରୀଡ଼ାବିତଙ୍କୁ ଡାକି ସମବେତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ପଛାଇ ନଥିଲେ। ସେହିପରି ଏଜି ଛକରେ ଅଟୋ ମହାସଂଘ, ବିଜେଡି କାର୍ଯ୍ୟାଳୟ, ଓଡ଼ିଶା ବିଧାନସଭା ପରିସର ଓ ଓଟିଡିସି ପରିସରରେ ସମବେତ ଗାନର ଫଟୋଚିତ୍ରରୁ ସରକାରଙ୍କ କୋଭିଡ ଗାଇଡଲାଇନ୍ ଓ ମହାମାରୀ ଅଧ୍ୟାଦେଶ ନିୟମକୁ ଖୋଲା ଉଲ୍ଲଘଂନ କରାଯାଇଥିବା ସ୍ପଷ୍ଟ ପ୍ରତିଫଳିତ ହେଉଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ କମ୍ ସ୍ଥାନରେ ଏତେ ସଂଖ୍ୟକ ଲୋକଙ୍କୁ ଏକଜୁଟ କରାଇ ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବାକୁ ଚାହୁଁଥିଲେ ନା ବୃଦ୍ଧି କରିବାକୁ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Related story